ଯୋଗାଣ ଅଧିକାରୀଙ୍କ କାର୍ଯ୍ୟାଳୟରେ ଝୁଲୁଛି ତାଲା, ହିତାଧିକାରୀ ନିରାଶ
ହାଟଡିହି,(ଯୁଗାବ୍ଦ ନ୍ୟୁଜ୍): କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ଯୋଗାଣ ଅଧିକାରୀଙ୍କ କାର୍ଯ୍ୟାଳୟରେ ତାଲା ପଡିଥିବାରୁ ବିଭିନ୍ନ ସମସ୍ୟା ନେଇ ଆସୁଥିବା ହିତାଧିକାରୀ ମାନେ ନିରାଶ ହୋଇ ଫେରୁଥିବା ଦେଖିବାକୁ ମିଳିଛି । ଏପରିକି ଏହି ହିତାଧିକାରୀ ମାନେ କାର୍ଯ୍ୟାଳୟ ସମ୍ମୁଖରେ ଦିନଯାକ ବସିବସି ଘରକୁ ନିରାଶ ହୋଇ ଫେରୁଥିବାରୁ ହିତାଧିକାରୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି । ହାଟଡିହି ବ୍ଲକରେ ୧ଲକ୍ଷ ୪୭ହଜାର ୮୭୦ହିତାଧିକାରୀ ଥିବାବେଳେ ସେମାନଙ୍କ ମଧ୍ୟରୁ ୧ଲକ୍ଷ ୩୩ହଜାର ୮୭୦ଜଣଙ୍କ ଆଧାର ଲିଙ୍କ ସରିଛି । ତନ୍ମଧ୍ୟରୁ ଆଧାର ଲିଙ୍କ ହୋଇଥିବା ୧୩୯୬ଜଣ ଓ ଆଧର ଲିଙ୍କ ହୋଇନଥିବା ୩୫୪୬ଜଣ ଲୋକଙ୍କ ନାମ ସସପେକ୍ଟ ୫ ତାଲିକାରେ ରହିଯାଇ ଥିବାରୁ ସେମାନେ ପିଡିଏସ ସାମଗ୍ରୀ ପାଇବାରୁ ବଞ୍ଚିତ ହୋଇଛନ୍ତି । ଏହାକୁ ନେଇ ପ୍ରତିଦିନ ବ୍ଲକର ଯୋଗାଣ ଅଧିକାରୀଙ୍କ କାର୍ଯ୍ୟାଳୟରେ ଲୋକଙ୍କ ଭିଡ ଦେଖିବାକୁ ମିଳିଛି । ଏବେ ଯୋଗାଣ ଅଧିକାରୀ ଛୁଟିରେ ଥିବାବେଳେ ଡାଟା ଏଣ୍ଟ୍ରି ଅପରେଟର ଙ୍କୁ ଲୋକମାନେ ପାଟିତୁଣ୍ଡ କରିବାରୁ ସେ ମଧ୍ୟ ଆସୁ ନାହାନ୍ତି । ଫଳରେ କାର୍ଯ୍ୟାଳୟର ୪ଦିନ ହେଲା ତାଲା ଖୋଲୁ ନାହିଁ । ବ୍ଲକ ଯୋଗାଣ ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ହିତାଧିକାରୀମାନଙ୍କ ଆଧର ଲିଙ୍କ କରାଯାଇଥିବା ସତ୍ତ୍ୱେ ସେମାନଙ୍କ ଆଲଟମେଣ୍ଟ ଆସୁନଥିବାରୁ ହିତାଧିକାରୀ ମାନେ ନିୟମିତ କାର୍ଯ୍ୟାଳୟକୁ ଆସି ହୋହଲ୍ଲା କରୁଛନ୍ତି । ଆଜି ନୁଆଗାଁର ସାବିତ୍ରୀ ଦେହୁରୀ, ଗୋପର ନୟନା ପାତ୍ର, ବେଙ୍ଗତୀରା ଗ୍ରାମର ମଙ୍ଗୁଳିଆ ପଣ୍ଡା, ବେଲବନ୍ଧର ଝୁନୁ ମୁଣ୍ଡା, କୁନି ଘଡେଇ ପ୍ରମୁଖ ବ୍ଲକକୁ ଆସି କାର୍ଯ୍ୟାଳୟ ବନ୍ଦ ଥିବାରୁ ନିରାଶ ହୋଇ ଫେରିଯାଇଛନ୍ତି । ସେମାନଙ୍କ ଅଭିଯୋଗ ଅନୁଯାଇ ପୁର୍ବରୁ ଚାଉଳ ପାଉଥିବାବେଳେ ଦୁଇମାସ ହେଲା ଆଧାର ଲିଙ୍କ ସତ୍ତ୍ୱେ ତାଙ୍କୁ ଚାଉଳ ମିଳୁନଥିବା କହିଛନ୍ତି । ଏ ସମ୍ପର୍କରେ ବ୍ଲକ ଯୋଗାଣ ଅଧିକାରୀଙ୍କୁ ପଚାରିବାରେ ସେ ଅସୁସ୍ଥତା ଯୋଗୁଁ ଛୁଟିରେ ଥିବା କହିଛନ୍ତି । ତାଙ୍କ ସୁଚନାନୁଯାଇ ଯେଉଁମାନେ ବିଳମ୍ବରେ ଆଧାର ଲିଙ୍କ କରିଛନ୍ତି ସେହି ମାନଙ୍କର ଏପରି ଅସୁବିଧା ଉପୁଜିଛି । ଆମେ ଆଧାର ଲିଙ୍କ କରିଥିଲେବି ଆଲଟମେଣ୍ଟ ଆସୁନଥିବାରୁ ଆମେ କେଉଁଠୁ ଚାଉଳ ଆଣି ତାଙ୍କୁ ଦେବୁ ବୋଲି କହିଛନ୍ତି । ଏ ସମ୍ପର୍କରେ ସେ ଉଚ୍ଚ କର୍ତ୍ତୁପକ୍ଷଙ୍କୁ ଜଣାଇବେ ବୋଲି କହିଛନ୍ତି ।