ଯୋଗୀ ଆଦିତ୍ୟନାଥଙ୍କ ବାୟୋପିକରେ ଭୋଜପୁରୀ ସୁପରଷ୍ଟାର
ଭୋଜପୁରୀ ସୁପରଷ୍ଟାର ଦିନେଶ ଲାଲ ଯାଦବ ନିରହୁଆ ଲକଡାଉନ ପରେ ସେ ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଉପରେ ଫିଲ୍ମ ନିର୍ମାଣ କରିବେ ବୋଲି ଘୋଷଣା କରିଛନ୍ତି। ଏହି ଚରିତ୍ରରେ ଅଭିନୟ କରିବା ତାଙ୍କ ପାଇଁ ସୌଭାଗ୍ୟର ବିଷୟ ବୋଲି ସେ କହିଛନ୍ତି। ଏକ ଲାଇଭ ଚାଟ ସମୟରେ ନିରହୁଆ ସିଧାସଳଖ ପ୍ରଶଂସକଙ୍କ ସହିତ କଥା ହୋଇଥିଲେ। ଏହି ସମୟରେ ସେ ନିଜର ଅନେକ ପ୍ରକଳ୍ପ ସମ୍ପର୍କରେ ମଧ୍ୟ ସୂଚନା ଦେଇଥିଲେ। ଏହି ସମୟରେ ସେ ଲକଡାଉନ ପରେ ଯୋଗୀ ଆଦିତ୍ୟନାଥଙ୍କ ଜୀବନୀ ଉପରେ ଫିଲ୍ମ ନିର୍ମାଣ କରିବେ ବୋଲି ସୂଚନା ଦେଇଥିଲେ। ନିରହୁଆ କହିଥିଲେ ଯେ ଏହା ତାଙ୍କ ପାଇଁ ଏକ ସୌଭାଗ୍ୟର କଥା। ଯୋଗୀଙ୍କ ଜୀବନ ଏପରି ଅଟେ, ସମସ୍ତଙ୍କ ଠାରୁ କିଛି ନା କିଛି ଶିଖିବା ଉଚିତ। ଜଣେ ମହନ୍ତରୁ ଆଜି ସେ ଏକ ରାଜ୍ୟର ମୁଖ୍ୟ। ତାଙ୍କ ଯାତ୍ରା ସମସ୍ତଙ୍କ ସାମ୍ନାକୁ ଆସିବା ଉଚିତ। ତାଙ୍କ ଉପରେ ଫିଲ୍ମ ନିର୍ମାଣ କରିବା ଓ ନିଜେ ତାଙ୍କ ଚରିତ୍ରରେ ଅଭିନୟ କରିବା ତାଙ୍କ ପାଇଁ ଭାଗ୍ୟର କଥା ବୋଲି ନିରହୁଆ କହିଛନ୍ତି। ଏହି ଚରିତ୍ରରେ ଅଭିନୟ କରିବା ପାଇଁ ସେ ପୂରାପୁରି ପ୍ରସ୍ତୁତ। କେଶ ହଟାଇ ଯୋଗୀଙ୍କ ଚରିତ୍ରରେ ଅଭିନୟ କରି ଫିଲ୍ମକୁ ଏକ ନୂଆ ଶିଖର ଯାଏ ପହଞ୍ଚାଇବାକୁ ସେ ଚାହୁଛନ୍ତି। ଯାହା ଫଳରେ ସମସ୍ତେ ଯୋଗୀଙ୍କ ସଂଘର୍ଷ ସମ୍ପର୍କରେ ଜାଣିପାରିବେ ବୋଲି ନିରହୁଆ କହିଛନ୍ତି।


