ଯୋଗ୍ୟ ହିତାଧିକାରୀ ଆବାସ ଯୋଜନାରୁ ବଂଚିତ
କେନ୍ଦ୍ରାପଡ଼ା ,(ଯୁଗାବ୍ଦ ନ୍ୟୁଜ୍): ଜିଲ୍ଲାର ମାର୍ଶାଘାଇ ବ୍ଲକ ଅନ୍ତର୍ଗତ କରିଲୋପାଟଣା ପଂଚାୟତର ଗୋପେଇ ଗ୍ରାମର ୧୦ନମ୍ବର ୱାର୍ଡର ଦଳିତ ବର୍ଗର ଗରୀବ ଅଧିବାସୀମାନେ ଜିଲ୍ଲାପାଳ ସମର୍ଥ ବର୍ମାଙ୍କୁ ଭେଟି ଅଭିଯୋଗ କରିଛନ୍ତି ଯେ ଅତ୍ୟନ୍ତ ଗରୀବ ଶ୍ରେଣୀର ହୋଇଥିବାରୁ ସେମାନେ ଚାଳଛପର ଘରେ ବାସ କରୁଛନ୍ତି । ମୁଲପାତି ଲାଗି ନିଜର ପରିବାର ଭରଣପୋଷଣ କରୁଥିବା ଏହି ଅଧିବାସୀମାନେ ମାର୍ଶାଘାଇ ବିଡିଓଙ୍କୁ ବାରମ୍ବାର ନିବେଦନ କରିବା ପରେ ଜି.ଆର.ଏସ.ଙ୍କୁ ଦେଖାକରି ଦୁଃଖ ଜଣାଇବାରେ ଜି.ଆର.ଏସ. କହିଲେ ପ୍ରତ୍ୟେକ ୨୦ହଜାର ଟଙ୍କା ଦେଲେ ଯାଇ ଆବାସ ଯୋଜନାରେ ଘର ପାଇପାରିବ । ତେଣୁ ସେମାନେ ସବୁଠୁ ନିରାଶ ହୋଇ ଫେରିବା ପରେ ଏସମ୍ପର୍କରେ ଜିଲ୍ଲାପାଳଙ୍କୁ ଲିଖିତ ଭାବରେ ସମସ୍ତ ତଥ୍ୟ ଜଣାଇ ସେମାନଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସାମିଲ କରାଯାଇ କାର୍ଯ୍ୟାଦେଶ ପ୍ରଦାନ କରାଯିବାକୁ ନିବେଦନ କରିଛନ୍ତି । ନଚେତ ସେମାନେ ବାଧ୍ୟ ହୋଇ ନ୍ୟାୟ ପ୍ରଦାନ ନିମନ୍ତେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅନଶନ କରିବେ ବୋଲି ପ୍ରଶାସନକୁ ଚେତାବନୀ ଦେଇଛନ୍ତି । ଗୋପେଇ ଗ୍ରାମର ଦଳିତ ବର୍ଗର ଅଧିବାସୀମାନଙ୍କ ପକ୍ଷରୁ ମଙ୍ଗୁଳି ଜେନା, ରନିତା ଜେନା, କନ୍ଦ ଜେନା, ତ୍ରିଲୋଚନ ଜେନା, ମଧୁସୁଦନ ଜେନା, ନିଳକଣ୍ଠ ଜେନା, ଅଲେଖ ଜେନା, ଗୋଲଖ ଜେନା ପ୍ରମୁଖ ଜିଲ୍ଲାପାଳଙ୍କୁ ଭେଟି ଅଭିଯୋଗ କରିଥିଲେ ।