ଯୋଗ ପ୍ରଶିକ୍ଷଣ କେନ୍ଦ୍ର ‘ହେଲଦି ଲାଇଫ’ର ପ୍ରତିଷ୍ଠା ଦିବସ
ବାଲେଶ୍ୱର, (ସରୋଜ ପଣ୍ଡା):ଯୋଗ ପ୍ରଶିକ୍ଷଣ କେନ୍ଦ୍ର ‘ହେଲଦି ଲାଇଫ’ର ତ୍ରୟୋଦଶ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି । ଅନୁଷ୍ଠାନ ପରିସରରେ ଆୟୋଜିତ କାର୍ଯ୍ୟକ୍ରମରେ ବାଲେଶ୍ୱର କଲେଜ ଅଫ ଇଞ୍ଜିନିୟରିଂ ଏଣ୍ଡ ଟେକ୍ନୋଲୋଜି (ବିସିଇଟି)ର ନିର୍ଦ୍ଦେଶକ ଶରତ ଚନ୍ଦ୍ର ମିଶ୍ର ମୁଖ୍ୟ ଅତିଥିଭାବେ ଯୋଗଦେଇ ସାମ୍ପ୍ରତିକ ଜୀବନରେ ଯୋଗ ଓ ପ୍ରାଣାୟମର ଆବଶ୍ୟକତା ସମ୍ପର୍କରେ ଆଲୋଚନା କରିଥିଲେ । ପ୍ରତ୍ୟେକ ବ୍ୟକ୍ତି ଦୈନିକ ଜୀବନଚର୍ଯ୍ୟା ମଧ୍ୟରେ ଯୋଗ ଓ ପ୍ରାଣାୟମ ପାଇଁ କିଛି ସମୟ ଦେବା ଉଚିତ ବୋଲି ସେ ମତ ଦେଇଥିଲେ । ଦୈନିକ ଖବରକାଗଜ ‘ଧ୍ୱନି ପ୍ରତିଧ୍ୱନି’ ମୁଖ୍ୟ ସମ୍ପାଦକ ସୃଷ୍ଟିଧର ପରିଡ଼ା ଏଥିରେ ମୁଖ୍ୟବକ୍ତା ଭାବେ ଯୋଗଦେଇ ଯୋଗ ଶିକ୍ଷାର ପ୍ରଚାର ପ୍ରସାରରେ ହେଲଦି ଲାଇଫ୍ର ଉଦ୍ୟମ ବେଶ ପ୍ରଶଂସନୀୟ ବୋଲି କହିଥିଲେ । ‘ଯୋଗ’ପ୍ରାଚୀନ ଭାରତୀୟ ସଂସ୍କୃତିର ଅନ୍ୟତମ ଅଙ୍ଗ ହୋଇଥିବା ବେଳେ ସବୁ ବର୍ଗର ବ୍ୟକ୍ତି ଅଭ୍ୟାସ ଜାରି ରଖିବାକୁ ସେ ପରାମର୍ଶ ଦେଇଥିଲେ । ‘ହେଲଦି ଲାଇଫ’ ପ୍ରତିଷ୍ଠାତା ଡାକ୍ତର ଚିତ୍ତରଂଜନ ସାହୁ ଏଥିରେ ଉପସ୍ଥିତ ରହି ଅନୁଷ୍ଠାନର କାର୍ଯ୍ୟଧାରା, ହେଲଦି ଲାଇଫ ଯୋଗ ମହାବିଦ୍ୟାଳୟରେ ଶିକ୍ଷାଦାନ ସମ୍ପର୍କରେ ବିସ୍ତୃତ ଭାବେ ସୂଚନା ଦେଇଥିଲେ । ଦୀର୍ଘ ୧୩ବର୍ଷ ଧରି ଯୋଗ ପ୍ରଶିକ୍ଷଣ ପ୍ରଦାନ କରି ଆସିଥିବା ଏହି ଅନୁଷ୍ଠାନ ସମ୍ପ୍ରତି ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟ ସହ ଅନୁବନ୍ଧିତ ହୋଇ ମହାବିଦ୍ୟାଳୟରେ ପରିଣତ ହୋଇଛି । ଯୋଗରେ ସ୍ମାତକୋତ୍ତର ପର୍ଯ୍ୟନ୍ତ ଶିକ୍ଷାଦାନ ଚାଲିଥିବା ଡାକ୍ତର ସାହୁ କହିଥିଲେ । ଏଠାରୁ ସଫଳତାର ସହ ଉତ୍ତୀର୍ଣ୍ଣ ଛାତ୍ରଛାତ୍ରୀଙ୍କ ପାଇଁ ନିଯୁକ୍ତିର ବ୍ୟାପକ ସୁଯୋଗ ରହିଛି ବୋଲି ସେ ସୂଚନା ଦେଇଥିଲେ । ହେଲଦି ଲାଇଫ୍ ମହାବିଦ୍ୟାଳୟର ଅଧ୍ୟକ୍ଷା ଦେବୀ ଅର୍ଚ୍ଚନା ଏହି କାର୍ଯ୍ୟକ୍ରମରେ ପୌରହିତ୍ୱ କରିଥିଲେ । ଏହି ଅବସରରେ ମହାବିଦ୍ୟାଳୟ ଛାତ୍ରୀମାନେ ଯୋଗ ପ୍ରଦର୍ଶନ କରିଥିଲେ । ଶେଷରେ ଅଧ୍ୟାପକ ଅଭିଷେକ ଦାସ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ ।


