ଯୋଜନାରେ ରହିଗଲା କି ପଞ୍ଚାୟତ ସ୍ତରୀୟ ପାଠାଗାର
ହାଟଡିହି, (ବିକାଶ ବିଶ୍ୱାଳ):ଯୋଜନାରେ ରହିଗଲା ପ୍ରତି ପଞ୍ଚାୟତରେ ପାଠାଗାର ସ୍ଥାପନ । ନୀଳ ନକ୍ସା ଦେଖାଇ ଯୋଜନାକୁ ଭୁଲିଗଲେ କି ସରକାର । ପୂର୍ବ ସରକାର ଗଲା ପରେ ତାଙ୍କ ସହିତ ଯୋଜନା ବି ଉଭେଇଗଲା। ଯାହାକୁ ନେଇ ପାଠକପାଠିକାଙ୍କ ମଧ୍ୟରେ କ୍ଷୋଭ ପ୍ରକାଶ ପାଇଛି । ପୂର୍ବ ସରକାର ପାଠାଗାରକୁ ଆନ୍ଦୋଳନରେ ପରିଣତ କରିବାକୁ ଉଦ୍ୟମ କରିଥିଲେ । ସେଥିପାଇଁ ପ୍ରଥମ ବିଶ୍ଵ ଓଡ଼ିଆ ଭାଷା ସମ୍ମିଳନୀ କରିବା ସହିତ ପ୍ରତି ବ୍ଲକରେ ଗୋଟିଏ ଗୋଟିଏ ବ୍ଲକ ସ୍ତରୀୟ ପାଠାଗାର ନିର୍ମାଣ କରିଥିଲେ। ଏପରିକି ପାଠକ ପାଠିକାଙ୍କୁ ବିଭିନ୍ନ ପାଠ୍ୟପୁସ୍ତକ ପଢ଼ିବାକୁ ଗାଁରୁ ସହରକୁ କିମ୍ବା ଜିଲ୍ଲାସ୍ତରୀୟ ପାଠାଗାରକୁ ଦୌଡ଼ିବାକୁ ପଡ଼ିବନି । ସେମାନଙ୍କ ପାଖରେ ବହି ପହଞ୍ଚିବ ଆଉ ତାହାକୁ ପଢ଼ିବେ ଛାତ୍ରଛାତ୍ରୀ, ଗବେଷକ ଏବଂ ସାଧାରଣ ପାଠକ । ଏଥିପାଇଁ ରାଜ୍ୟର ପ୍ରତି ପଞ୍ଚାୟତରେ ପାଠାଗାର ପ୍ରତିଷ୍ଠା ହେବ ବୋଲି ଘୋଷଣା ହୋଇଥିଲା। ୫୦ ରୁ ୬୦ ଲକ୍ଷ ଟଙ୍କା ବ୍ୟୟରେ ଏହି ପାଠାଗାର ଗୁଡିକ ନିର୍ମାଣ କରାଯିବାକୁ ଯୋଜନା ହୋଇଥିବା ବେଳେ ତହସିଲ ପକ୍ଷରୁ ଏଥିପାଇଁ ପ୍ରତି ପଞ୍ଚାୟତରେ ସ୍ଥାନ ନିରୁପଣ କରାଯାଇ ଚିଠି ମଧ୍ୟ କରାଯାଇ ଥିଲା। ପରେ ପରେ ଜିଲ୍ଲା ସ୍ତରରୁ ପ୍ରତି ପଞ୍ଚାୟତରେ ନିରୁପିତ ସ୍ଥାନ ମାନଙ୍କରେ ସର୍ଭେ କରାଯିବା ସହିତ ମାଟି ପରୀକ୍ଷା କରି ରିପୋର୍ଟ ପ୍ରସ୍ତୁତି କରିଥିଲେ। କିନ୍ତୁ ସରକାର ବଦଳି ଯିବା ପରେ ଯୋଜନା ଗୁଡିକ ଯେପରି ବଦଳି ଗଲା ଭଳି ଲାଗୁଛି। ଏପରିକି ଏ ସମ୍ପର୍କରେ କାହା ପାଖରେ କିଛି ଖବର ମଧ୍ୟ ନାହିଁ। ଏ ସମ୍ପର୍କରେ ସମଣା, ଶାସଙ୍ଗ, ସଡ଼ଙ୍ଗ, ସୁଲଣ ପ୍ରଭୃତି ପଞ୍ଚାୟତର ସରପଞ୍ଚ କୁହନ୍ତି ଯେ ଏହି ଯୋଜନାରେ ଦୁଇ ମହଲା ବିଶିଷ୍ଟ ପାଠାଗାର ଗୃହ ନିର୍ମାଣ ହେବ ବୋଲି କୁହା ଯାଇଥିଲା। ସେଥିପାଇଁ ଆମେ ଉପଯୁକ୍ତ ସ୍ଥାନ ପାଇଁ ପ୍ରସ୍ତାବ ଦେଇଥିଲୁ, ସ୍ଥାନମାପଚୁପ ହେଲା, ମାଟି ପରୀକ୍ଷା ବି ହେଲା। କିନ୍ତୁ ସବୁ ସରିବା ପରେ ଆଉ ଟେଣ୍ଡର ହେଲାନି କି ପାଠାଗାର ପ୍ରସ୍ତାବ କୁଆଡ଼େ ଉଭେଇ ଗଲା ଯେ ଆଉ ଜଣାପଡିଲା ନାହିଁ । ଏ ସମ୍ପର୍କରେ ବରିଷ୍ଠ ଶିଶୁ ସାହିତ୍ୟିକ ରତ୍ନାକର ଦାସ କହିଛନ୍ତି ପାଠାଗାର ନିର୍ମାଣ ହୋଇଥିଲେ ଗ୍ରାମାଞ୍ଚଳର ଲୋକମାନେ ପୁସ୍ତକ ପଢିବାର ସୁଯୋଗ ପାଇଥାନ୍ତେ। ଯାହାଦ୍ଵାରା ତାଙ୍କର ମାତୃଭାଷା ଓ ସାହିତ୍ୟପ୍ରତି ରୁଚି ବଢିବା ସହିତ ଭାଷା ସାହିତ୍ୟର ମର୍ଯ୍ୟଦା ଗରିମା ଅକ୍ଷୁନ୍ନ ରହିଥାନ୍ତା ବୋଲି କହିଛନ୍ତି। ସାଧାରଣ ଲୋକମାନେ ଏ ସୁଯୋଗରୁ ବଞ୍ଚିତ ହେବା ଦ୍ୱାରା ମୋବାଇଲରେ ମନୋନିବେଶ କରି ଅବକ୍ଷୟ ଆଡକୁ ମୁହାଁଉଛନ୍ତି। ତେଣୁ ପ୍ରତି ପଞ୍ଚାୟତ ମାନଙ୍କରେ ପାଠାଗାର ସ୍ଥାପନ କରିବା ଦିଗରେ ନୂତନ ସରକାର ଦୃଷ୍ଟି ଦେବାକୁ ବାଳକୃଷ୍ଣ ରାଉତ, ଅନ୍ତର୍ଯ୍ୟାମୀ ରାଉତ, ଶ୍ରୀକାନ୍ତ ପଟ୍ଟନାୟକ, ମୁରଲୀଧର ବେହେରା, ଅନନ୍ତ ଚ଼ରଣ ମୁଦୁଲି, ନିତ୍ୟାନନ୍ଦ ବେହେରା, ସୁଦାମ ଚ଼ରଣ ଜେନା, ଚ଼ନ୍ଦନ ପଣ୍ଡା, ବିଶ୍ଵଜିତ ରାଉତ, ଭାଗବତ ସାହୁ, ଚ଼ତୁର୍ଭୁଜ ପହି ପ୍ରମୁଖ ସାହିତିକ କବି ମାନେ ଦାବି କରିଛନ୍ତି।