ଯୋଡାରେ ବସ୍ ରୁ ଡକାୟତି , ବଲେରୋ ଜବତ, ୬ ଅଭିଯୁକ୍ତ ଗିରଫ
ଯୋଡ଼ା,(ଯୁଗାବ୍ଦ ନ୍ୟୁଜ୍): କେନ୍ଦୁଝର ଜିଲା ଯୋଡା ସହର ନିକଟସ୍ଥ ରଣାଶାଳ ଘାଟିଠାରେ ବୁଧବାର ରାତି ପ୍ରାୟ ୧୦.୩୦ ମିନିଟ୍ ସମୟରେ ୬ଜଣ ଦୁର୍ବୁତ ବସ୍ କୁ ଅଟକାଇ ଲୁଟ୍ ବେଳେ ପୋଲିସ ଦ୍ୱାରା ଗିରଫ ହେବା ଘଟଣା ସହରରେ ଚର୍ଚ୍ଚାର ବିଷୟ ପାଲଟିଛି । ଗିରଫ ଅଭିଯୁକ୍ତମାନେ ହେଲେ ଯୋଡା ବାଚୁ ହଟିଂ ଅଂଚଳର ସନ୍ତୋଷ ମହାନ୍ତ, ସୁନିଲ ଚାତାର, ନିରାକାର ଗୋପ୍, ଯୋଡା କୁନ୍ଦୁରୁନାଲା ଅଂଚଳର ପିହ ପାତ୍ର , ବାଂଶପାଣି ଅଂଚଳର ଘାସିନାଥ ପାତ୍ର ଓ ଝାଡଖଣ୍ଡ ରାଜ୍ୟ ଚାଇଁବସା ଅଂଚଳର ଦିଲିପ କୁମାର ପାନ୍ । ଘଟଣାସ୍ଥଳରୁ ଜଣାପଡିଛି ଯେ, ବୁଧବାର ରାତି ପ୍ରାୟ ୧୦.୩୦ ମିନିଟ ସମୟରେ ବଡବିଲ୍ – ଭୁବନେଶ୍ୱର ଯାତ୍ରୀବାହୀ ସଂସ୍କାର ବସ୍ ନଂ ଓଡି୦୫ ଏୟୁ ୫୭୩୦ ବଡବିଲ୍ ରୁ ଯୋଡା ଅଭିମୁଖେ ଆସୁଥିବା ବେଳେ ରଣାଶାଳ ଘାଟିଠାରେ ଟ୍ରାଫିକ ଜାମ୍ ରେ ଫସିଥିଲା । ଏହି ବସ୍ ର ଆଗକୁ ଅନ୍ୟ ଏକ ବଡବିଲ୍ –ବାଲେଶ୍ୱର ଯାତ୍ରୀବାହୀ ବସ୍ ଓଡି୦୫ ଏମ ୮୩୩୦ଟି ମଧ୍ୟ ଛିଡା ହୋଇଥିଲା । ଏହି ସମୟରେ ୬ ଜଣ ଦୁର୍ବୁତ ଏକ ବଲେରୋ ନଂ ଓଆର୦୯ଏନ ୮୧୬୦ ରେ ଆସି ବଡବିଲ୍ –ବାଲେଶ୍ୱର ଯାତ୍ରୀବାହୀ ବସ୍ ର ଡିକି ଖୋଲି ଲୁଟ୍ ଉଦ୍ୟମ କରୁଥିବା ବେଳେ ପଛରେ ଛିଡା ହୋଇଥିବା ବଡବିଲ୍-ଭୁବନେଶ୍ୱର ବସ୍ ର ଡ୍ରାଇଭର ବାସୁଦେବ ନାୟକ ସେମାନଙ୍କୁ ପ୍ରତିବାଦ କରିବାରୁ ଦୁର୍ବୁତମାନେ ତାଙ୍କୁ ପ୍ରବଳ ମାଡ ମାରିଥିଲେ । ଏହାପରେ ଦୁର୍ବୁତମାନେ ବଡବିଲ୍- ବାଲେଶ୍ୱର ବସ୍ ର ଡିକିରୁ କେତୋଟି ବ୍ୟାଗ୍ ଲୁଟିବା ସହିତ ବସ୍ ର ହେଲପରକୁ ଟଙ୍କା ମାଗିଥିଲେ । ଦୁର୍ବୁତମାନେ ମାରଣାସ୍ତ୍ର ଧରିଥିବାରୁ କୌଣସି ବ୍ୟକ୍ତି ସେମାନଙ୍କୁ ବିରୋଧ କରିପାରିନଥିଲେ । ଦୁର୍ବୁତମାନେ ଉକ୍ତ ବଲେରୋରେ ବସି ଯୋଡା ଅଭିମୁଖେ ଆସିଥିଲେ । ବଡବିଲ୍ ଭୁବନେଶ୍ୱର ବସ୍ ର ଡ୍ରାଇଭର ବାସୁଦେବ ନାୟକ ଫୋନ୍ ଯୋଗେ ଯୋଡା ପୋଲିସ୍ କୁ ଜଣାଇବା ପରେ , ଯୋଡା ଥାନା ଆଇଆଇସି ରାଇସେନ୍ ମୁର୍ମୁ ସଦଳବଳେ ଯୋଡାର ପ୍ରବେଶ ପଥକୁ ସମ୍ପୂର୍ଣ୍ଣ ସିଲ୍ କରିଦେଇଥିଲେ । ଏହା ପରେ ବସ୍ଷ୍ଟାଣ୍ଡ ନିକଟରେ ଦୁର୍ବୁତଙ୍କ ବଲେରୋକୁ ସମୁଖ ଦିଗରୁ ସିନେମା ଷ୍ଟାଇଲ୍ ରେ ଘେରି ଯାଇ ୬ ଜଣ ଦୁର୍ବୁତଙ୍କୁ କାବୁ କରିବା ସହିତ ବଲେରୋ ଗାଡିଟିକୁ ଜବତ କରିଥିଲେ । ପୋଲିସ ସେମାନଙ୍କଠାରୁ ଠେଙ୍ଗା, ଲୁହାରଡ୍ ଓ ଗୋଟିଏ ଛୁରି ଜବତ କରିଛି । । ଏନେଇ ରାତି ପ୍ରାୟ ୧୧.୩୦ ମିନିଟ୍ ସମୟରେ ସଂସ୍କାର ବସ୍ ର ଡ୍ରାଇଭର ବାସୁଦେବ ନାୟକ, ବଡବିଲ୍ –ବାଲେଶ୍ୱର ବସ୍ ର କଣ୍ଡକ୍ଟର ନିମାଇ ଚରଣ ରାଉତ ଯୋଡା ଥାନାରେ ଲିଖିତ ଅଭିଯୋଗ କରିଥିଲେ । ପୋଲିସ କେଶ୍ ନଂ ୩୮/୨୦୨୦ , ଦଫା ୩୯୫ ରୁଜୁ କରି ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଛି ।