ଯୋଡା ପୌରପାଳିକାରେ ବିଶ୍ୱ ଶୌଚାଳୟ ଦିବାସ ପାଳିତ

ଯୋଡା, (ସମୀର କୁମାର ଦାସ) : ଯୋଡା ସହରରେ ଅବସ୍ଥିତ ୧୪ଟି ୱାର୍ଡକୁ ବାହ୍ୟ ମଳ ମୂତ୍ର ମୁକ୍ତ ସହର ଭାବେ ପରିଗଣିତ କରିବା ପାଇଁ କେନ୍ଦ୍ର ସରକାରଙ୍କ ଯୋଜନାକୁ ଯୋଡା ପୌରପାଳିକାରେ କାର୍ଯ୍ୟକାରୀ କରାଯାଇଛି । ଏହି ପରିପ୍ରେକ୍ଷିରେ ଜନସାଧାରଣଙ୍କୁ ସଚେତନ କରିବା ନିମନ୍ତେ ପୌରପାଳିକା ପକ୍ଷରୁ ବିଶ୍ୱ ଶୌଚାଳୟ ଦିବସ ଆନୁଷ୍ଠାନିକ ଭାବେ ପାଳନ କରାଯାଇଛି । ଏହି ଅବସରରେ ଏକ ରାଲିର ଆୟୋଜନ କରାଯାଇଥିବା ବେଳେ ଏହା ଯୋଡା ପୌରପାଳିକା କାର୍ଯ୍ୟାଳୟ ଠାରୁ ବାହାରି କଲ୍ୟାଣ ମଣ୍ଡପ ପର୍ଯ୍ୟନ୍ତ ଆସିଥିଲା । ସେଠାରେ ସ୍ୱଚ୍ଛ ସାଥି ଏବଂ ଯୋଡା ସହରର ବିଭିନ୍ନ ସାମାଜିକ ଅନୁଷ୍ଠାନକୁ ନେଇ ଏକ ସଚେତନତା ଶିବିର ଅନୁଷ୍ଠିତ ହୋଇଥିଲା । ଏଥିରେ ନିର୍ବାହୀ ଅଧିକାରୀ ସୂର୍ଯ୍ୟମଣୀ ପାଟ୍ଟଯୋଶୀ ତାଙ୍କ ବକ୍ତବ୍ୟରେ ଯୋଡା ସହରକୁ ବାହ୍ୟ ମଳ ମୂତ୍ର ମୁକ୍ତ ସହର ଭାବେ ସ୍ୱଚ୍ଛତା ବଜାଇରଖିବା ପାଇଁ ଯୋଡା ଜନସାଧାରଣଙ୍କ ସହଯୋଗ କାମନା କରିଥିଲେ । ପୌରପାଳିକାରେ ସ୍ୱଚ୍ଛ ଭାରତ ଅଭିଯାନରେ କାର୍ଯ୍ୟ କରୁଥିବା ସମସ୍ତ ସ୍ୱଚ୍ଛ ସାଥିମାନଙ୍କୁ ଜନସାଧାରଣ ସହଯୋଗ କରିବା ପାଇଁ ନିବେଦନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଆଇନା ପତ୍ରିକାର ସମ୍ପାଦକ କ୍ଷେତ୍ରବାସୀ ସାହୁ ଯୋଡା ସହରକୁ ସ୍ୱଚ୍ଛ ସୁନ୍ଦର ଭାବେ ଗଢି ତୋଳିବା ପାଇଁ ପୌରପାଳିକା ପକ୍ଷରୁ କରାଯାଇଥିବା ପ୍ରୟାସ ସ୍ୱାଗତ ଯୋଗ୍ୟ ବୋଲି କହିବା ସହିତ ଏହି ସହରକୁ ସ୍ୱଚ୍ଛ ସହର ଭାବେ ପରିଗଣିତ କରିବାର ଦାୟିତ୍ୱ ଯୋଡା ଜନସାଧାରଣଙ୍କ ରହିଛି । ଯୋଡା ଜନସାଧାରଣ ସଚେତନ ହେଲେ ଦିନେ ଏହା ସମଗ୍ର ରାଜ୍ୟରେ ସର୍ବଶ୍ରେଷ୍ଠ ପୌରପାଳିକାର ମାନ୍ୟତା ହାସଲ କରିପାରିବ ବୋଲି ସେ କହିଥିଲେ । ଏହି କାର୍ଯ୍ୟକ୍ରମରେ ପୌରପାଳିକାର ସ୍ୱାସ୍ଥ୍ୟ ଅଧିକାରୀ ରାଜେନ୍ଦ୍ର କୁମାର ମିଶ୍ର କାର୍ଯ୍ୟକ୍ରମଟିକୁ ପରିଚାଳନା କରିଥିଲେ । ଏହି କାର୍ଯ୍ୟକ୍ରମରେ ସ୍ୱଚ୍ଛସାଥିମାନଙ୍କ ମଧ୍ୟରେ ଦକ୍ଷତା ପ୍ରଦର୍ଶନ ନିମନ୍ତେ ୩ଜଣ ସ୍ୱଚ୍ଛ ସାଥିଙ୍କୁ ପୁରସ୍କୃତ କରାଯାଇଥିଲା । ଏହି ସଚେତନତା ଶିବିରର ସଂଯୋଜକ ତ୍ରିବେଣୀ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ