ଯୋଡା ପୌରପାଳିକାରେ ସ୍ୱାୟତ ଶାସନ ଦିବସ ପାଳନ

ଯୋଡ଼ା,(ଯୁଗାବ୍ଦ ନ୍ୟୁଜ୍): କେନ୍ଦୁଝର ଜିଲା ଯୋଡା ପୌରପାଳିକା ପକ୍ଷରୁ ଶନିବାର ସ୍ୱାୟତ ଶାସନ ଦିବସ ମହାଆଡମ୍ବରରେ ପାଳିତ ହୋଇଯାଇଛି । ଏହି ସଭାରେ ମୁଖ୍ୟ ଅତିଥି ଭାବେ କେନ୍ଦୁଝର ସାଂସଦ ଚନ୍ଦ୍ରାଣୀ ମୁର୍ମୁ, ସମ୍ମାନୀତ ଅତିଥି ଭାବେ ଚମ୍ପୁଆ ବିଧାୟିକା ମୀନାକ୍ଷୀ ମହାନ୍ତ ଓ ଯୋଡା ପୌରପାଳିକା କାର୍ଯ୍ୟନିର୍ବାହୀ ଅଧିକାରୀ ସୂର୍ଯ୍ୟମଣି ପାଟ୍ଟଯୋଶୀ ଯୋଗ ଦେଇଥିଲେ । ଏକ ସାପ୍ତାହିକ ପତ୍ରିକାର ସଂପାଦକ କ୍ଷେତ୍ରବାସୀ ସାହୁ ଅତିଥି ପରିଚୟ ପ୍ରଦାନ ଓ ସ୍ୱାଗତ ଭାଷଣ ଦେଇଥିବା ବେଳେ ଯୋଡା ସେନ୍ଟ ଟେରେସା ଓ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ଛାତ୍ରୀଛାତ୍ରମାନଙ୍କ ଦ୍ୱାରା ସ୍ୱାଗତ ସଂଗୀତ ଗାନ କରାଯାଇଥିଲା । ଏହା ପରେ ଯୋଡା ପୌରପାଳିକା କାର୍ଯ୍ୟନିର୍ବାହୀ ଅଧିକାରୀ ସୂର୍ଯ୍ୟମଣି ପାଟ୍ଟଯୋଶୀ ପୌରପାଳିକାର ବାର୍ଷିକ ବିବରଣୀ ପାଠ କରିଥିଲେ । ସେ କହିଥିଲେ ଯେ, ଯୋଡା ପୌରପାଳିକା ଜନସାଧାରଣଙ୍କୁ ସୂଚାରୁରୂପରେ ମୌଳିକ ସେବା ଗୁଡିକୁ ପ୍ରଦାନ କରିଆସୁଛି , ଅଂଚଳରେ ୩୦୭୮ ଜଣଙ୍କୁ ବାର୍ଦ୍ଧକ୍ୟ , ବିକଳାଙ୍ଗ ଓ ବିଧବା ଭତା ପ୍ରଦାନ କରାଯାଇଛି, ଖାଦ୍ୟ ସୁରକ୍ଷା ଯୋଜନାରେ ୬୯୯୯ ଜଣ ସାମିଲ ହୋଇଛନ୍ତି, ସରକାରୀ ଜାଗାରେ ବସବାସ କରିଥିବା ଭୂମିହୀନମାନଙ୍କୁ ଯଥାଶୀଘ୍ର ପଟା ପ୍ରଦାନ କରାଯିବାର ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ଏହାର ସହଯୋଗ କରିବା ପାଇଁ ସେ ଅଂଚଳବାସୀଙ୍କୁ ନିବେଦନ କରିଥିଲେ । ସହରରେ ରାସ୍ତା ଓ ଆଲୋକୀକରଣ ବ୍ୟବସ୍ଥା ହୋଇଛି, ଯୋଡା ସହରକୁ ପଲିଥିନ୍ ମୁକ୍ତ କରିବା ପାଇଁ ଯଥାସମ୍ଭବ ଉଦ୍ୟମ କରାଯାଉଛି । ବିଭିନ୍ନ ଓାର୍ଡର ସାହି, ବସ୍ତି ଅଂଚଳ କୁ ପାନୀୟ ଜଳଯୋଗାଣର ବ୍ୟବସ୍ଥା କରାଯାଇଛି ଓ ଆବାସ ଯୋଜନାରେ ୩୯୪ ଜଣ ସାମିଲ ହୋଇଥିବା ବେଳେ ୧୦୦ ଜଣ ହିତାଧିକାରୀ ସେମାନଙ୍କର ଘର ନିର୍ମାଣ ସମ୍ପୂର୍ଣ୍ଣ କରିଥିବା ପ୍ରଭୃତି ପୌରପାଳିକାର କାର୍ଯ୍ୟ ଉପରେ କାର୍ଯ୍ୟନିର୍ବାହୀ ଅଧିକାରୀ ପାଟ୍ଟଯୋଶୀ ବାର୍ଷିକ ବିବରଣୀରେ କହିଥିଲେ । ମୁଖ୍ୟ ଅତିଥି ଚନ୍ଦ୍ରାଣୀ ମୁର୍ମୁ ତାଙ୍କ ଅଭିଭାଷଣରେ କହିଥିଲେ ଯେ, ଅଂଚଳବାସୀ ଯେଉଁ ଦାୟିତ୍ୱ ଦେଇଛନ୍ତି , ତାହାକୁ ସେ ମିଳିତ ଭାବେ କାର୍ଯ୍ୟ କରି ଅଂଚଳର ବିକାଶ କରିବେ ଏବଂ କେବଳ ପ୍ରଶାସନ ଚାହିଁଲେ ହେବ ନାହିଁ, ଅଂଚଳର ବିକାଶ ପାଇଁ ପ୍ରତ୍ୟେକ ବ୍ୟକ୍ତିଙ୍କ ଗୁରୁ ଦାୟିତ୍ୱ ରହିଛି ବୋଲି ସେ କହିଥିଲେ । ଚମ୍ପୁଆ ବିଧାୟିକା ମୀନାକ୍ଷୀ ମହାନ୍ତ ତାଙ୍କ ଅଭିଭାଷଣରେ କହିଥିଲେ ଯେ, ସହରବାସୀମାନେ ଅଂଚଳକୁ ସ୍ୱଛ ରଖିବା ସହ ଅନ୍ୟମାନଙ୍କୁ ସଚେତନ କରାଇବା ଏବଂ ବୃକ୍ଷରୋପଣ କରିବା ସହିତ ଗଛର ଯତ୍ନ ନେବା ପାଇଁ ସେ କହିଥିଲେ । ସେ ଆହୁରି ମଧ୍ୟ କହିଥିଲେ ଯେ, ସରକାର ଓ ପ୍ରଶାସନ ଯେଉଁ ପଦକ୍ଷେପ ନେବେ ସେଥିରେ ସାଧାରଣ ଜନତାଙ୍କ ସହଯୋଗ ନିହାତି ଆବଶ୍ୟକ ରହିଛି ବୋଲି ନିଜ ଅଭିଭାଷଣରେ କହିଥିଲେ । ସଭାରେ ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ଅର୍ଜନ କରିଥିବା ବିଭିନ୍ନ ବିଦ୍ୟାଳୟର ଛାତ୍ରୀଛାତ୍ରଙ୍କୁ ପୁରସ୍କୃତ କରାଯିବା ସହିତ ପୌରପାଳିକାର ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟରେ ଉଲ୍ଲେଖନୀୟ ଅବଦାନ ପାଇଁ ପୌର କର୍ମଚାରୀ ମାନଙ୍କୁ ଅତିଥିମାନଙ୍କ ଦ୍ୱାରା ସମ୍ମାନୀତ କରାଯାଇଥିଲା । ଯୋଡା ସହରର ଉନ୍ନତି କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ପୂର୍ବତନ ଚମ୍ପୁଆ ବିଧାୟକ ଜିତୁ ପଟ୍ଟନାୟକ , ପୌରପାଳିକାର ପୂର୍ବତନ ଅଧ୍ୟକ୍ଷ ଆର.କେ ଦାସ, ଓ ପୂର୍ବତନ ଅଧ୍ୟକ୍ଷ କରୁଣାକର ପାତ୍ର ଙ୍କୁ ସମ୍ମାନୀତ କରାଯାଇଥିଲା । ବିଭିନ୍ନ ବିଦ୍ୟାଳୟର ଛାତ୍ରୀଛାତ୍ରମାନଙ୍କ ଦ୍ୱାରା ଆକର୍ଷଣୀୟ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ଶିକ୍ଷୟତ୍ରୀ ଆଭାରାଣୀ ବଳ ମଂଚ ସଂଯୋଜନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ