ଯୋଡା ପୌରାଞ୍ଚଳରେ ସେପ୍ଟେଜ ଟ୍ରିଟମେଣ୍ଟ ପ୍ଲାଣ୍ଟର ଭିତ୍ତିପ୍ରସ୍ତର ସ୍ଥାପନ

ଯୋଡ଼ା, (ସମୀର କୁମାର ଦାସ): କେନ୍ଦୁଝର ଜିଲ୍ଲା ଯୋଡା ପୌରାଞ୍ଚଳର ୬ନଂ ୱାର୍ଡ ବାଚୁହାଟିଂ ଠାରେ ପୌରପାଳିକା ପକ୍ଷରୁ ୨୦କେ.ଏଲ.ଡି କ୍ଷମତା ବିଶିଷ୍ଟ ଏକ ସେପ୍ଟେଜ ଟ୍ରିଟମେଣ୍ଟ ପ୍ଲାଣ୍ଟର ଶୁଭ ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି । ଏହି ଟ୍ରିଟମେଣ୍ଟ ପ୍ଲାଣ୍ଟ ଯୋଡା ସହରର ସମସ୍ତ ଘରର ସେଫ୍ଟି ଟ୍ୟାଙ୍କରୁ ନିଷ୍କାସିତ ମଇଳାକୁ ବିଶୋଧନ କରାଯାଇ ସ୍ୱଚ୍ଛ ଓ ସୁନ୍ଦର ପରିବେଶ ସୃଷ୍ଟି କରିବା ନିମନ୍ତେ ପୌରପାଳିକା ପକ୍ଷରୁ ଏହା କରାଯାଇଛି । ରାଜ୍ୟ ସରକାରଙ୍କ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ,ରାଜ୍ୟ ଜଳଯୋଗାଣ ବିଭାଗ ଏବଂ ସ୍ୱରେଜ ବୋର୍ଡ ଆନୁକୂଲ୍ୟରେ ଓଡିଶା କନଷ୍ଟ୍ରକସନ କମ୍ପାନୀ (ଓସିସି)କୁ ଟେଣ୍ଡର ମାଧ୍ୟମରେ ୨ କୋଟି ୬୪ ଲକ୍ଷ ୧୭ ହଜାର ଟଙ୍କା ବ୍ୟୟ ଅଟକଳରେ ୧୧ ମାସ ମଧ୍ୟରେ ସମ୍ପୂର୍ଣ୍ଣ କରିବା ପାଇଁ କାର୍ଯ୍ୟାଦେଶ ଦିଆଯାଇଛି । ଏହି ଭିତ୍ତିପ୍ରସ୍ତର ସ୍ଥାପନ ଉତ୍ସବରେ ମୁଖ୍ୟଅତିଥି ଭାବେ ନଗର ଉନ୍ନୟନ ବିଭାଗର ପ୍ରକଳ୍ପ ନିର୍ଦ୍ଦେଶକ ଘାସିରାମ ମୁର୍ମୁ ଯୋଗଦେଇ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ । ଏହି ପ୍ରକଳ୍ପ ହେବା ଦ୍ୱାରା ପୌରାଞ୍ଚଳର ସମସ୍ତ ୱାର୍ଡରେ ସେଫ୍ଟି ଟାଙ୍କିର ମଇଳା ବିଶୋଧନ ହେବା ସହିତ ମାନ୍ୟବର ସର୍ବୋଚ୍ଚ ଅଦାଲତ ଓ ଜାତୀୟ ସବୁଜ ଟ୍ରିବ୍ୟୁନାଲଙ୍କ ଆଦେଶ ପାଳନ ହୋଇପାରିବ ବୋଲି ଯୋଡା ପୌରପାଳିକା କାର୍ଯ୍ୟ ନିର୍ବାହୀ ଅଧିକାରୀ ସୂର୍ଯ୍ୟମଣୀ ପାଟ୍ଟଯୋଶୀ ପ୍ରକାଶ କରିଥିଲେ । ଏହି ଭିତ୍ତିପ୍ରସ୍ତର ସ୍ଥାପନ ଉତ୍ସବରେ ଯୋଡା ପୌରପାଳିକାର ସମସ୍ତ ଅଧିକାରୀ,କର୍ମଚାରୀ,ସ୍ୱଚ୍ଛସାଥୀପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ