ଯୋଡା ବନବାସୀ କ୍ଷେତ୍ରରେ ଦେବସ୍ନାନ ପୂର୍ଣ୍ଣିମା : ରତ୍ନବେଦୀ ଛାଡି ସ୍ନାନବେଦୀରେ ଦର୍ଶନ ଦେଲେ ଚତୁର୍ଦ୍ଧାବିଗ୍ରହ
ଯୋଡା, (ସମୀର କୁମାର ଦାସ) :-ପାରମ୍ପାରିକ ରୀତିନୀତି ପ୍ରକାରେ ଯୋଡା ବନବାସୀ କ୍ଷେତ୍ରରେ ପୂର୍ବ ବର୍ଷ ମାନଙ୍କ ଭଳି ଚଳିତ ବର୍ଷ ମଧ୍ୟ ଏକ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ଚତୁର୍ଦ୍ଧା ବିଗ୍ରହଙ୍କ ଦେବସ୍ନାନ ପୂର୍ଣ୍ଣିମା ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି । ଶ୍ରୀଜଗନ୍ନାଥଙ୍କ ବର୍ଷକ ୧୨ଟି ଗୁରୁତ୍ୱପୂର୍ଣ୍ଣ ଯାତ୍ରା ମଧ୍ୟରେ ଏହା ଅନ୍ୟତମ ହୋଇଥିବାରୁ ପୁରୀ ମନ୍ଦିର ଢାଞ୍ଚାରେ ସମାନ ରୀତିନୀତି ଅନୁଯାୟୀ ଯୋଡା ବନବାସୀ କ୍ଷେତ୍ରରେ ଏହି ଉତ୍ସବ ମହାଡମ୍ବରରେ ପାଳନ ହୋଇଥିଲା । ଜ୍ୟେଷ୍ଠ ପୂର୍ଣ୍ଣିମା ସକାଳ ସମୟରେ ଶ୍ରୀଜଗନ୍ନାଥ,ଶ୍ରୀବଳଭଦ୍ର,ଶ୍ରୀ ସୁଭଦ୍ରା ଓ ଚକ୍ରରାଜ ସୁଦର୍ଶନ ମାହାରାଜଙ୍କୁ ଧାଡି ପହଣ୍ଡିରେ ମାର୍ଜନା ପୂର୍ବକ ରତ୍ନବେଦୀରୁ ସ୍ନାନବେଦୀକୁ ବିଜେ କରାଯାଇଥିଲା । ବୈଦିକ ରୀତି ଓ ନୀତି ଅନୁଯାୟୀ ମଙ୍ଗଳ ଆଳତୀ ଓ ମଇଲମ ନୀତି ସମ୍ପନ୍ନ ପରେ ଚତୁର୍ଦ୍ଧା ବିଗ୍ରହଙ୍କ ଷୋଡଶ ଉପଚାରରେ ପୂଜା ସମାହିତ ହୋଇଥିଲା । ଏହାପରେ ସୁଗନ୍ଧିତ ଚନ୍ଦନ ଓ ସୁବାସିତ ଦ୍ରବ୍ୟ ମିଶ୍ରିତ ୧୦୮ କୁମ୍ଭ ଜଳରେ ଚତୁର୍ଦ୍ଧା ମୁର୍ତ୍ତିଙ୍କର ମହାସ୍ନାନ ନୀତି ସମ୍ପନ୍ନ ହୋଇଥିଲା । ପରମ୍ପରା ମୁତାବକ ଶ୍ରୀଜଗନ୍ନାଥଙ୍କୁ ୩୫ କୁମ୍ଭ,ଶ୍ରୀବଳଭଦ୍ରଙ୍କୁ ୩୩ କୁମ୍ଭ,ଶ୍ରୀସୁଭଦ୍ରାଙ୍କୁ ୨୨ କୁମ୍ଭ ଓ ଚକ୍ରରାଜ ସୁଦର୍ଶନ ମାହାରାଜଙ୍କୁ ୧୮ କୁମ୍ଭ ସୁବାସିତ ଜଳରେ ମହାସ୍ନାନ କରାଯାଇଥିଲା । ମହାସ୍ନାନ ପରେ ପରମ୍ପରା ମୁତାବକ ଶ୍ରୀଜୀଉ ଗଜାନନ ବେଶରେ ଭକ୍ତଙ୍କୁ ଦର୍ଶନ ଦେଇଥିଲେ । ମହାସ୍ନାନ ପରେ ଶ୍ରୀଜୀଉ ୧୫ ଦିନ ନିମନ୍ତେ ଅନବସର ଗୃହକୁ ବିଜେ କରିବାର ନୀତି ଥିବାରୁ ଏବଂ ଏହି ଅବସରରେ ଚତୁର୍ଦ୍ଧା ବିଗ୍ରହଙ୍କ ଗୁପ୍ତସେବା ପରମ୍ପରା ଥିବାରୁ ଗଜାନନ ବେଶରେ ମହାପ୍ରଭୁଙ୍କୁ ଦର୍ଶନ ନିମନ୍ତେ ଯୋଡା ଶ୍ରୀଜଗନ୍ନାଥ ମନ୍ଦିରରେ ଭକ୍ତଙ୍କ ସମାଗମ ପରିଲକ୍ଷିତ ହୋଇଥିଲା । ଘଣ୍ଟବାଦ୍ୟ, ହୁଳହୁଳି ଶବ୍ଦରେ ମନ୍ଦିର ମାଳିନୀ ପ୍ରକମ୍ପିତ ହୋଇଉଠିଥିଲା । ଯୋଡା ବନବାସୀ କ୍ଷେତ୍ରର ପୂଜକ ସେବକ ପ୍ରଦୀପ କୁମାର ମିଶ୍ରଙ୍କ ତତ୍ତ୍ୱାବଧାନରେ ଦେବସ୍ନାନ ପୂର୍ଣ୍ଣିମା ନୀତି ସମ୍ପନ୍ନ ହୋଇଥିବାର ସୂଚନାରୁ ପ୍ରକାଶ । ଉତ୍ସବରେ ଶ୍ରୀଜଗନ୍ନାଥ ସେବା ସମିତି ସଭାପତି ଡଃ ଅନୀଲ କୁମାର ଦାସଙ୍କ ସମେତ ଅନ୍ୟ ସଦସ୍ୟ ଉପସ୍ଥିତ ରହିଥିଲେ ।