ଯୋଡା ଯୁଗ୍ମ ଖଣି ନିର୍ଦ୍ଦେଶକ କାର୍ଯ୍ୟାଳୟରେ ବିକ୍ଷୋଭ

ଯୋଡ଼ା (ଯୁଗାବ୍ଦ ନ୍ୟୁଜ)କେନ୍ଦୁଝର ଜିଲା ଯୋଡା ଖଣି ମଣ୍ଡଳରେ ଥିବା କିଛି ବଡ ବଡ ଖଣି କମ୍ପାନୀ ଗୁଡିକର ନିଲାମ ପ୍ରକ୍ରିୟା ଇତିମଧ୍ୟରେ ସରକାରଙ୍କ ପକ୍ଷରୁ ଶେଷ ହୋଇଯାଇଛି । ନିଲାମ ପ୍ରକ୍ରିୟାରେ ବିଭିନ୍ନ ବଡ ବଡ ଖଣି ମଧ୍ୟରେ ଏସେଲ ମାଇନିଂ, ରୁଙ୍ଗଟା , କେଜେଏସ୍ ଆହାଲୁଓାଲିଆ ଆଦି ଖଣି ଗୁଡିକୁ ନୂତନ ଭାବେ ଅନ୍ୟ ବଡ ବଡ କମ୍ପାନୀ ମାନେ ଅକ୍ତିଆର କରିଛନ୍ତି । ଏହି ସବୁ ପୁରୁଣା ଖଣି ଗୁଡିକରେ ପ୍ରାୟ ହଜାର ହଜାର ଶ୍ରମିକ ଓ କର୍ମଚାରୀ କାର୍ଯ୍ୟରତ ଅଛନ୍ତି । ଉକ୍ତ ଖଣି କମ୍ପାନୀ ଗୁଡିକ ଯେହେତୁ ନିଲାମ ପ୍ରକ୍ରିୟାରେ ଭାଗ ନେଇ ପୁନଃ ଖଣି ପାଇବାରେ ଅସମର୍ଥ ହୋଇଛନ୍ତି । ତେଣୁ ସେମାନେ ନିଜ ନିଜ କର୍ମଚାରୀ ଓ ଶ୍ରମିକମାନଙ୍କୁ ଛଟେଇ କରିବା ପାଇଁ ନୋଟିସ ଜାରି କରିଛନ୍ତି । ଅନ୍ୟ ପକ୍ଷରେ ଉକ୍ତ ଖଣି ଗୁଡିକୁ ନିଜ ଅକ୍ତିଆର ରେ ଆଣିଥିବା ନୂତନ ଲିଜ୍‌ଧାରୀମାନେ ପୂର୍ବରୁ ଖଣିରେ କାର୍ଯ୍ୟ କରୁଥିବା ଶ୍ରମିକ ମାନଙ୍କୁ ନିଯୁକ୍ତି ଦେବା ନେଇ ସରକାରଙ୍କ ପକ୍ଷରୁ କୌଣସି ସ୍ପଷ୍ଟ କରାଯାଇନାହିଁ । ଫଳରେ ଯୋଡା ଖଣି ମଣ୍ଡଳରେ କାର୍ଯ୍ୟ କରୁଥିବା ହଜାର ହଜାର ଶ୍ରମିକ ଓ କର୍ମଚାରୀମାନଙ୍କର ଭବିଷ୍ୟତ ଅନ୍ଧକାରମୟ ହୋଇଯାଇଛି । ଯୋଡା ଖଣି ମଣ୍ଡଳରେ ପ୍ରାୟ ଅର୍ଦ୍ଧାଧିକ ଲୋକ ଖଣି ଉପରେ ନିର୍ଭରଶୀଳ , କାରଣ ଖଣି ଖନନ ହେତୁ ଅଂଚଳର ଚାଷ ଜମି କ୍ଷତିଗ୍ରସ୍ଥ ହୋଇଛି । ଏହା ସହିତ ବହୁ ଲୋକଙ୍କର ଚାଷ ଜମିକୁ ଖଣି କମ୍ପାନୀମାନେ ଜବରଦଖଲ କରି ନିଜ କାର୍ଯ୍ୟରେ ଲଗାଇଛନ୍ତି । ପରିବାର ପ୍ରତିପୋଷଣ ପାଇଁ ଖଣିରେ ନିଯୁକ୍ତି ସହିତ ସ୍ଥାନୀୟ ଲୋକେ ଋଣ ନେଇ ଟ୍ରକ ଡମ୍ପର କିଣି ଖଣିର ପରିବହନ କାର୍ଯ୍ୟରେ ଲଗାଇଛନ୍ତି । ଏହି ଟ୍ରକ ଡମ୍ପର ନିୟୋଜିତ ହେବା ଦ୍ୱାରା ହଜାର ହଜାର ଡ୍ରାଇଭର ଓ ହେଲପରଙ୍କ ପରିବାର ମଧ୍ୟ ଭରଣପୋଷଣ ହୋଇପାରୁଛି । ହେଲେ ବଡ ବଡ କମ୍ପାନୀ ଗୁଡିକ ଧୀରେ ଧୀରେ ପାଇପଲାଇନ୍ , ବେଲ୍ଟ ଲାଇନ୍ ଯୋଗୁ ପରିବହନ ଆରମ୍ଭ କରିଥିବାରୁ ଟ୍ରକ ଓ ଡମ୍ପରଗୁଡିକର ମାଲିକଙ୍କ ସମେତ ଡ୍ରାଇଭର ଓ ହେଲପର ମାନେ ମଧ୍ୟ କାର୍ଯ୍ୟହରା ହେବାର ଆଶଙ୍କା ଦେଖାଦେଇଛି । ଆସନ୍ତା ମାର୍ଚ୍ଚ ମାସ ୨୦୨୦ ରୁ ଉକ୍ତ ଖଣିଗୁଡିକ ବନ୍ଦ ହେଲେ ଯୋଡା ଖଣି ମଣ୍ଡଳରେ ବେରୋଜଗାର ସଂଖ୍ୟା ବୃଦ୍ଧି ପାଇବ । ଏହି ଖଣି ଶ୍ରମିକଙ୍କର ସମୂହ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଏଆଇଟିୟୁସି ପକ୍ଷରୁ ସରକାରଙ୍କଠାରେ ଅନେକ ଥର ଦାବି କରାଯାଇଛି । ଏଆଇଟିୟୁସି ନେତୃତ୍ୱରେ ହଜାର ହଜାର ଶ୍ରମିକ ଗତ ଜାନୁଆରୀ ମାସ ୨୦ ତାରିଖରେ ଭୁବନେଶ୍ୱର ସଚିବାଳୟ ଘେରାଉ କରି ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ । ଏହି ଦାବିପତ୍ର ପ୍ରଦାନ କରିବା ସତ୍ୱେ ମଧ୍ୟ ଆଜି ପର୍ଯ୍ୟନ୍ତ ଶ୍ରମିକମାନଙ୍କର ଖଣିରେ ପୁନଃ ନିଯୁକ୍ତି ନେଇ ସରକାରଙ୍କ ପକ୍ଷରୁ କୌଣସି ସ୍ପଷ୍ଟ ନୀତି ନିର୍ଦ୍ଧାରଣ କରାଯାଇନଥିବାରୁ ନିଷ୍ପତି ନିଆଯାଇନଥିବାରୁ ଏଆଇଟିୟୁସି ପକ୍ଷରୁ ହଜାର ହଜାର ଶ୍ରମିକ ସୋମବାର ପୂର୍ବାହ୍ନ ୧୧.୩୦ ମିନିଟ୍ ସମୟରେ କମାରଯୋଡା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରଠାରୁ ଏକ ବିଶାଳ ରାଲିରେ ବାହାରି ଯୋଡା ଯୁଗ୍ମ ଖଣି ନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟରେ ପହନଚିଥିଲେ ଓ ସେଠାରେ ବିକ୍ଷୋଭ ପ୍ରଦର୍ଶନ କରିବା ସହିତ ପୁନଃ ଏକ ଦାବିପତ୍ର ଯୁଗ୍ମ ଖଣି ନିର୍ଦ୍ଦେଶକଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଦାନ କରିଥିଲେ । ଯୁଗ୍ମ ଖଣି ନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟ ସମୁଖରେ ହୋଇଥିବା ବିକ୍ଷୋଭରେ ଏଆଇଟିୟୁସିର ରାଜ୍ୟ ଉପସାଧାରଣ ସଂପାଦକ ରାମକୃଷ୍ଣ ପଣ୍ଡା ଶ୍ରମିକମାନଙ୍କୁ ଉଦବୋଧନରେ କହିଥିଲେ ଯେ, ରାଜ୍ୟ ସରକାର ଏବେ ଖଣିକୁ ନିଲାମ କରୁଛନ୍ତି, ବଡ ବଡ ଖଣି ଗୁଡିକ ନୂଆ ମାଲିକଙ୍କ ହାତକୁ ଯାଉଛି । ସରକାର ଏ ଅଂଚଳରୁ ହଜାର ହଜାର କୋଟି ଟଙ୍କା ରାଜସ୍ୱ ପାଉଛନ୍ତି , ହେଲେ ଖଣିରେ ଦୀର୍ଘ ବର୍ଷ ଧରି କାର୍ଯ୍ୟ କରୁଥିବା ଏଅଂଚଳର ଶ୍ରମିକମାନଙ୍କୁ ଖଣିରେ ପୁନଃ ନିଯୁକ୍ତି ନେଇ କୌଣସି ସ୍ପଷ୍ଟ କରୁନାହାନ୍ତି । ଏଥିଯୋଗୁ ଖଣିରେ ଦୀର୍ଘବର୍ଷ ଧରି ପ୍ରତ୍ୟକ୍ଷ ଓ ପରୋକ୍ଷଭାବେ ଜିବୀକା ନିର୍ବାହ କରୁଥିବା ସ୍ଥାନୀୟ ଲୋକେ ଆଜି ଆତଙ୍କିତ ଅବସ୍ଥାରେ ରହିଛନ୍ତି । ତେଣୁ ଆଗାମୀ ଦିନରେ ଖଣି ଶ୍ରମିକ ଓ କର୍ମଚାରୀମାନଙ୍କୁ ଖଣିରେ ପୁନଃ ନିଯୁକ୍ତି ନମିଳିଲେ ଖଣି କାର୍ଯ୍ୟ ସମ୍ପୂର୍ଣ୍ଣ ବନ୍ଦ ରହିବ ଏବଂ ଏଠାକାର ଖଣି ବନ୍ଦ ରହିଲେ ରାଜ୍ୟର ଅର୍ଥନୀତି ଉପରେ ନକରାତ୍ମକ ପ୍ରବାବ ପକାଇବ । ଏଣୁ ରାଜ୍ୟ ସରକାର ଏ ଦୁର୍ଦ୍ଦିନ ଦେଖିବା ପୂର୍ବରୁ ଏଠାକାର ଶ୍ରମିକ ଓ କର୍ମଚାରୀମାନଙ୍କୁ ଖଣିରେ ପୁନଃ ନିଯୁକ୍ତି ନେଇ ସ୍ପଷ୍ଟ କରନ୍ତୁ ବୋଲି ସେ କହିଥିଲେ । ସେହିପରି ରାଜ୍ୟ ସଂପାଦକ ମହେଶ୍ୱର ରାଉତ କହିଥିଲେ ଯେ, ସରକାର କରିଥିବା ନିଲାମ ପ୍ରକ୍ରିୟାରେ ଖଣି କମ୍ପାନୀ ଗୁଡିକ ଅଦ୍ଦୁତ ରେଟ୍ ଦେଇ ଖଣି ହାତେଇଛନ୍ତି । ତେଣୁ ଶତପ୍ରତିଶତ ଉପରେ ଡାକ ଦେଇ ଖଣି ହାତେଇଥିବା କମ୍ପାନୀଗୁଡିକ ସ୍ଥାୟୀ ଭାବେ ଖଣି ଚାଲୁକରିବା ନେଇ ଶ୍ରମିକମାନଙ୍କ ମଧ୍ୟରେ ଆଶଙ୍କା ସୃଷ୍ଟି ହୋଇଛି । ଏହାଦ୍ୱାରା ଖଣି ଚୋରି ହେବାର ସମ୍ଭାବନା ଅଧିକ ରହିଛି । ତେଣୁ କୌଣସି ଖଣି ଏଥି ଯୋଗୁ ବନ୍ଦ ନହେବା ଦିଗରେ ସରକାର ସ୍ପଷ୍ଟନୀତି ଆଣନ୍ତୁ ଏବଂ ସରକାର ନୂତନ ଲିଜ୍‌ଧାରୀମାନଙ୍କୁ ଡାକି ଖଣିରେ ପୂର୍ବରୁ କାର୍ଯ୍ୟକରୁଥିବା ଶ୍ରମିକମାନଙ୍କର ପୁନଃ ନିଯୁକ୍ତି ବାଧ୍ୟତାମୂଳକ କରନ୍ତୁ ବୋଲି ସେ କହିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ