ଯୌତୁକ ନିର୍ଯ୍ୟାତିତା ନ୍ୟାୟ ଅପେକ୍ଷାରେ!
ବାଲେଶ୍ୱର : ଚଳିତ ନିର୍ବାଚନ ପ୍ରଚାରରେ ନାରୀକୁ ସମ୍ମାନ ଓ ସୁରକ୍ଷା ଦିଗରେ ରାଜ୍ୟ ସରକାର ପ୍ରମୁଖ ଭୂମିକା ଗ୍ରହଣ କରୁଛି ବୋଲି ଖୋଦ୍ ମୁଖ୍ୟମନ୍ତ୍ରୀ ବିଭିନ୍ନ ନିର୍ବାଚନ ସଭାରେ ଭାଷଣବାଜୀ ମାରୁଥିଲା ବେଳେ ଜୈନିକ ମହିଳା ନ୍ୟାୟ ନପାଇ ନିର୍ଯ୍ୟାତିତ ହେଉଥିବା ଘଟଣା ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି । ଖବରରୁ ଜଣାପଡିଛି ବସ୍ତା ଥାନା ଅନ୍ତର୍ଗତ ବଇଁଚା ପତ୍ରଝଡା ଗ୍ରାମର ରମାକାନ୍ତ ସାହୁଙ୍କ ପୁଅ ସୁଜିତ ସାହୁ ରୁପ୍ସା ଥାନା ଅଧୀନସ୍ଥ ବାମଡା ଲକ୍ଷ୍ମୀନାରାୟଣ ମନ୍ଦିରରେ ରବିନ୍ଦ୍ର ଜେନାଙ୍କ କନ୍ୟା ସସ୍ମିତାଙ୍କୁ ବିବାହ କରିଥିଲେ । ବିବାହ ପରଠାରୁ ଶ୍ୱଶୁର ଘର ଲୋକେ ସ୍ୱାମୀ ସୁଜିତ, ଶ୍ୱଶୂର ରମାକାନ୍ତ, ଶାଶୁ ସୁନୀତା, ନଣନ୍ଦ ଜ୍ୟୋତିର୍ମୟୀ, ଦିଅର ଅଜିତ୍, ଆଇଶାଶୁ ଶାନ୍ତିଲତା, ଧରମ ମାମୁ ମାନସ ବେହେରା ପ୍ରମୁଖ ମିଳିତ ଭାବେ ସସ୍ମିଙ୍କୁ ଅଧିକ ଯୌତୁକ ଦାବି କରିବା ସହିତ ଗତ ୩.୦୪.୨୦୧୯ରେ ମରଣାତ୍ମକ ଆକ୍ରମଣ କରିଥିଲେ । ପୀଡିତା ସସ୍ମିତାକୁ ଘରେ ପୁରାଇ ନିସ୍ତୁକ ମାଡ ମାରିଥିଲେ । ଖବର ପାଇ ସସ୍ମିତାର ପିତା ମାତା କନ୍ୟାକୁ ଉଦ୍ଧାର କରିଥିଲେ । ଏହାପରେ ବସ୍ତା ଥାନାରେ ଏ ବାବଦରେ ଅଭିଯୋଗ କରିବା ପରେ ଥାନାଧିକାରୀ ଘଟଣାସ୍ଥଳରେ ପହଞ୍ଚି ରକ୍ତାକ୍ତ ଅବସ୍ଥାରେ ସସ୍ମିତାକୁ ଉଦ୍ଧାର କରି ଡାକ୍ତରୀ ଚିକିତ୍ସା କରାଇଥିଲେ । ଏହାପରେ କେସ ନଂ ୯୨/୨୦୧୯ ଦଫା ୪୯୮(କ), ୩୨୩, ୫୦୬, ୩୪ ଆଇ.ପି.ସି ଓ ଧାରା ୪ ଡି.ପି. ଏକ୍ଟ ମୂଳେ ମାମଲା ରୁଜୁ କରିଥିଲେ । ବାସ୍ତବରେ ଏହା ଏକ ଯୌତୁକ ଜନିତ ବଧୁ ନିର୍ଯ୍ୟାତନା ହେଲେ ମଧ୍ୟ ଏପରି ଅମାନୁଷିକ କାଣ୍ଡ ପାଇଁ ୩୦୭ ଦଫା ଲଗା ନଯାଇ ଅଭିଯୁକ୍ତଙ୍କୁ ସୁରକ୍ଷା ଦେଉଥିବାର ସାଧାରଣରେ ଚର୍ଚ୍ଚା ହେଉଛି । ସୂଚନାଯୋଗ୍ୟ ଯେ, ଅଭିଯୁକ୍ତମାନେ ଚମଡା ବ୍ୟାଲ୍ଡ, ମୁଥ ମାରି ମୁଣ୍ଡ ଫଟାଇବା, କାନ୍ଥରେ କୁଟି ଦେବା, ରକ୍ତାକ୍ତ ଅବସ୍ଥା କରିଦେବା ଏବଂ ବିଷ ପିଆଇ ଜୀବନରୁ ମାରିଦେବା ଓ ପରିବାରକୁ ନିଶ୍ଚିହ୍ନ କରିଦେବା ପାଇଁ ବାରମ୍ବାର ଧମକ ଦେଉଥିଲେ ବି ପୋଲିସ କୋହଳ ଦଫା ଲଗାଇଥିବା ଅଭିଯୋଗ ହୋଇଛି । ସୂଚନାଯୋଗ୍ୟ ଯେ, ସ୍ୱାମୀ ସୁଜିତ ସାହୁ ଯିଏକି ସସ୍ମିତା ଜେନାଙ୍କୁ ମିଥ୍ୟା ପ୍ରତିଶୃତି ଦେଇ ୨୬.୦୯.୨୦୧୭ ରେ ଅପହରଣ କରିନେବା ଯୋଗୁଁ ସସ୍ମିତାଙ୍କ ପିତା ରବିନ୍ଦ୍ର ଜେନା ସହଦେବଖୁଣ୍ଟା ଥାନାରେ ଅଭିଯୋଗ କରିଥିଲେ । ମୋବାଇଲ ଟ୍ରାକିଂ ମାଧ୍ୟମରେ ସୁଜିତ୍ ସାହୁଙ୍କୁ ଧରାଯାଇଥିଲା । ପରେ ସେମାନେ ହିନ୍ଦୁ ବୈଦିକ ରୀତି ଅନୁଯାୟୀ ରୁପ୍ସା ଥାନା ଅଧୀନ ବାମଡା ଲକ୍ଷ୍ମୀନାରାୟଣ ମନ୍ଦିରରେ ବିବାହ କରିଥିଲେ । ଶ୍ୱଶୁରଘର ପରିବାରର ଦାବି ମୁତାବକ ସମସ୍ତ ଯୌତୁକ ଝିଅ ଘର ପକ୍ଷରୁ ଦିଆଯାଇଥିଲା । ଏଠାରେ ପ୍ରଶ୍ନ ଉଠୁଛି ଯେ ଯଦି ପୋଲିସ ବିଭାଗର କୌଣସି ବ୍ୟକ୍ତିଙ୍କ ଝିଅକୁ ଏଭଳି ମରଣାନ୍ତକ ଆକ୍ରମଣ କରାଯାଇଥାଏ, ତେବେ ସେ କଣ ମାମଲା ରୁଜୁ ହେଲେ ଦଫା କୋହଳ କରିଥାନ୍ତେ କି? କାରଣ ବସ୍ତା ଥାନାରେ ଥାନାଧିକାରୀଙ୍କ ବିରୁଧରେ ବାରମ୍ବାର ଅଭିଯୋଗ ହେଉଥିବା ନଜୀର ରହିଛି । ତେଣୁ ଏହି ଘଟଣାର ବିଧିବଦ୍ଧ ତଦନ୍ତ ହୋଇ ଅଭିଯୁକ୍ତମାନଙ୍କୁ ଗିରଫ ପାଇଁ ଦାବୀ ହେଉଛି ।