ଯୌତୁକ ପାଇଁଁ ଶାରିରୀକ ନିର୍ଯ୍ୟାତନା ଦେଉଥିଲେ ସ୍ୱାମୀ
ଦିଗପହଣ୍ଡି, (ଯୁଗାବ୍ଦ ନ୍ୟୁଜ):ଦିଗପହଣ୍ଡି ପୋଲିସ ଶନିବାର ପୁରୁଷୋତ୍ତମପୁର ଥାନା ଗଙ୍ଗାଦହଣି ଗ୍ରାମର ତୋଫାନ ଭୁଁୟା ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି।ଥାନା ମାମଲା ନଂ.୨୫୮/୨୨ ଦଫା – ୪୯୮(କ)/୩୦୪(ଖ)/୩୦୬ ଏବଂ ଯୌତୁକ ନିରୋଧ ଆଇନର ଧାରା ୪ ଅନୁଯାୟୀ ଜାମିନ ଆବେଦନ ନାମଞ୍ଜୁର ହେବାରୁ ଅଭିଯୁକ୍ତଙ୍କୁ ଦିଗପହଣ୍ଡି ସବ୍ ଜେଲ ହାଜତକୁ ପଠାଇ ଦିଆଯାଇଛି। ପୋଲିସ ସୂଚନା ପ୍ରକାରେ ଦିଗପହଣ୍ଡି ଥାନା ମଳାଭଞ୍ଜା ଗ୍ରାମର ସ୍ବର୍ଗତ କୈଳାସ ସାହୁ ଙ୍କ କନ୍ୟା ମମତା ସାହୁ ପୁରୁଷୋତ୍ତମପୁର ଥାନା ଗଙ୍ଗାଦହଣି ଗ୍ରାମର ସ୍ବର୍ଗତ ବିଜୁଳି ଭୂୟାଁ ଙ୍କ ପୁଅ ତୋଫାନ ଙ୍କୁ ଗତ ୨୦୧୭ ମେ ୪ ତାରିଖରେ ବିବାହ କରିଥିଲେ। ବିବାହ ସମୟରେ ସ୍ଵାମୀ ଓ ଶ୍ୱଶୁର ଘର ଲୋକଙ୍କ ଦାବି ପ୍ରକାରେ ନଗଦ ୫୦ ହଜାର ଟଙ୍କା,ସୁନା ଚେନ,ସୁନା ମୁଦି ଏବଂ ଅନ୍ୟାନ୍ୟ ସମସ୍ତ ଘରକରଣା ଯୌତୁକ ଆକାରରେ ଉପହାର ସ୍ବରୂପ ଦିଆଯାଇଥିଲା। ବିବାହ ପରଠାରୁ ଅଧିକା ଯୌତୁକ ନିମନ୍ତେ ମମତା ଙ୍କୁ ସ୍ଵାମୀ ଓ ଶ୍ୱଶୁର ଘର ଲୋକେ ଉଭୟ ଶାରିରୀକ ଓ ମାନସିକ ନିର୍ଯ୍ୟାତନା ଦେଇ ଆସୁଥିଲେ। ପରେ ସ୍ଵାମୀ ମମତା ଙ୍କୁ କୌଶଳ କ୍ରମେ ମୁମ୍ବାଇ ନେଇ ଚାଲିଯାଇଥିଲେ। ଗତ ୨୦୨୨ ଜୁଲାଇ ୧୭ ତାରିଖ ପୂର୍ବାହ୍ନ ପ୍ରାୟ ୧୧ ଟାରେ ସ୍ଵାମୀ ତୋଫାନ ତାଙ୍କ ଶାଶୁ ଙ୍କୁ ଫୋନ କରି ମମତା ଆତ୍ମହତ୍ୟା କରିଥିବା କହିଥିଲେ। ଏଥିରେ ସେ ସନ୍ଦେହ କରି ମୁମ୍ବାଇ ରେ ରହୁଥିବା ମମତାଙ୍କ ସମ୍ପର୍କୀୟ ମାନଙ୍କୁ ପଚରା ଉଚୁରା କରିବାରୁ ତୋଫାନ ମମତା ଙ୍କୁ ହତ୍ୟା କରିଥିବା ସୂଚନା ମିଳିଥିଲା। ମମତା ଙ୍କ ମାଆ ଶୋଭା ସାହୁ ଦିଗପହଣ୍ଡି ଥାନାରେ ପହଞ୍ଚି ଏତଲା ଦେଇଥିଲେ। ପୋଲିସ ଏତଲା କୁ ଭିତ୍ତିକରି ମକଦ୍ଦମା ରୁଜୁ କରିବା ସହ ତଦନ୍ତ ଚଳାଇଥିଲେ। ମୁମ୍ବାଇ ସ୍ଥିତ ବିନୋବା ଭାବେ ନଗର ପୋଲିସ ମୃତଦେହ ଜବତ କରି ଅପମୃତ୍ୟୁ ମାମଲା ନଂ.୪୫/୨୨ ଅନୁଯାୟୀ ମକଦ୍ଦମା ରୁଜୁ କରିଥିବା ଜଣାପଡ଼ିଥିଲା। ଦିଗପହଣ୍ଡି ପୋଲିସ ମମତା ଏବଂ ତୋଫାନ ଙ୍କ ବିବାହ ସମୟର ଫଟୋ ଏବଂ ଯୌତୁକ ସାମଗ୍ରୀ ର ତାଲିକା ଜବତ କରିଛନ୍ତି। ଖୁବ୍ ଶୀଘ୍ର ଦିଗପହଣ୍ଡି ପୋଲିସ ର ଏକ ଟିମ୍ ମୁମ୍ୱାଇ ଯାଇ ସେଠାକାର ଅପମୃତ୍ୟୁ ମାମଲାର କାଗଜପତ୍ର ଏବଂ ମମତା ଙ୍କ ବ୍ୟବଚ୍ଛେଦ ରିପୋର୍ଟ ସଂଗ୍ରହ କରିବ ବୋଲି ଆଇ ଆଇ ସି ଦୀପ୍ତି ରଞ୍ଜନ ବେହେରା କହିଛନ୍ତି।