ଯୌତୁକ ପାଇଁ ବଧୂହତ୍ୟା ଅଭିଯୋଗ, ସ୍ୱାମୀ ଅଟକ
ହିଞ୍ଜିଳିକାଟୁ, (ୱାଇଏନଏସ): ଯୌତୁକ ଦେବା ଓ ନେବା ଏକ ସାମାଜିକ ଅପରାଧ । ହେଲେ ଯୌତୁକ ଲୋଭୀ କିଛି ମଣିଷ କିଛି ଅଧିକ ଯୌତୁକ ଲୋଭରେ ସାତ ଜନ୍ମ ପାଇଁ ଅଗ୍ନିକୁ ସାକ୍ଷୀ ରଖି ବିବାହ କରିଥିବା ସ୍ତ୍ରୀକୁ ହତ୍ୟା କରିବାକୁ ପଛାଉନାହିଁ । ଏଭଳି ଏକ ଘଟଣା ସୋମବାର ଗଞ୍ଜାମ ଜିଲ୍ଲା ହିଞ୍ଜିଳି ଥାନା ଅଂଚଳରେ ଘଟିଛି । ଅଧିକ ୫୦ ହଜାର ଟଙ୍କା ଯୌତୁକ ଦାବୀ କରି ପରିଶେଷରେ ସ୍ତ୍ରୀକୁ ହତ୍ୟା କରିଥିବା ଘଟଣା ସ୍ଥାନୀୟ ଅଂଚଳରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ସାଜିଛି । ପ୍ରକାଶ ଯେ, ଗତ ୨୦୧୯ ମସିହାରେ ହିଞ୍ଜିଳିକାଟୁ ପୌରାଂଚଳ ଆଙ୍କୋରଡ଼ା ଗ୍ରାମର ବାଂଛା ସେଠି ଘରେ ପ୍ରଥମ ସ୍ତ୍ରୀ ଥିବା ବେଳେ ଛଳନା କରି କେ. ନୁଆଗାଁ ଥାନା ବିଜୟନଗରଗଡ଼ ଗ୍ରାମର ଦଣ୍ଡାସି ସେଠିଙ୍କ ଝିଅ ବାସନ୍ତି (୨୦)ଙ୍କୁ ପ୍ରେମ ଜାଲରେ ଫସାଇବା ପରେ ମନ୍ଦିରରେ ଫୁଲମାଳ ବଦଳ କରି ବିବାହ କରିଥିଲେ । ଦିଲ୍ଲିପଙ୍କ ପ୍ରଥମ ସ୍ତ୍ରୀ ଲକ୍ଷ୍ମୀ ଘରେ ଥିବା ବେଳେ ଦିଲ୍ଲିପ ୨ୟ ସ୍ତ୍ରୀଙ୍କୁ ଗ୍ରାମର କେନାଳ ସାହିରେ ଭଡ଼ା ସୁତ୍ରରେ ଏକ ଘରେ ରଖିଥିଲେ । ଗତ କିଛି ଦିନ ପୂର୍ବେ ଦିଲ୍ଲିପ ୨ୟ ସ୍ତ୍ରୀ ବାସନ୍ତିଙ୍କୁ ନିଜ ଘରକୁ ଆଣିଥିଲେ । ଘରକୁ ଆସିବା ପରେ ବାସନ୍ତିଙ୍କ ଉପରେ ଅଧିକ ୫୦ ହଜାର ଟଙ୍କା ଯୌତୁକ ଦାବୀ କରି ଆରମ୍ଭ ହୋଇଥିଲା ଶାରୀରିକ ଓ ମାନସିକ ଅତ୍ୟାଚାର । ଘଟଣା ନେଇ ବାସନ୍ତି ବାପା’ଙ୍କୁ ଜଣାଇବା ପରେ ୫୦ ହଜାର ଟଙ୍କା ଦେବାକୁ ସକ୍ଷମ ନୁହଁନ୍ତି ବୋଲି କହିଥିଲେ । ପରେ ସେମାବାର ଭୋରରୁ ଦିଲ୍ଲିପଙ୍କ ପରିବାର ଲୋକେ ମିଶି ବାସନ୍ତିଙ୍କୁ ହତ୍ୟା କରି ଘର ଭିତରେ ଝୁଲାଇ ଆତ୍ମହତ୍ୟା କରିଥିବା ନେଇ ବାସନ୍ତିଙ୍କ ଘରକୁ ଖବର ଦେଇଥିଲେ । ଶଶୁର ଘର ଲୋକେ ଏହାକୁ ଆତ୍ମହତ୍ୟା କହୁଥିବା ବେଳେ ବାପା ଘର ଲୋକେ ଅଧିକ ୫୦ ହଜାର ଟଙ୍କା ଯୌାତୁକ ଦାବୀ କରି ହତ୍ୟା କରିଥିବା ନେଇ ବାସନ୍ତିଙ୍କ ବାପା ଦଣ୍ଡାସି ହିଞ୍ଜିଳି ଥାନାରେ ଅଭିଯୋଗ କରିଛନ୍ତି । ଖବର ପାଇ ହିଞ୍ଜିଳି ପୁଲିସ ଘଟଣା ସ୍ଥଳରେ ପଂହଚି ମହିଳାଙ୍କ ଝୁଲନ୍ତା ଶବକୁ ଜବତ କରିଛି । ଏ ନେଇ ହିଞ୍ଜିଳି ଥାନରେ ନଂ- ୧୬୦/ ୨୦ରେ ଏକ ମାମଲା ରୁଜୁ କରି ଶବକୁ ବ୍ୟବଛେଦ ସକାଶେ ବ୍ରହ୍ମପୁର ବଡ଼ ଡ଼ାକ୍ତରଖାନାକୁ ପଠାଇ ଘଟଣାର ତଦନ୍ତ ଚଳାଇଛି । ହତ୍ୟା ଅଭିଯୋଗରେ ବାସନ୍ତିଙ୍କ ସ୍ୱାମୀ ଦିଲ୍ଲିପଙ୍କୁ ପୁଲିସ ଥାନାରେ ଅଟକ ରଖି ଘଟଣାର ତଦନ୍ତ ଚଳାଇଥିବା ଥାନା ଭାରପ୍ରାପ୍ତ ଅଧିକାରୀ ଅଭିମନ୍ୟୁ ଦାସଙ୍କ ଠାରୁ ପ୍ରକାଶ