ଯୌତୁକ ପାଇଁ ବଧୂ ହତ୍ୟା ଅଭିଯୋଗ : ସ୍ୱାମୀ ଗିରଫ
ହିଞ୍ଜିଳିକାଟୁ,(ଯୁଗାବ୍ଦ ନ୍ୟୁଜ): ଅଧିକ ଯୌତୁକ ଦାବି କରି ଶଶୁର ଘର ଲୋକେ ଜଣେ ବଧୂଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଛି । ଏଭଳି ଏକ ଘଟଣା ଶୁକ୍ରବାର ସନ୍ଧ୍ୟାରେ ହିଂଜିଳି ଥାନା କୋଳିଦାସପୁର ଗ୍ରାମରେ ଘଟିଛି । ହିଂଜିଳି ଥାନା କୋଳିଦାସପୁର ଗ୍ରାମର ଗୁରା ଦାସଙ୍କ ପୁଅ କୁମର ଦାସ (୩୦) ସହ ସ୍ଥାନୀୟ ଥାନା ଚାନ୍ଦୁଲି ଗ୍ରାମର କବିରାଜ ଦାସଙ୍କ ଝିଅ ଲିଲି (୨୬) ସହ ଗତ ଏପ୍ରିଲ ୨୦୧୭ରେ ବାହାଘର ହୋଇଥିଲା । ବାହାଘର ସମୟରେ ବରଘର ଦାବି ମୁତାବକ ୨୨ ହଜାର ଟଙ୍କା, ଏକ ଭରି ଓଜନର ସୁନା ଚେନ ସହ ଅନ୍ୟାନ ଆସବାବ ପତ୍ର ଝିଅଘର ପକ୍ଷରୁ ପ୍ରଦାନ କରାଯାଇଥିଲା । ବାହାଘରର ୧ ବର୍ଷ ପରେ ଅଧିକ ଯୌତୁକ ଦାବି କରି ଶଶୁର ଘର ପକ୍ଷରୁ ଲିଲିଙ୍କୁ ବହୁଥର ଶାରିରୀକ ଓ ମାନସିକ ନିର୍ଯ୍ୟାତନା ଦିଆଯାଉଥିବା ନେଇ ଝିଅର ମା’ ବନିତା ଅଭିଯୋଗରେ ଦର୍ଶାଇଛନ୍ତି । ଶୁକ୍ରବାର ସନ୍ଧ୍ୟାରେ ଲିଲିଙ୍କ ମୃତ୍ୟୁ ହୋଇଥିବା ନେଇ ଶଶୁର ଘର ପକ୍ଷରୁ କନ୍ୟାପିତାଙ୍କୁ ଫୋନ ଯୋଗେ ଖବର ଦିଆଯାଇଥିଲା । ଖବର ପାଇ ଝିଅର ପରିବାର ସଦସ୍ୟ କୋଳିଦାସପୁର ଗ୍ରାମରେ ପଂହଚି ଝିଅର ମୃତଦେହ ପଡ଼ିଥିବାର ଦେଖି ଅଧିକ ଯୌତୁକ ଦାବି କରି ଶଶୁର ଘର ଲୋକେ ହତ୍ୟା କରିଥିବା ସନ୍ଦେହ କରି ଝିଅର ମା’ ହିଂଜିଳି ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ଭିତିରେ ପୋଲିସ ଘଟଣା ସ୍ଥଳରେ ପଂହଚି ମୃତଦେହକୁ ଜବତ କରିଥିଲେ । ଏ ନେଇ ହିଂଜିଳି ଥାନା ନଂ- ୨୭/୨୦ରେ ଏକ ମାମଲା ରୁଜୁ କରି ଶବକୁ ଜବତ କରି ଶନିବାର ବ୍ୟବଛେଦ ସକାଶେ ବ୍ରହ୍ମପୁର ବଡ଼ ଡ଼ାକ୍ତରଖାନାକୁ ପଠାଇଥିଲେ । ବ୍ୟବଛେଦ ପରେ ଶବକୁ ପରିବାରଙ୍କୁ ହସ୍ତାନ୍ତର କରାଯାଇଛି । ମୃତକଙ୍କ ସ୍ୱାମୀ କୁମରଙ୍କୁ ପୋଲିସ ଥାନାରେ ଅଟକ ରଖି ତଦନ୍ତ କରୁଥିବା ଥାନା ଭାରପ୍ରାପ୍ତ ଅଧିକାରୀ ଅଭିମନ୍ୟୁ ଦାସ କହିଛନ୍ତି ।