ଯୌତୁକ ବଦଳରେ ଲକ୍ଷେ ଟଙ୍କାର ପୁସ୍ତକ ଉପହାର
(ଯୁଗାବ୍ଦ ନ୍ୟୁଜ), ଆଇନ ଅନୁଯାୟୀ ଯୌତୁକ ମାଗିବା ଏକ ଅପରାଧ । ମାତ୍ର ଆମ ସମାଜରେ ଯୌତୁକ ମାଗିବା ଯେପରି ଏକ ପ୍ରଥା ପାଲଟିଛି । ଭାରତରେ ବୋଧହୁଏ ଏମିତି କୌଣସି ଜାଗା ନ ଥିବ ଯେଉଁଠାରେ ଯୌତୁକ ନିଆଯାଉ ନ ଥିବ । ମାତ୍ର ସମାଜରେ ଏମିତି ବି କେତେକ ବ୍ୟକ୍ତି ରହିଛନ୍ତି ଯେଉଁମାନେ ଯୌତୁକ ବିରୋଧରେ । ସେମିତି ଜଣେ ବ୍ୟକ୍ତି ହେଲେ ପଶ୍ଚିମବଙ୍ଗ ମେଦିନାପୁର ନିବାସୀ ସୂର୍ଯ୍ୟକାନ୍ତ ବରିକ । ସୂର୍ଯ୍ୟକାନ୍ତ ପେସାରେ ଜଣେ ଶିକ୍ଷକ । ତାଙ୍କର ବିବାହ ପୂର୍ବ ମେଦିନାପୁରର ପ୍ରିୟଙ୍କାଙ୍କ ସହ ଠିକ୍ ହେଲା । ନିଜ ବିବାହରେ ସୂର୍ଯ୍ୟକାନ୍ତ ଟଙ୍କାଟିଏ ମଧ୍ୟ ଯୌତୁକ ନେବେ ନାହିଁ ବୋଲି ସର୍ତ୍ତ ରଖିଲେ । ମାତ୍ର ଶ୍ୱଶୁର ଘର ଲୋକେ ତାଙ୍କୁ ଏମିତି କିଛି ଉପହାର ଦେଲେ ଯାହାକୁ ଦେଖିବା ପରେ ସେ ଖୁସିରେ ବିଭୋର ହୋଇଗଲେ ।
ସୂର୍ଯ୍ୟକାନ୍ତ ବିବାହ ପାଇଁ ଯେତେବେଳେ ବିବାହ ମଣ୍ଡପରେ ପହଞ୍ଚିଲେ ଶ୍ୱଶୁର ଘର ଲୋକେ ୧ ଲକ୍ଷ ଟଙ୍କାର ପ୍ରାୟ ୧୦ ହଜାର ବହି ତାଙ୍କୁ ଉପହାର ରୂପେ ଦେଲେ । ଯାହାକୁ ଦେଖିବା ପରେ ସୂର୍ଯ୍ୟକାନ୍ତ ପ୍ରଥମେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ, ମାତ୍ର ପରେ ସେ ବହୁତ ଖୁସି ହେଲେ । ଏଥିରେ ରବୀନ୍ଦ୍ରନାଥ ଟାଗୋର, ବଙ୍କିମଚନ୍ଦ୍ର ଚାଟାର୍ଜୀ ଏବଂ ଶରତ ଚନ୍ଦ୍ର ଚଟୋପାଧ୍ୟାୟଙ୍କ ପରି ଲେଖକଙ୍କ ପୁସ୍ତକମାନ ରହିଛି । ସୂର୍ଯ୍ୟକାନ୍ତ କୁହନ୍ତି, ତାଙ୍କ ପାଖରେ ଏତେ ପୁସ୍ତକ ରହିଛି ଯେଉଁଥିରେ ସେ ଏକ ଲାଇବ୍ରେରୀ ମଧ୍ୟ ଖୋଲିପାରିବେ ।


