ଯୌଥ ପରିବାର
ତିନି ପୁଅ ତିନି ବୋହୁ ଓ ତିନି ନାତିଙ୍କୁ ନେଇ ପଟ୍ଟନାୟକ ଦମ୍ପତ୍ତିଙ୍କ ସଂସାର. ତିନି ବୋହୁ ଭିତରେ ତାଳ ମେଳର ଅଭାବ ପିଲାଙ୍କ ଉପରେ ପ୍ରଭାବ ପକାଇବା ଦ୍ୱାରା ଓଁ, ନମ ଓ ଶିବା ତିନିହେଁ ବିପଥଗାମୀ ହୋଇଯାଇଥାନ୍ତି. ଖାନନ୍ଦାନୀ ପରିବାରର ମୁଖ୍ୟ ସୁବ୍ରତ ବାବୁଙ୍କୁ କଷ୍ଟ ହୁଏ. ପଟ୍ଟନାୟକ ବଂଶର ପିଲା ହୋଇ ଜ୍ଞାନ ବୁଦ୍ଧି ବିଦ୍ୟାରେ ପଛୁଆ ରହୁଥିବା ତିନି ନାତିଙ୍କୁ ସେ ବହୁତ ଗପ କୁହନ୍ତି. ସେଥିରେ ତାଙ୍କୁ ତାଙ୍କ ସହଧର୍ମିଣୀ ଅଳକା, ପିଲାମାନଙ୍କ ଜେଜେମା ମଧ୍ୟ ସାହାଯ୍ୟ କରନ୍ତି କିନ୍ତୁ ବାପା ମାନଙ୍କ ଉଦାସୀନତା ଓ ମାଆ ମାନଙ୍କର ଦୁରଦୃଷ୍ଟିହୀନତା ଯୋଗୁଁ ପିଲା ତିନିଜଣଙ୍କ ଭିତରେ କିଛି ପ୍ରତିକ୍ରିୟା ନଥିଲା.ଜେଜେମା ଜେଜେ ହିସାବରେ ଆକଟ କରି କିଛି କହିହେଉନଥିଲା କି ଗାଳି ଦେଇ ହେଉନଥିଲା. ଅଳକା ଓ ସୁବ୍ରତ ଚିନ୍ତାରେ ରହୁଥିଲେ. ପ୍ରଭୁ ଗଣେଷଙ୍କୁ ଡାକୁଥିଲେ. ପ୍ରଭୁ ବିଘ୍ନ ବିନାଶନ ବୁଦ୍ଧିଦାତା ଜ୍ଞାନ କୌଶଳ ପ୍ରଦ୍ୟୋକ୍ତା ପ୍ରଭୁ ବାଟ ବାତାଇ ଦିଅ ପ୍ରଭୁ ଗଜାନନ. ବାମ ଡାହାଣ ଦୁଇ ପଡିଶା ଘରେ ମଧ୍ୟ ନାତି ମାନଙ୍କ ସମସାମୟିକ ବୟସର ପିଲା ଦୁଇଟି ଥାଆନ୍ତି. ଗୋଟିକ ନାମ ସାଇ ଓ ଅନ୍ୟଟି ନାମ ବାବା. ସାଇର ବାପାଙ୍କର ଠେଲା ଚାର୍ଟ ଦୋକାନ. କେବେ କେବେ ନିଜ ଘର ଦାଣ୍ଡଦୁଆରେ ବିକ୍ରୀ କରନ୍ତି ତ କେବେ ବୁଲି ବୁଲି ବିକ୍ରୀ କରନ୍ତି. କିନ୍ତୁ ସେମିତି ଭଲ ବିକ୍ରୀ ହେଉନଥିବାରୁ ମନଦୁଃଖ କରନ୍ତି. ଏତେ ମନଦୁଃଖ ଓ ଅଭାବ ଭିତରେ ସାଇ ଖୁବ ଭଲ ପଢୁଥିବାରୁ ପିତା ମାତା ଏତେ ଦୁଃଖ ଭିତରେ ଶାନ୍ତିରେ ଥାଆନ୍ତି. ଦିନେ ତିନି ନାତିଙ୍କୁ ନେଇ ଗୁପଚୁପ ଓ ଚାର୍ଟ କିଣିଲା ବେଳେ ଜେଜେମାଆଙ୍କ ଆଗରେ ସାଇର ପିତା ମାତା ତାଙ୍କ ଦୁଃଖ କହିବା ସଙ୍ଗେ ସଙ୍ଗେ ତାଙ୍କ ପୁଅ ସାଇକୁ ସ୍କୁଲରେ ସମସ୍ତେ ଭଲପାଆନ୍ତି. ସେ ଗୀତ, ଡ୍ରଇଂ, ରଚନା ଲେଖା, ବକୃତା ସବୁଥିରେ ଫାଷ୍ଟ ହେଉଥିବାରୁ ତାଙ୍କର ଏତେ ଦୁଃଖ ଭିତରେ ସାଇ ହିଁ ସୁଖ ଆଣିଦିଏ. ଏସବୁ କଥା ଶୁଣି ଓଁମ, ନମ ଓ ଶିବା, ତିନିଜଣ ଯାକ ସେଦିନ କିଛି ଭାବିଚିନ୍ତି ହେବା ଦେଖି ଜେଜେ ଗାନ୍ଧୀ, ଗୋପବନ୍ଧୁ, ଚାଚା ଜବାହାର ଲାଲ ନେହେରୁ, ଶାସ୍ତ୍ରୀ ଓ କେତେ କେତେ ଜନନାୟକ ମାନଙ୍କ ଜୀବନ କାହାଣୀ ଶୁଣେଇବାକୁ ଲାଗିଲେ. ଜେଜେମା ମଧ୍ୟ କଇଁଚ ଠେକୁଆ ଗପ ମାଙ୍କଡ଼ କୁମ୍ଭୀର ଗପ କହି ବୁଦ୍ଧି ଓ ବିଦ୍ୟା ମଣିଷ ପାଖରେ ଥିଲେ ସେ ସଫଳତା ପାଇ ପୁରସ୍କୃତ ହୁଏ ଓ ଉପହାର ବାକ୍ସ ପାଏ. ତିନିହେଁ ପ୍ରଶ୍ନ କରନ୍ତି ଆମେ ଭଲ ବୁଦ୍ଧି ଵିଦ୍ୟା ପାଇ ଭଲକାମ କଲେ ଆମକୁ ମଧ୍ୟ ପୁରସ୍କାର ଓ ଉପହାର ବକ୍ସ ମିଳିବ ଜେଜେମା ହଁ ନିଶ୍ଚୟ ତେବେ ଆମକୁ କଣ କରିବାକୁ ହେବ ପଚାରୁଥିଲେ ପିଲା ତିନିହେଁ ତ ଜେଜେମା କହିଲେ ଗଣେଷ ପୂଜା ଦିନ ସ୍ନାନ ସାରି ନୂଆ ପୋଷାକ ପିନ୍ଧି ଗଣେଷ ପୂଜା କଲାବେଳେ ପ୍ରଭୁଙ୍କୁ ଧ୍ୟାନ କରିବ. ଶୁଦ୍ଧ ପୁତ ଚିତ୍ତରେ ପ୍ରଭୁଙ୍କୁ ବିଦ୍ୟା ବୁଦ୍ଧି ମାଗିଲେ ସେ ନିଶ୍ଚୟ ଦେବେ. ତାହା ପୁଣି କେମିତି ଜେଜେମାଆ??ଏଥର ଜେଜେ ଓ ଜେଜେମା ଏପଟ ପଡୋଶୀଙ୍କ ପୁଅ ବାବା କଥା କହୁଥିଲେ. ବାବା ଟିକେ ବଡ଼ ଥିଲା, ତେଣୁ ଜେଜେମା କହୁଥିଲେ ପ୍ରଥମେ ପ୍ରଥମେ ବାବା ଭାଇର ମଧ୍ୟ ପାଠ ମନେ ରହୁନଥିଲା କିନ୍ତୁ ଗଣେଷ ଠାକୁରଙ୍କୁ ଭକ୍ତିରେ, ଶ୍ରଦ୍ଧାରେ, ଅନ୍ତରସହିତ ଧର୍ଯ୍ୟ ଧରି ଧ୍ୟାନ କରିବା ଫଳରେ, ସେ ତାଙ୍କ କ୍ଲାସ ସପ୍ତମରେ ବୃତ୍ତି ପାଇ ଅଷ୍ଟମ ଶ୍ରେଣୀରୁ ନବମକୁ ଗଲେଣି. ପାଠ ଶାଠ ଭଲ ବୋଲି ସମସ୍ତେ ତାକୁ ଭଲ ପାଆନ୍ତି. ଶିଶୁ ଦିବସ ଦିନ ତା ହସ୍ତାକ୍ଷର, ଲିଖନ ପଠନ ଓ ଆବୃତ୍ତି ତଥା ବକ୍ତୃତାରେ ଫାଷ୍ଟ ହୋଇଥିବାରୁ ସାର ଗୁରୁମା ମାନଙ୍କ ସହ କେତେ ଛୋଟ ଭାଇ ଭଉଣୀମାନେ ବାବା ଭାଇଙ୍କୁ ଉପହାର ବକ୍ସ ଦେଇଥିଲେ. ଖାଲି ସେତିକି ନୁହେଁ ଜିଲ୍ଲା ଓ ରାଜ୍ୟସ୍ତରୀୟ ଡ୍ରଇଂ ଓ ବକ୍ତୃତାରେ ଫାଷ୍ଟ ହୋଇ ସେ କେତେ ଉପହାର ବକ୍ସ ପାଇଛି. ତା ପରଠୁ ସାଇ ମଧ୍ୟ ବାବା ଭାଇ ପରି ଗଣେଷ ଠାକୁରଙ୍କୁ ଅନ୍ତର ସହିତ, ଭକ୍ତିରେ,ନିଷ୍ଠାରେ ଧ୍ୟାନ କରିବା ଫଳରେ ଏବେ ତା ବାପାଙ୍କର ଖୁବ ବିକ୍ରୀ ହେଉଛି ଚାର୍ଟ ଓ ଗୁପଚୁପ. ଭକ୍ତିର ପ୍ରାର୍ଥନାରେ ଗଣେଷ ଠାକୁର ପ୍ରୀତ ହେଲେ ବିଦ୍ୟା ବୁଦ୍ଧି ଦେଇ ସମସ୍ତଙ୍କ ପାଇଁ ପ୍ରଶଂସା ଆଣି ଦେଇଥାନ୍ତି. ଗଣେଷ ଠାକୁର ପ୍ରସନ୍ନ ହେଲେ ବୁଦ୍ଧି ଓ ସିଦ୍ଧି ସାଙ୍ଗକୁ ମାଆ ସରସ୍ବତୀ ବିଦ୍ୟା ଓ ମାଆ ମହାଲକ୍ଷ୍ମୀ ଧନ ସ୍ୱରୂପ ଉପହାର ଦେଇଥାନ୍ତି ଯାହା ମଣିଷର ନିହାତି ଆବଶ୍ୟକ. ଏଥର ତିନି ନାତି କହୁଥିଲେ ଆମେ ମଧ୍ୟ ଗଣେଷ ଠାକୁରଙ୍କୁ ପୂଜା କରିବୁ ଜେଜେ. ଜେଜେମା ତୁମେ ଗଣେଷ ଚତୁର୍ଥୀ ଦିନ ପୂଜା ଆୟୋଜନ କର. ଆମେ ତିନି ଭାଇ ଫୁଲ ତୋଳି ଆଣିବୁ. ଜେଜେ ଓ ଜେଜେମା ହସୁଥିଲେ ଖୁସିରେ.
ଗଣେଷ ପୂଜା ଦିନ ଓ଼ମ, ନମ ଓ ଶିବା ସକାଳୁ ଉଠି ଗାଧେଇ ପାଧେଇ ଫୁଲ, ଚନ୍ଦନ ସିନ୍ଦୁର, କସ୍ତୁରୀ, କର୍ପୁର, ଦୀପ ଧୂପ, ଭୋଗ ସଜାଡି, ନବ ବସ୍ତ୍ର ପରିଧାନ କରିବା ସହ ଜେଜେ ଓ ଜେଜେମା ଆୟୋଜନ କରିଥିବା ପୂଜାରେ ଧ୍ୟାନରେ ବସିଲେ. କାରଣ ସେମାନେ ଜାଣିଥିଲେ ଭଲ ପାଠ ପଢୁନଥିବାରୁ ତାଙ୍କୁ କେହି ଭଲ ପାଉନଥିଲେ. ଏମିତିକି ଶାଠ ଅର୍ଥାତ ଖେଳକୁଦ, ଯୋଗ, ବାୟାମରେ ମଧ୍ୟ ସେମାନେ ପଛୁଆ ଥିଲେ ତା ଛଡା କୌଣସି କଳାତ୍ମକ ଯଥା ଗୀତ, ନାଚ, ଡ୍ରଇଂ, ବକ୍ତୃତା ଚିତ୍ରାଙ୍କନ ରଚନା, ପଠନ କି ଲେଖନ ଆଦିରେ ସେମାନଙ୍କର କିଛି ଭୂମିକା ନଥିଲା. ସାଇ ଓ ବାବାଭାଇ ପଡିଶା ଘର ଅଭାବି ପରିବାର ପିଲାମାନଙ୍କୁ ସବୁ ସାର, ଗୁରୁମା, ଉପର ଶ୍ରେଣୀ ଓ ତଳ ଶ୍ରେଣୀ ତଥା ନିଜ ନିଜ ଶ୍ରେଣୀର ପିଲା ଭଲପାଇ, ସୁନ୍ଦର ସୁନ୍ଦର ଉପହାର ଦେଲା ବେଳେ ସେ ତିନିହେଁଙ୍କୁ କେହି ବାସି ମୁଁହରେ ପଚାରୁ ନଥିଲେ. ଏବେ ଏବେ ସେମାନେ ବୁଝିଲେଣି ବିନା ଐଶ୍ଵର୍ଗିକ କରୁଣା ବ୍ୟତିରେକେ ଏସବୁ ସମ୍ଭବ ନୁହେଁ ତେଣୁ ନୟନ ମୁଦ୍ରିତ ଠାଣିରେ ସେମାନେ ଧ୍ୟାନରେ ବସିବା ଦେଖି ତାଙ୍କ ପିତା ମାତା ମାନେ ମଧ୍ୟ ଗଣେଷ ପୂଜାରେ ସାମିଲ ହୋଇ ଜାଣିଲେ ବସି ଖାଇଲେ ନଈ ବାଲି ନିଅଣ୍ଟ. ତେଣୁ ପିଲାମାନେ ଉପଯୁକ୍ତ ବିଦ୍ୟା ବୁଦ୍ଧି ପାଇ ମଣିଷ ନହେଲେ ପିତା ସୁବ୍ରତ ପଟ୍ଟନାୟକଙ୍କ ନାମ ମାଟିରେ ମିଶିବା ସହ ମାତା ଅଳକାଙ୍କର ଉପଯୁକ୍ତ ସହଧର୍ମିଣୀ ଓ ଉପଯୁକ୍ତ ମାତା ହେବା ଦାମ୍ଭିକତା ରହିବନାହିଁ. ତେଣୁ ସମସ୍ତେ ମିଶି ଗଣେଷ ମହାପ୍ରଭୁଙ୍କ ଯଜ୍ଞ, ହୋମ, ବନ୍ଦାଣ, ଜଣାଣ, ପୁଷ୍ପାଞ୍ଜଳି ସହ ଆଳତୀ ଓ ପ୍ରାର୍ଥନା କରିବାକୁ ଲାଗିଲେ ଆମକୁ ସଦବୁଦ୍ଧି ଦେବା ସହ ଆମ ପିଲାମାନଙ୍କୁ ବୁଦ୍ଧି ବିଦ୍ୟା ପ୍ରଦାନ କର ପ୍ରଭୁ.
ଏଥର ନନା ସମସ୍ତଙ୍କୁ ପ୍ରଣାମ କରିବାକୁ କହି ହୋମ ନଡ଼ିଆ କୁ ସମସ୍ତଙ୍କ ଭିତରେ ସୁଷମ ବଣ୍ଟନ କରିସାରିବା ପରେ ସାଇ ଓ ବାବା ଭାଇ ସଙ୍ଗେ ମିଶି ଓ଼ମ, ନମ ଶିବା ସ୍କୁଲକୁ ଯାଇ ସବୁ ସାର ଗୁରୁମା ମାନଙ୍କୁ ପ୍ରଣାମ କରିବା ସହ ଉପର କ୍ଲାସର ଭାଇ ଭଉଣୀ ମାନଙ୍କୁ ମୁଣ୍ଡ ଲଗାଇ ପ୍ରଣାମ କରିବା ସହ ସମସ୍ତଙ୍କୁ ଘରୁ ଆଣିଥିବା ଗଣେଷ ପ୍ରସାଦ ସୁଷମ ବଣ୍ଟନ କରିବା ଦେଖି ଗୁରୁ ଓ ଗୁରୁମା ମାନେ ଆଶ୍ଚର୍ଯ୍ୟ ପ୍ରକଟ କରିଥିଲେ ହେଁ ତିନି ଭାଇଙ୍କର କିଛି କିଛି ପରିବର୍ତ୍ତନ ଲକ୍ଷକରି ପ୍ରଣାମର ପ୍ରଣାମୀରେ ଆଶୀର୍ବାଦ ଦେଇ ଭଲ ମଣିଷ ହେବାକୁ କହିଥିଲେ. ତା ପରଠୁ ତିନି ଭାଇ ଯିଏ ଯାହା କ୍ଲାସରେ ମନଯୋଗ ସହ ପାଠ ବୁଝି ଶୁଝି ନିଶ୍ଚିନ୍ତ ଭାବେ ଘରେ ପାଠ ପଢି ମନେ ରଖିବା ସହ ଘରକୁ ଦିଆଯାଇଥିବା ପାଠ କରି ଆଣି ଆସୁଥିଲେ ସ୍କୁଲକୁ ତ ସେମାନେ ଏବେ ଯିଏ ଯାହା କ୍ଲାସରେ ଫାଷ୍ଟ ହେବା ଦେଖି ଜେଜେ ଜେଜେମା ଓ ବାପା ମାଆ ମାନେ ଆନନ୍ଦିତ ହେବା ସହ ପ୍ରତ୍ୟେହ ଗଣେଷ ଠାକୁରଙ୍କୁ ପୂଜା କରୁଥିଲେ. ବିଘ୍ନ କଟି ଯାଇଥିବାରୁ ଜେଜେ ଡାକୁଥିଲେ ହେ ବିଘ୍ନେଶ୍ଵର. ଖୁସି ଦେଇଥିବାରୁ ସ୍ନେହ ଭକ୍ତି ଶ୍ରଦ୍ଧା ଓ ନିଷ୍ଠାରେ ଜେଜେମା ଡାକୁଥିଲେ ହେ ଗଜାନନ ଗଣନାଥ ଜୟ ହୋ ପ୍ରଭୁ.
ଖାଲି ପିଲାମାନଙ୍କର ନୁହେଁ ପୁଅ ବୋହୁମାନଙ୍କ ଭିତରେ ଅନେକ ପରିବର୍ତ୍ତନ ଲକ୍ଷ କରୁଥିଲେ ସୁବୋଧ ବାବୁ ଓ ଅଳକା ଦେବୀ.ବଡ଼ପୁଅ ତା ବ୍ୟବସାୟରେ ଉର୍ନ୍ନତି କରିବା ସହ ମଝିଆଁ ପୁଅ ରାଜନୀତିରୁ ଓହରି ଆସି ଚାଷବାସ ବୁଝାସୁଝା କରୁଥିଲେ. ଚାଷ ଅଛି ଯାହାର କି ଆନନ୍ଦ ତାହାର ନ୍ୟାୟରେ ଶିକ୍ଷିତ ମଝିଆଁ ପୁଅ, କେମିତି ଭଳି ଭଳି ଶଶ୍ୟ, ଅଧିକ ଅମଳ ହେବ ସେଇ ଚିନ୍ତାରେ ସମୟ କାଟୁଥିଲେ. ସାନପୁଅ ଶିକ୍ଷକତା ଭିତରେ ଘରର ପିଲାମାନଙ୍କ ପାଠ ଶାଠରେ ମନ ଦେଇ ସାହିତ୍ୟ ଗଣିତ ଓ ବିଜ୍ଞାନରେ ନିଜର ତଥା ତିନି ପିଲାଙ୍କର ଜ୍ଞାନ ବୁଦ୍ଧି ବଢ଼ାଇ ଚାଲିଥିଲେ. ତିନି ବୋହୁ ଭିତରେ ଥିବା ଅସମାଞ୍ଜସ୍ୟରେ ମଧ୍ୟ ଧୀରେ ଧୀରେ ସୁଧାର ଆସିବା ଦେଖିବାକୁ ମିଳୁଥିଲା. ତିନି ଯାଆଙ୍କ ଭିତରେ ମନାନ୍ତର ମତାନ୍ତର ନଥିଲା. ସବା ସାନ ବୋହୁ ଚାକିରିଆ ଥିବାରୁ ଅନ୍ୟ ଦୁଇ ବୋହୁ ତା ଉପରେ ଆଗ ଭଳି ଆଉ ଅଧିକା କାମ ଲଦି ଦେଉନଥିଲେ ବରଂ ନିଜ ନିଜ ଭିତରେ କାମ ବାଣ୍ଟିନେଇ ଅବସର ସମୟରେ ସିଲେଇ, ବୁଣାବୁଣି, ଚିତାଝୋଟି ସହ କିଛି କିଛି ଉପାଦେୟ ପୁସ୍ତକ ପଠନ କରୁଥିଲେ.ଶାଶୁ ଶଶୁରଙ୍କ ସେଵା ହିଁ ପରମ ଧର୍ମ ବୋଲି ମାନିନେଇ, ସେମାନଙ୍କ ସ୍ୱାସ୍ଥ୍ୟ ଓ ଖାଦ୍ୟ ତଥା ପାନୀୟ ପ୍ରତି ଧ୍ୟାନ ଦେବା ସହ ଭାଗବତ, ଗୀତା ପଠନ କରୁଥିଲେ. ଆବଶ୍ୟକ ଅନୁଯାୟୀ ଯୋଗ ଓ ବାୟାମ କରିବା ସହ ଗୋ ସେଵା ପରମ ତପ ଓ ଧର୍ମ ବିଚାରି ଗାଈ ପାଳନ କରିବା ସହ ଘରେ ପୋଷା ଯାଇଥିବା ବିଲେଇ କୁକୁର ଶୁଆଙ୍କ ଧ୍ୟାନ ଧାରଣା ରଖି ଯୌଥ ପାରିବାରର ଏକ ଦୃଷ୍ଟାନ୍ତ ଆଣିଦେଇଥିଲେ. ଏସବୁ ଗଣେଷ ପ୍ରଭୁଙ୍କ ଆଶୀର୍ବାଦରୁ ସମ୍ଭବ ବିଚାରି ସୁବ୍ରତ ବାବୁ ଓ ଅଳକା ଦେବୀ କହୁଥିଲେ ବୈକୁଣ୍ଠ ସମାନ ଆହା ଅଟେ ସେହି ଘର… ପରସ୍ପର ସ୍ନେହ ଯହିଁ ଥାଏ ନିରନ୍ତର.ମାଆ ଅଳକା ଓ ବାପା ସୁବ୍ରତ ସମସ୍ତଙ୍କୁ ଖୁସିରେ ଗୋଟିଏ ଗୋଟିଏ ଉପହାର ବକ୍ସ ଦେଇଥିଲେ.
ସୁନନ୍ଦା ମହାନ୍ତି
ସାକ୍ଷୀଗୋପାଳ
ପୁରୀ