ଯୌବନରେ ବାର୍ଦ୍ଧକ୍ୟ ଯନ୍ତ୍ରଣା;ଭିନ୍ନକ୍ଷମ ପ୍ରମାଣପତ୍ର ଥାଇ ମଧ୍ୟ ସରକାରୀ ସାହାର୍ଯ୍ୟରୁ ବଞ୍ଚିତ ନିହାରିକା

ଭଣ୍ଡାରିପୋଖରୀ,(ଦୁର୍ଯ୍ୟୋଧନ ଲେଙ୍କା): ସାଂସାରିକ ଜୀବନ କୌଣସି ମୁନିଋଷିଙ୍କର ତପସ୍ୟା ଠାରୁ କିଛି କମ ନୁହେଁ । ପ୍ରାଚୁର୍ଯ୍ୟ ଥାଉ କି ଗରୀବ ହୋଇଥାଉ । ଯେକେହି ବ୍ୟକ୍ତି ଶାରିରୀକ ଓ ମାନସିକ ଭାବେ ସୁସ୍ଥ ଥିଲେ ସଂସାର ରଥ ସୁରୁଖୁରୁରେ ଚାଲିଥାଏ । ବାର୍ଦ୍ଧକ୍ୟର ଯନ୍ତ୍ରଣା କଥାକୁ ଛାଡିଦେଲେ ଯୌବନରେ ସଂସାରର ଗୁରୁଦାୟିତ୍ୱ ବହନ କରିବାକୁ ପଡିଥାଏ । ହେଲେ ବିଧିର ବିଧାନକୁ କେହି ଟାଳିପାରିବାର ଶକ୍ତି ନଥାଏ । ବିଧିଅନୁଯାୟୀ ଏମିତି ବି କିଛି ବ୍ୟକ୍ତିଙ୍କ ଜୀବନରେ ଘଟିଥାଏ ଯାହା ତାଙ୍କୁ ସାରା ଜୀବନ କାନ୍ଦି କାନ୍ଦି ରହିବାକୁ ପଡିଥାଏ । ଯୌବନରେ ବାର୍ଦ୍ଧକ୍ୟ ଯନ୍ତ୍ରଣା ଦେଖାଦେଲେ ତାହାଯେ ଗୋଟେ ସଂସାରୀ ଲୋକପାଇଁ କେତେ କଷ୍ଟ ଦାୟକ ନଦେଖିଲେ ବିଶ୍ୱାସ କରିହେବ ନାହିଁ । ସୂଚନା ଅନୁଯାୟୀ ଭଣ୍ଡାରିପୋଖରୀ ବ୍ଲକ ମାଳଦା ଗ୍ରାମର ନିରାକାର ଜେନାଙ୍କ ପତ୍ନୀ ନିହାରିକା(୨୮)ଦୁଇବର୍ଷ ହେବ ଅଚଳ ହୋଇ ଘରେ ପଡି ରହିଛନ୍ତି । ଦେଖିଲେ ଲାଗୁଛି ୮୦ବର୍ଷର ପୌଢପରି । ନିହାରିକାଙ୍କୁ ଦୁଇବର୍ଷ ତଳେ ଏକ ମୋଟରସାଇକେଲ ଧକ୍କା ଦେବାରୁ ସେ ଗୁରୁତର ଆହତ ହୋଇଥିଲେ । ତାଙ୍କ ବାମ ଗୋଡରେ ଗଭୀର ଆଘାତ ଲାଗିଥିବାରୁ ନିହାରିକାଙ୍କୁ ପରିବାର ଲୋକେ ସ୍ଥାନୀୟ ସାମାଜିକ କର୍ମୀ ପ୍ରତ୍ୟୁଷ ସାମଲଙ୍କ ଦ୍ୱାରା ଭଦ୍ରକରୁ ଯାଜପୁର, ରେକୁଳା ଓ କଟକ ମେଡିକାଲ ଯାଏଁ ନିଆଯାଇଥିଲା । ଅର୍ଥପେଡିକରେ ତାଙ୍କ ଚିକିତ୍ସା ହୋଇଥିବାବେଳେ ପରବର୍ତ୍ତୀ ସମୟରେ ତାଙ୍କ ବାମ ଗୋଡଟି ସମ୍ପୂର୍ଣ୍ଣ ଅଚଳ ହୋଇଯାଇଥିଲା । ତେଣୁ ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ ନିହାରିକାଙ୍କ ଗୋଡରେ ଅସ୍ତ୍ରପଚାର କରାଗଲେ ସେ ଚାଲି ପାରିବେ ବୋଲି ଜଣାପଡିଥିଲା । ତାଙ୍କର ଦୁଇଗୋଟି ଛୋଟପୁଅ ସହିତ ଶାଶୂ, ଶ୍ୱଶୂର ଓ ସ୍ୱାମୀଙ୍କୁ ନେଇ ତେଲ ଲୁଣର ସଂସାର ଚଳିବା କଷ୍ଟକର ହୋଇପଡୁଥିବାବେଳେ ଅସ୍ତ୍ରୋପଚାର ପାଇଁ ଟଙ୍କା ଯୋଗାଡ କରିବା ସମ୍ଭବ ହୋଇପାରିନାହିଁ । ଯାହା ଫଳରେ ସିଏ ଆଜି ଯାଏଁ ଘର ପିଣ୍ଢାରେ ବସି ରହିଛନ୍ତି । ନିହାରିକାର ଶୌଚ ହେବାଠାରୁ ଗାଧୁଆ ପାଧୁଆ କାର୍ଯ୍ୟ ସ୍ୱାମୀ ଓ ଶାଶୂଙ୍କ ହାତରେ ହେଉଛି । ଏତେ କମ୍ ବୟସରେ ଶାରିରୀକ ଭାବେ ଅକ୍ଷମ ହୋଇପଡିଥିବାରୁ ଆଖିରୁ ତାଙ୍କର ଲୁହ ଶୁଖୁନି । ସଂସାର ପାଇଁ ତାଙ୍କୁ ଅନେକ କାର୍ଯ୍ୟ କରିବାର ଥିଲେ ସୁଦ୍ଧା ସେ ନିରୁପାୟ । ସେ ଯାହାବି ହେଉ ତାଙ୍କ ପାଇଁ ସରକାରୀ ସାହାର୍ଯ୍ୟ ଗୁରୁତ୍ୱପୂର୍ଣ୍ଣ ଥିବାବେଳେ ସ୍ଥାନୀୟ ସରପଞ୍ଚ ରୀତାଞ୍ଜଳୀ ସାମଲଙ୍କ ପ୍ରତ୍ୟକ୍ଷ ସହଯୋଗରେ ଭିନ୍ନକ୍ଷମ ପ୍ରମାଣପତ୍ରଟିଏ ୮ମାସ ହେବ ମିଳିପାରିଛି । ପରିତାପର ବିଷୟ ପ୍ରମାଣପତ୍ରରେ ଶତକଡା ୪୦ଭାଗ ଭିନ୍ନକ୍ଷମ ଚିହ୍ନଟ ହୋଇଥିବାରୁ ସେ ସରକାରୀ ସାହାର୍ଯ୍ୟ ଭତ୍ତା ଖଣ୍ଡିକରୁ ବଞ୍ଚିତ ହୋଇଛନ୍ତି । କାରଣ ସରକାରଙ୍କ ତରଫରୁ ଭତ୍ତା ପାଇଁ ଏବେ ୫୦ଭାଗ ଭିନ୍ନକ୍ଷମ ଚିହ୍ନଟ ବ୍ୟକ୍ତିମାନଙ୍କୁ ଅଗ୍ରାଧିକାର ଦିଆଯାଉଥିବାବେଳେ ନିହାରିକା ଏଥିରୁ ବାଦ ପଡୁଛନ୍ତି । ସରକାରଙ୍କ ଧାର୍ଯ୍ୟ ଲକ୍ଷ ଠାରୁ ଅଧିକ ପରିମାଣର ଅର୍ଥ ଆସିଲେ ୪୦ଭାଗ ଭିନ୍ନକ୍ଷମ ମାନଙ୍କୁ ଯୋଗାଯିବ ବୋଲି ପ୍ରଶାସନ ପକ୍ଷରୁ ସୂଚନା ମିଳିଛି । ଭତ୍ତା କିମ୍ବା କୌଣସି ସରକାରୀ ସାହର୍ଯ୍ୟ ମିଳିପାରିଲେ ନିହାରିକା ଗୋଡରେ ଅସ୍ତ୍ରୋପଚାର ହୋଇପାରନ୍ତା । ତେଣୁ ପ୍ରଶାସନ ଯନ୍ତ୍ରଣାରେ ଛଟପଟ ହେଉଥିବା ନିହାରିକାଙ୍କ ଉପରେ ଦୃଷ୍ଟି ଦେବାକୁ ସରପଞ୍ଚ ଶ୍ରୀମତୀ ସାମଲ ଅନୁରୋଧ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ