‘ଯୱାନ ମାର୍ଶଲ ସମଲେଦ କ୍ଲବ’ପକ୍ଷରୁ ପଣ୍ଡିତ ରଘୁନାଥ ମୁର୍ମୁ ଜୟନ୍ତୀ
ବାଲେଶ୍ୱର, (ସରୋଜ ପଣ୍ଡା) :-ସାନ୍ତାଳୀ ଭାଷା ଲିପି ‘ଅଲିଚିକି’ର ପ୍ରସ୍ତୁତି ଓ ପ୍ରସାରର ବିନ୍ଧାଣୀ ପଣ୍ଡିତ ରଘୁନାଥ ମୁର୍ମୁଙ୍କ ୧୧୭ତମ ଜୟନ୍ତୀ ପାଳନ ଅବସରରେ ବାଲେଶ୍ୱର ‘ଯୱାନ ମାର୍ଶଲ ସମଲେଦ କ୍ଲବ’ ପକ୍ଷରୁ ଏକ ଦିବସୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ସ୍ଥାନୀୟ ଆଇଟିଆଇ ପଡ଼ିଆରେ ଅନୁଷ୍ଠିତ ହୋଇଯାଇଛି । ପୌରପରିଷଦର ୯ନଂ ୱାର୍ଡ କାଉନସିଲର ସଞ୍ଜୀବ ଦାସ ଓ ୧୦ନଂ ୱାର୍ଡ କାଉନସିଲର ରାଧାକୃଷ୍ଣ ଦାସ ଏହି ଟୁର୍ଣ୍ଣାମେଣ୍ଟକୁ ଉଦଘାଟନ କରିଥିଲେ । ଆଦିବାସୀ ଯୁବକଙ୍କ ମଧ୍ୟରେ କ୍ରୀଡ଼ା ପ୍ରତିଭା ବିକାଶରେ ଏହି ଭଳି ପ୍ରତିଯୋଗିତା ବେଶ ସହାୟକ ହେବ ବୋଲି ଅତିଥିମାନେ ଆଶା ପ୍ରକାଶ କରିଥିଲେ । ସନ୍ଧ୍ୟାରେ ଆୟୋଜିତ ପଣ୍ଡିତ ମୁର୍ମୁଙ୍କ ଜୟନ୍ତୀ ଉତ୍ସବ ଓ ସାଂସ୍କୃତିକ ସନ୍ଧ୍ୟାରେ ପୂର୍ବତନ ଲୋକସଭା ସାଂସଦ ରବୀନ୍ଦ୍ର କୁମାର ଜେନା ମୁଖ୍ୟଅତିଥି ଭାବେ ଯୋଗଦେଇ ଆଧୁନିକ ଯୁଗରେ ମୌଳିକ ପରମ୍ପରା ଓ ସଂସ୍କୃତିକୁ ବଜାୟ ରଖି ଆସିଥିବା ଆଦିବାସୀ ସମ୍ପ୍ରଦାୟକୁ ଉଚିତ ନ୍ୟାୟ ପ୍ରଦାନରେ ପଣ୍ଡିତ ମୁର୍ମୁଙ୍କ ଅବଦାନ ଅତୁଳନୀୟ ବୋଲି କହିଥିଲେ । ସମାଜର ମୁଖ୍ୟ ସ୍ରୋତରେ ଆଦିବାସୀଙ୍କୁ ସାମିଲ ପାଇଁ ପଣ୍ଡିତ ମୁର୍ମୁ ଯେଉଁ ମାର୍ଗ ଦର୍ଶନ କରିଛନ୍ତି ତାହାକୁ ସମ୍ମାନ ଦେଇ ରାଜ୍ୟ ସରକାର ସମ୍ପ୍ରତି ବିଭିନ୍ନ ଯୋଜନା ମାଧ୍ୟମରେ ଉଚିତ ପଦକ୍ଷେପ ନେଉଛନ୍ତି ବୋଲି ଶ୍ରୀ ଜେନା କହିଥିଲେ । ବାଲେଶ୍ୱର ପୌରାଧ୍ୟକ୍ଷା ସବିତା ସାହୁ ଏଥିରେ ସମ୍ମାନିତ ଅତିଥିଭାବେ ଯୋଗଦେଇ ପଣ୍ଡିତ ମୁର୍ମୁଙ୍କ ଜୀବନାଦର୍ଶ ଓ ବହୁବିଧ ପ୍ରତିଭା ସମ୍ପର୍କରେ ଆଲୋଚନା କରିଥିଲେ । ବାଲେଶ୍ୱରର ସହରରେ ବସବାସ କରୁଥିବା ଆଦିବାସୀଙ୍କ ଯେକୌଣସି ସମସ୍ୟାର ସମାଧାନ ପାଇଁ ପୌର ପରିଷଦ ପକ୍ଷରୁ ଅଗ୍ରାଧିକାର ଦିଆଯିବ ବୋଲି ସେ ପ୍ରତିଶ୍ରୁତି ଦେଇଥିଲେ । ଏକଦୀବସୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟର ଚାମ୍ପିୟନ ଓ ରନର୍ସ ଅପ ଟିମକୁ ଏହି ଅବସରରେ ଅତିଥିମାନେ ଟ୍ରଫି ଏବଂ ପୁରସ୍କାର ପ୍ରଦାନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଆଦିବାସୀ ନେତା ତଥା ଗୀତିକାର ଲାଲମୋହନ ହେମ୍ରମ୍, ଯୁବନେତା ଭାଗବତ ସାହୁ, କାଉନସିଲର ସଞ୍ଜୀବ ଦାସ ଓ ରାଧାକୃଷ୍ଣ ଦାସ ପ୍ରମୁଖ ଏଥିରେ ଯୋଗଦେଇ ବକ୍ତବ୍ୟ ପ୍ରଦାନ କରିଥିଲେ । କ୍ଲବର ସଭାପତି ପାଦୁମ ହାଁସଦା, ସମ୍ପାଦକ ପୁରସ୍ତମ ମୁର୍ମୁଙ୍କ ସମେତ ରାମକୃଷ୍ଣ ପଟ୍ଟାୟତ, ନିତ୍ୟାନନ୍ଦ ମିଶ୍ର, ନରୋତ୍ତମ ସେଠୀ, ସଞ୍ଜୟ କୁମାର ହେମ୍ରମ, ମହେନ୍ଦ୍ର ମୁର୍ମୁ, ଶଙ୍କର ମାରାଣ୍ଡି, ବୁଦ୍ଧିରାମ ହେମ୍ରମ, ଦିଲ୍ଲୀପ ସୋରେନ ପ୍ରମୁଖ ସମସ୍ତ କାର୍ଯ୍ୟ ପରିଚାଳନା କରିଥିଲେ ।