ରକ୍ତଦାନ କରି ବିବାହ ବାର୍ଷିକୀ ପାଳିଲେ ରକ୍ତବୀର

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ଥରେ ନୁହେଁ କି ଦୁଇଥର ନୁହେଁ, ୬୫ବର୍ଷ ବୟସରେ ୧୯ଥର ପ୍ଲେଟଲେଟ୍ ଓ ୧୭୦ ଥର ରକ୍ତଦାନ । ବୟସ ଆଗରେ ହାର ମାନି ନାହାଁନ୍ତି ସେ । ଦୃଢ଼ ମନୋବଳ, ଆଗ୍ରହ, ନିଷ୍ଠା ତାଙ୍କୁ ଆଗକୁ ବଢେଇ ଚାଲିଛି । ଦେବଦୂତ ପରି କରି ଚାଲିଛନ୍ତି ରକ୍ତଦାନ । ରକ୍ତଦାନକୁ ଜୀବନର ବ୍ରତ ରୂପେ ଆପଣାଇ ଆଜି ୧୭୦ତମ ରକ୍ତଦାନ କରିଛନ୍ତି ରକ୍ତବୀର ଗୋପୀମୋହନ ପଟ୍ଟନାୟକ । ରାଜଧାନୀ ଭୁବନେଶ୍ୱର କ୍ୟାପିଟାଲ୍ ହସ୍ପିଟାଲ୍ ସ୍ଥିତ ରକ୍ତ ଭଣ୍ଡାର ପରିସର ମଧ୍ୟରେ ନିଜର ୩୨ ତମ ବିବାହ ବାର୍ଷିକୀ ଉତ୍ସବ ଅବସରରେ ଆୟୋଜିତ ପାରିବାରିକ ରକ୍ତଦାନ ଶିବିରରେ ସେ ରକ୍ତଦାନ କରି ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲଟି ଯାଇଛନ୍ତି । ସୂଚନାଯୋଗ୍ୟ, ଆଜକୁ ୨୦ବର୍ଷ ତଳେ ଅର୍ଥାତ୍ ୨୦୦୪ ମସିହାରେ ରାଜ୍ୟରେ ସର୍ବପ୍ରଥମ ପାରିବାରିକ ରକ୍ତଦାନ ଶିବିର ଆରମ୍ଭ କରିଥିଲେ । ନିଜର ବନ୍ଧୁ, ବାନ୍ଧବ, ଆତ୍ମୀୟସ୍ୱଜନ ମାନେ ଏହି ଉତ୍ସବରେ ସାମିଲ ହୋଇ ସ୍ୱେଚ୍ଛାକୃତ ରକ୍ତଦାନ କରିଥାନ୍ତି । ଭୁବନେଶ୍ୱର ଭୀମଟାଙ୍ଗି ନିବାସୀ ଗୋପୀମୋହନ ଓ ତାଙ୍କ ଧର୍ମପତ୍ନୀ ଆଶାଲତା କୁହନ୍ତି ରକ୍ତ ହେଉଛି ଈଶ୍ୱରଙ୍କ ଦାନ । ରକ୍ତ ଯୋଡ଼ିଥାଏ ସମ୍ପର୍କର ଡ଼ୋରୀ । ରକ୍ତ ଅଭାବରୁ କେହି ଯେପରି ମୃତ୍ୟୁ ମୁଖରେ ନପଡୁ ଏହା ଭଗବାନଙ୍କ ନିକଟରେ ଆମର ଏତିକି ପ୍ରାର୍ଥନା । ଶିବିରକୁ ଆନୁଷ୍ଠାନିକ ରୂପେ ରକ୍ତଭଣ୍ଡାରର ନିର୍ଦ୍ଦେଶକ ଡା. ଦେବାଶିଷ ମିଶ୍ର ଉଦ୍‌ଘାଟନ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ସାମାଜିକ କର୍ମୀ ସୁଶାନ୍ତ ସାହୁ, ମାନସ ପଟ୍ଟନାୟକ, ଚିନ୍ତାମଣି ପାତ୍ର, ଶିବ ପ୍ରସାଦ ଦାଶ, ଆଦିତ୍ୟ ମିଶ୍ର, ଅତୁଲ ପଣ୍ଡା, ତ୍ରିଲୋଚନ ବେଉରା, ରଞ୍ଜିତ କୁମାର ସାହୁ ପ୍ରମୁଖ ଉପସ୍ଥିତ ରହି ଗୋପୀମୋହନଙ୍କ ତ୍ୟାଗ, ନିଷ୍ଠାକୁ ପ୍ରଶଂସା କରିବା ସହ ତାଙ୍କର ଦୀର୍ଘ ନିରାମୟ ଜୀବନ ପାଇଁ ଈଶ୍ୱରଙ୍କ ନିକଟରେ ପ୍ରାର୍ଥନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ