ରକ୍ତଦାନ ଶିବିର ଓ ବୃକ୍ଷରୋପଣ
ଭୁବନେଶ୍ୱର, (ଓ୍ବାଇଏନ୍ଏସ୍) : ସବୁଜ ଭାରତ ଓ ହରିଜନ ସେବା ସଂଘ, ଓଡ଼ିଶାର ମିଳିତ ଉଦ୍ୟମରେ ସକାଳ ୯ ଘଟିକା ସମୟରେ ୟୁନିଟ୍-୩ସ୍ଥିତ ଚାର୍ମ କ୍ଲିନିକ ପରିସରେ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଏବଂ ଅପରାହ୍ନ ୪ ଘଟିକା ସମୟରେ ହଂସପାଳ ଛକଠରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସବୁଜ ଭାରତର ସଭାପତି ସତ୍ୟବ୍ରତ ଜେନାଙ୍କ ଜନ୍ମଦିନ ଅବସରରେ ଦୁଇଟି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ରକ୍ତଦାନ ଶିବିରକୁ ରାୟଗଡ଼ା ବିଧାୟକ ମକରନ୍ଦ ମୁଦୁଲି ଉଦ୍ଘାଟନ କରିଥିଲେ । ଏଥିରେ ମହିଳା ଓ ଶିଶୁ କଲ୍ୟାଣ ବିଭାଗର ଅଧ୍ୟକ୍ଷା ସୁଲତା ଦେଓ, ଯୁବନେତା ପ୍ରବୀର ମହାନ୍ତି ପ୍ରମୁଖ ଯୋଗଦେଇ ରକ୍ତଦାତାମାନଙ୍କୁ ଉତ୍ସାହିତ କରିଥିଲେ । ଡ. ନଳିନୀକାନ୍ତ ମିଶ୍ର, ବୈଶାଖି ଦାସ, ଝୁମ୍ଝୁମ୍ ପରୀକ୍ଷା, ଅନୁଷ୍ଠାନର ସଭାପତି ସତ୍ୟବ୍ରତ ଜେନା, ଦେବାଶିଷ ଦାସ, ଅନିଲ ପଣ୍ଡା, ରଶ୍ମିତା ମୁଖି, ରାଜ ନାରାୟଣ ଜେନା ପ୍ରମୁଖ ରକ୍ତ ଦାନ କରିଥିଲେ । ମୋଟ ୨୫ ୟୁନିଟ୍ ରକ୍ତ ସଂଗୃହିତ ହୋଇଥିଲା । ସଂଗୃହିତ ରକ୍ତକୁ ରାଜଧାନୀ ରକ୍ତ ଭଣ୍ଡାରକୁ ହସ୍ତାନ୍ତର କରାଯାଇଥିଲା ।
ସମ୍ପ୍ରତି ପ୍ରତିଦିନ ଶହ ଶହ ବୃକ୍ଷ ବଳି ପଡୁଛନ୍ତି । ଛଅ ଋତୁ ଆଜି ସାତସପନ । ଜୈବ ବିବିଧତା ବି ଧ୍ୱଂସାଭିମୁଖୀ । ଜଙ୍ଗଲ ଧ୍ୱଂସ ଫଳରେ ପୃଥିବୀରେ ଦେଖା ଦେଇଛି ଅନେକ ସମସ୍ୟା । ସୃଷ୍ଟି ହେଉଛି ବିଶ୍ୱତାପନ ଆଉ ବୃଦ୍ଧି ପାଉଛି ପୃଥିବୀର ତାପମାତ୍ରା । ଗ୍ଲୋବାଲ ୱାର୍ମିଂର ପ୍ରଭାବ ମଣିଷର ଜୀବନକୁ ଦୁର୍ବିସହ କରିବାରେ ଲାଗିଛି । ଦେଖାଦେଇଛି ଭୂତଳ ଜଳସ୍ତର ହ୍ରାସ, ବିବର୍ତ୍ତମାନ ପରିବେଶ, ଜଳବାୟୁ ଓ ବିପର୍ଯ୍ୟୟମୁଖୀ ସବୁଜିମା ଜୀବଜଗତକୁ ଠେଲି ଦେଇଛି । ଜୀବଜଗତର ସୃଷ୍ଟି ଓ ସ୍ଥିତି ପାଇଁ ବନ ତଥା ବନ୍ୟଜନ୍ତୁଙ୍କର ଭୂମିକା ଗୁରୁତ୍ୱପୂର୍ଣ୍ଣ । ଏସବୁକୁ ଦୃଷ୍ଟିରେ ରଖି ସବୁଜ ଭାରତର ଏହା ଏକ ଅଭିନବ ପ୍ରୟାସ । ଏହି କାର୍ଯ୍ୟକ୍ରମରେ ହରିଜନ ସେବା ସଂଘର ସମ୍ପାଦକ ଆର୍ଯ୍ୟଭଟ୍ଟ ମହାନ୍ତି, ମନୋରଞ୍ଜନ ନାୟକ, ମାନ ରଞ୍ଜନ ପ୍ରଧାନ, ସୁକାନ୍ତି ସ୍ୱାଇଁ, ଅମ୍ରିତା ସ୍ୱାଇଁ, ଅଭିପ୍ସା ସ୍ୱାଇଁ, ଶଙ୍କର ମାଝୀ, ପ୍ରଭାତ ମାଝୀ, ଶୁଭଶ୍ରୀ ପ୍ରିୟଦର୍ଶିନୀ, ରାକେଶ ମାଝୀ, ସଂଯୁକ୍ତା ସ୍ୱାଇଁ ପ୍ରମୁଖ ନେତୃତ୍ୱ ନେଇ ବୃକ୍ଷ ରୋପଣ କରିଥିଲେ ।