ରକ୍ଷା ପଂଚମୀ

ବିପିନ ବିହାରୀ ମହାନ୍ତି

ଭାଦ୍ରବ ମାସର କୃଷ୍ଣପକ୍ଷ ପଂଚମୀକୁ ରେଖାପଂଚମୀ ବା ରକ୍ଷା ପଂଚମୀ କୁହନ୍ତି । ଗୃହର ରକ୍ଷାର୍ଥେ ଗଣେଶ ଓ ଘଟକର୍ଣ୍ଣ ଭୈରବଙ୍କୁ ଏହିଦିନ ପୂଜା କରାଯାଏ । ବିଶ୍ୱାସ ଏହିଦିନ ଏମାନଙ୍କୁ ପୂଜା କଲେ ଏ ଠାକୁରମାନେ ଗୃହକୁ ନିରାପତା ଓ ସୁରକ୍ଷା ଦିଅନ୍ତି । ମଣିଷ ଜୀବନ ପ୍ରତି ନାନା ବିପଦ ଥିଲା ପରି ଗୃହ ପ୍ରତି ସେମିତି ବିବାଦ ଥାଏ । ଏଥିପାଇଁ ଅନେକ ବାସ୍ତୁବିଦ୍ୟା ନିଦାନାନୁଯାୟୀ ଘର ତୋଳନ୍ତି; ଦୁଆର ମୁହଁ ବା କାନ୍ଥ ଦେହରେ ଗଣେଶ ଓ ଘଟକର୍ଣ୍ଣ ଭୈରବଙ୍କ ମୂର୍ତି ସ୍ଥାପନ୍ତି । ଏ ଦୁହେଁ ଗୃହକୁ ନିରାପତା ଦିଅନ୍ତି । ଯେଉଁମାନେ ଦୁଆରମୁହଁ କାନ୍ଥରେ ଏମାନଙ୍କୁ ଆଗରୁ ସ୍ଥାପନ କରି ନଥାନ୍ତି, ସେମାନେ ରେଖା ପଂଚମୀ ଦିନ ନିଜ ନିଜ ଗୃହ ସମ୍ମୁଖ ଦ୍ୱାରରେ ଗଣେଶ ଓ ଭୈରବଙ୍କ ମୂର୍ତି ଅଙ୍କନ କରି ହଳଦୀ, ସିନ୍ଦୂର ଓ ଚନ୍ଦନ ଲଗାଇ ତୁଳାର ମାଳା ସହ ଫୁଲମାଳ ଓ ଫୁଲରେ, ତାଙ୍କୁ ସଜାନ୍ତି । ଏହାପରେ ବିଧି ଅନୁଯାୟୀ ତାଙ୍କର ପୂଜାର୍ଚ୍ଚନା କରନ୍ତି ଓ ଚକୁଳିପିଠା, ଗୁଡ଼, ଛେନା, ଖିରୀ ଓ ଖେଚୁଡ଼ି ଦେଇ ଭୋଗ ବାଢ଼ନ୍ତି ।ସବୁରି କାର୍ଯ୍ୟରେ ଗଣେଶ ପ୍ରଥମ । ବିବାହ କୁହ, ବ୍ରତ କୁହ, ଘର ନିର୍ମାଣ କୁହ, ପୂଜାପାର୍ବଣ କୁହ, ପ୍ରଥମେ ଗଣେଶଙ୍କୁ ବନ୍ଦନା ଓ ପୂଜା କରାଯାଏ । ସେ ମଙ୍ଗଳମୟ ଓ ବିଘ୍ନନାଶକ । ଅନ୍ୟପକ୍ଷରେ ଭୈରବ ଗୃହର ରକ୍ଷକ । ଭୂତ, ପ୍ରେତ, ପିଶାଚ, ଡାଆଣୀ ଓ ଗୋସାଣୀ ଏମିତିକି ବିଷଧର ସାପ ବା ସରିସୃପଙ୍କ ଠାରୁ ସେ ରକ୍ଷା କରନ୍ତି । ସେ ସର୍ବବ୍ୟାଧି ନିବାରକ, ସର୍ବ ଉପଦ୍ରବ ଓ ଦଂଶନ ହରକ । ତେଣୁ ଯଥାର୍ଥରେ ତାଙ୍କୁ ପ୍ରାର୍ଥନା କରାଯାଏ :
‘ହଁ ଘଟକର୍ଣ୍ଣ ମହାବୀରଃ ସର୍ବବ୍ୟାଧି ନିବାରଣ
ସର୍ବୋପଦ୍ରବ ସଂଘାତ ବିଦ୍ରାବଣ ହରପ୍ରିୟ
କଣ୍ଠେ ଯସ୍ୟ ମହାନୀଳଂ ଭୂଷଣ ଯସ୍ୟ ପନ୍ନଗ ।
ଜେତାସିଂ ତସ୍ୟ ଦେବସ୍ୟ ରକ୍ଷନ୍ତୁ ମମ ମନ୍ଦିର ।’
ରଜ ସଂକ୍ରାନ୍ତି ବାସିଦିନ ଗୃହ ଚାରିପଟ କାନ୍ଥରେ ଚକଖଡ଼ି ଓ ଗୋବରରର ଗାର ଟଣାଯାଏ । କାରଣ ଏହା ଲମ୍ବଜନ୍ତୁମାନଙ୍କର ଗୃହ ପ୍ରବେଶକୁ ବାରଣ କରେ । ସେମିତି କେତେକ ଯାଗାରେ ଘଟକର୍ଣ୍ଣ ଭୈରବଙ୍କ ପୂଜାର୍ଚ୍ଚନା ପରେ ଗୃହର ଚତୁଃପାଶ୍ୱର୍ କାନ୍ଥରେ ସୁରକ୍ଷା ରଜ୍ଜୁବନ୍ଧନ ସ୍ୱରୂପ ଖଡ଼ିର ରେଖା ଟଣାଯାଏ । ଯେଉଁଥିପାଇଁ ଏହାକୁ ମଧ୍ୟ ରେଖା ପଂଚମୀ କୁହନ୍ତି ।
ଭିନ୍ନ ଏକ ଉପାୟରେ ଦ୍ୱାରର ସମ୍ମୁଖରେ ଚାଳ ବା ଛାତତଳକୁ ଜୁଣର କୁଣ୍ଡଳୀ ବାନ୍ଧି ଶିବଙ୍କୁ ମଧ୍ୟ ପ୍ରାର୍ଥନା କରାଯାଏ ।
‘ଦ୍ୱାରଦେବ ନମସ୍ତୁଭ୍ୟଂ ନମସ୍ତେ ନନ୍ଦିକେଶ୍ୱର
ଭାଦ୍ରବ କୃଷ୍ଣ ପଂଚମଧ୍ୟଂ ରକ୍ଷାରକ୍ଷି ମହେଶ୍ୱରଂ ।’
ଓଡ଼ିଶାର ହିନ୍ଦୁ ମନ୍ଦିରମାନଙ୍କ ଦେହରେ ଭୈରବ ମୂର୍ତିମାନ ସ୍ଥାନୀତ ହୋଇଥାଆନ୍ତି । ଏହିଦିନ ସେମାନଙ୍କୁ ପୂଜାର୍ଚ୍ଚନା କରାଯାଇ ଘରର ମଙ୍ଗଳ ମନାସ କରାଯାଏ । ଶ୍ରୀମନ୍ଦିରରେ ଜଗନ୍ନାଥଙ୍କର ସୁବର୍ଣ୍ଣ ରେଖାଲାଗି ଉତ୍ସବ ଅନୁଷ୍ଠିତ ହୁଏ । ଏଣୁ ଏହା ଯଥାର୍ଥରେ ରେଖା ବା ରକ୍ଷା ପଂଚମୀ କୁହାଯାଏ ।ା ରେଖା ପଂଚମୀରେ ଯା’ଘରେ ନାହିଁ ରେଖା, ସେ ଘର କପାଳେ ବିପଦ ହୋଇଛି ଲେଖା ।

ଅଧ୍ୟକ୍ଷ, ଓଡ଼ିଶା ଭାଷା ସଂରକ୍ଷଣ ଏବଂ ଗବେଷଣା ପ୍ରତିଷ୍ଠାନ:
ବିପିନ ବିହାରୀ ପାଠାଗାର,

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ