ରଙ୍ଗର ପର୍ବ ହୋଲି

ବିପିନ ବିହାରୀ ମହାନ୍ତି
ହୋଲି : ଏହା ଏକ ଜାତୀୟ ପର୍ବ ଏବଂ ରଙ୍ଗର ପର୍ବ । ଏହି ପର୍ବଟି ଦୋଳୋତ୍ସବ ବା ବସନ୍ତୋତ୍ସବ ଅନ୍ତର୍ଗତ । ଏହା ଫଗୁଣ ପୂର୍ଣ୍ଣିମା ବା ଦୋଳ ପୂଣ୍ଣିମା ପରଦିନ ଅର୍ଥାତ୍ ଚୈତ୍ର କୃଷ୍ଣପକ୍ଷ ପ୍ରଥମ ଦିନ ପାଳିତ ହୁଏ । ହିନ୍ଦୁଧର୍ମର ଜାତି ଓ ବର୍ଣ୍ଣ ନିର୍ବିଶେଷରେ ସମସ୍ତ ଲୋକ ଆନନ୍ଦ ମନରେ ଏହି ଉତ୍ସବରେ ମାତି ଉଠନ୍ତି । ହୋଲି ପର୍ବ ସାଧାରଣତଃ ଶ୍ରୀ କୃଷ୍ଣଙ୍କର ଗୋପୀ ଓ ରାଧିକାଙ୍କ ସହ ରଙ୍ଗ ଖେଳକୁ ବୁଝାଏ । ସେତେବେଳେ ସେମାନେ ପିଚକାରୀ ମାଧ୍ୟମରେ ରଙ୍ଗ ଖେଳୁଥିଲେ । ପରସ୍ପରକୁ ଅବିର ଲେପନ କରୁଥିଲେ । ଶୁଣାଯାଏ ଉତ୍ତର ଭାରତର ବ୍ରଜଧାମରେ ପ୍ରଥମେ ହୋଲିର ପ୍ରଚଳନ ହୋଇଥିଲା ।
ଏହି ଉତ୍ସବ ପାଳନର ଭିନ୍ନ ଏକ ପୌରାଣିକ କାହାଣୀ ଅଛି । ଦାନବ ରାଜା ହିରଣ୍ୟ କଶିପୁ ବିଷ୍ଣୁଭକ୍ତ ଥିଲେ । ହରିଣ୍ୟକଶିପୁ ନିଜେ ଶିବ ଭକ୍ତ ଥିଲା ଏବଂ ପ୍ରହ୍ଲାଦକୁ ହରିନାମ ଛାଡ଼ି ଶିବଙ୍କୁ ଭଜିବାକୁ ବାଧ୍ୟ କରୁଥିଲା । ମାତ୍ର ଏ କ୍ଷେତ୍ରରେ ପ୍ରହ୍ଲାଦ ଅବାଧ୍ୟ ହେବାରୁ ସେ ତାକୁ ମାରିବାକୁ ନାନା ଯୋଜନା କଲା । ଏମିତିକି ଲୋକ ଲଗାଇ ଖଣ୍ଡାରେ ହାଣିଲା, ପର୍ବତ ଉପରୁ ତଳକୁ ଫିଙ୍ଗିଲା, ସମୁଦ୍ରରେ ବୁଡ଼ାଇଲା ଇତ୍ୟାଦି ଇତ୍ୟାଦି । ମାତ୍ର ଶ୍ରୀ ହରି ନାମଧରି ପ୍ରହଲ୍ଲାଦ ସବୁଥିରୁ ବଂଚିଗଲା । ଏଥିରେ ଆହୁରି କ୍ରୋଧାନ୍ୱିତ ହୋଇ ହିରଣ୍ୟ କଶିପୁ ତାକୁ ନିଆଁରେ ପୋଡ଼ି ଜାଳିଦେବାକୁ ଯୋଜନା କଲା । ହିରଣ୍ୟର ଭଉଣୀ ହେଉଛି ହୋଲିକା । ସେ ନିଆଁରେ ପୋଡ଼ିବନି ବୋଲି ବର ପାଇଥିଲା । ଏଣୁ ଭାଇର ନିର୍ଦ୍ଦେଶରେ ପ୍ରହ୍ଲାଦକୁ କୋଳରେ ଧରି ସେ ନିଆଁର ଗଦା ଭିତରେ ବସିଲା ଅଥଚ ନିଜେ ଜଳିଗଲା ଏବଂ ସୁନାପରି ଆହୁରି ଚହଟି ଉଠିଲା ପ୍ରହ୍ଲାଦ । ପ୍ରହ୍ଲାଦର ଏହି ଜୟରେ ଖୁସି ହୋଇ ଲୋକେ ରଙ୍ଗର ଖେଳ ଆରମ୍ଭ କରିଦେଲେ ଏବଂ ହୋଲିକା ରାକ୍ଷସୀର ନାମକୁ ଆଧାରକରି ଏହି ଉତ୍ସବର ନାମ ରଖାଗଲା ହୋଲି । ଏହା ସେଦିନ ଥିଲା ଚୈତ୍ର ପ୍ରଥମଦିନ ।
ହୋଲି ଖେଳର ବିଧି : ହୋଲି ବସନ୍ତୋତ୍ସବର ଅନ୍ତର୍ଗତ ହେଲେ ହେଁ ଏଥିରେ କୌଣସି ଠାକୁରଙ୍କର ପୂଜାର୍ଚ୍ଚନା ହୁଏନାହିଁ ଯଦିଓ ରାଧା-କୃଷ୍ଣ ଓ ଗୋପୀମାନଙ୍କୁ ଉପଜୀବ୍ୟ କରି ପାଳିତ ହୁଏ । ହୋଲି ଏକ ଖେଳ : ରଙ୍ଗର ଖେଳ; ଗୁଲାଲ, ଫଗୁ ଓ ଅବିର ଏବଂ ତହିଁରୁ ପାଣିରେ ପ୍ରସ୍ତୁତ ପିଚକାରୀ ଖେଳ; ପିଲାଠାରୁ ବୁଢ଼ାଯାଏଁ ସମସ୍ତେ ହୋଲି ରଙ୍ଗ ଖେଳନ୍ତି । ହୋଲି ସଂପର୍କିତ ଲୋକ ଗୀତ ଗାଆନ୍ତି ।
ସଂପର୍କୀୟ ମାନଙ୍କ ଭିତରେ ହୋଲି ଖେଳର ଏକ ନିଆରା ମଜ୍ଜା ଅଛି । ଯେମିତି ଦିଅର ଭାଉଜ, ଶାଳୀ ଭିଣୋଇ, ନାତି-ନାତୁଣୀ ଓ ଜେଜେ-ଜେଜିମା କି ଅଜା-ଆଈ, ଭାଇ-ଭଉଣୀ, ପାରିବାରିକ ଆତ୍ମୀୟ ସ୍ୱଜନ, ଥଟ୍ଟା ପରିହାସର ଲୋକ ଇତ୍ୟାଦିଙ୍କ ସହ ଖେଳିବା । ତେବେ ଏହା ଏକ ସର୍ବସାଧାରଣ ଉତ୍ସବ ହେତୁ ଅଜଣା ବା ଅସଂପର୍କିତ ବ୍ୟକ୍ତି ସହିତ ଖେଳିବାରେ କିଛି ଅସୁବିଧା ନାହିଁ ।
ସତ କହିଲେ ହୋଲିର ତିନି ଚାରିଦିନ ପୂର୍ବରୁ ‘ରଙ୍ଗପାଣି’ ପ୍ରସ୍ତୁତ ପର୍ବ ଆରମ୍ଭ ହୋଇଥାଏ । ଘରେ ଘରେ ବିବାହିତ ମହିଳା ଓ ତାଙ୍କ ଛୁଆମାନଙ୍କ ପାଇଁ ନୂଆ ଲୁଗା ହୁଏ । ଘରେ ମିଠା ଇତ୍ୟାଦି ପ୍ରସ୍ତୁତ ହୋଇ ରଖାଯାଏ । ପୂର୍ଣ୍ଣମୀ ଦିନ ସଂଧ୍ୟାବେଳେ ଉତ୍ସବାଗ୍ନି ରାସ୍ତାର ଛକମାନଙ୍କରେ ଅନୁଷ୍ଠିତ ହୁଏ । ଏହାକୁ ‘ପୁନୋ’ କୁହନ୍ତି । ତା’ପର ଦିନ ଅର୍ଥାତ୍ ଚୈତ୍ର ପ୍ରଥମ ଦିନ ହୋଲିପର୍ବ ପାଳନ ହୁଏ । ସକାଳୁ ସକାଳୁ ଆରମ୍ଭ ହୋଇ ଯାଏ ହୋଲିପର୍ବ । ଲୋକେ ଘରଘର ବୁଲି ହୋଲି ଖେଳନ୍ତି । ଏହି ଅବସରେ ମିଠାର ଆଦାନ ପ୍ରଦାନ ହୁଏ । ହୋଲିର ଖେଳ, ତାମ୍‌ସା ଓ ମାତ୍ତପୁରୀ ଚାଲେ, ଦ୍ୱିପ୍ରହର ଗଡ଼ିଲା ବେଳଯାଏ । ତା’ପରେ ହୋ ହାଲ୍ଲା ଓ ନାଚଗୀତ, ବାଜା ଓ ନାନା ଧମାକାରେ ସମସ୍ତେ ଗାଧୋଇ ପାଧୋଇ ଯାଆନ୍ତି । ରାତିକୁ କେତେକ ସ୍ଥାନରେ ହୋଲିର ଭୋଜିମିଳନ ହୁଏ । ଏହାହିଁ ହୋଲିର ପ୍ରଚଳିତ ପରମ୍ପରା ।
ସଂପ୍ରତି ହୋଲିର ରୂପରେଖ ଅର୍ଥାତ୍ ଏବେ ହୋଲିରେ ପରମ୍ପରାରେ ବ୍ୟତିକ୍ରମ ଦେଖାଯାଇଛି । ଏବେକାର ହୋଲି ଶାଳୀନତାର ସବୁ ସୀମା ଟପି ଯାଇଛି । ଏହି ଖେଳର ପଶ୍ଚାତ ଭାଗରେ ଅଛି ବହୁତ କିଛି ଭିନ୍ନ ଉଦ୍ଦେଶ୍ୟ ଜନିତ କାହାଣୀ । ସତେ ଯେମିତି ବହୁ ଦିନରୁ ଅପେକ୍ଷା କରିଥିବା ଗୋଟାଏ ସୁଯୋଗକୁ କାର୍ଯ୍ୟରେ ପରିଣତ କରିବାର ଇପ୍‌ସା ଏହା ପଛରେ ରହିଛି । ଖେଳରେ ବି କିଛି ମାନତି ଏବଂ ଚଳନୀୟ କଥା ଅଛି; କିନ୍ତୁ ଏବେ ମାନତି କଥା କେହି ବିଚାରୁନାହିଁ । ସେମିତି ପୂଜ୍ୟମାନଙ୍କୁ ଅର୍ଥାତ୍ ଗୁରୁଜନମାନଙ୍କୁ ହୋଲିରେ ଅବିର ଅର୍ପଣର ଏକ ବିଧି ଅଛି; ଅବିରରେ ପଦ ଓ ଶିରସ୍ପର୍ଶ ଏବଂ ଅନୁଜ୍ଞା ସୂଚକ ରଙ୍ଗର ପିଚକାରୀର ସମ୍ୟକ ସିଞ୍ଚନର ପରମ୍ପରା ଅଛି ।
ଆଉ ଫଗୁ ଅବିରର ଖେଳନାହିଁ । କେବଳ କେତେକ ପୁୁରୁଣା କାଳିଆ ବୁଢ଼ାବୁଢ଼ୀ କାଗଜରେ କିଛି ଅବିର ନେଇ କାହା ମୁଣ୍ଡରେ ଟିକିଏ ଦେଇଦିଅନ୍ତି । ହେଲେ ଏବେକାର ଛୁଆଠୁ ଭେଣ୍ଡିଆ ଯାଏଁ ମୁଣ୍ଡ ଫଟା ରଙ୍ଗର କାରବାର କରନ୍ତି ଯାହାକି ଯେତେ ଧୋଉଥିବ ସେତେ ବୋହୂଥିବ, ଘା’ ହେଉଥିବ, ଚୋପା ଛାଡ଼ୁଥିବ; ବିକୃତ ଦିଶୁଥିବ ବଦନ । ସେତିକି ନୁହେଁ, ଖେଳ ଆରମ୍ଭ ହୁଏ ଭାଙ୍ଗପଣାରେ । ନିଶାରେ ମାନନ୍ତି ନାହିଁ ଭଦ୍ର, ଅଭଦ୍ର, ମା-ଭଉଣୀ; ଚାଲିଛି ଝୁମିଝୁମାର ନାଚ, ବାଉଳାତୁଣ୍ଡ, ଅଶ୍ଳୀଳ ଗୀତ ଆସୁଛି ଟ୍ରଲିରେ ନଦା ହୋଇଥିବା ସାଉଣ୍ଡ ବକସରୁ । ରାତିକୁ ପୁଣି କୋଉ କ୍ଲବ ଘରେ ଅଥବା ବିଦ୍ୟାଳୟ ବାରଣ୍ଡା ବା ପତିତାଳୟରେ ସମବେତ ଭାବରେ ହୋଲି ନାଁରେ ପକା ଚାଲିଛି ହରିବୋଲ ମଦ ଓ ମାଂସରେ । ଏଥିକୁ ପାଟି ଫିଟାଇବାକୁ କା’ର ଯୁ’ ନାହିଁ । ଏ ଅସଭ୍ୟତାର ଇତି ନାହିଁ ।
ଯେଉଁ ପରମ୍ପରା କୁସଂସ୍କାର ଜଡ଼ିତ, ତାକୁ ଆମେ ମୂଳତ୍ପାଟନ କରିବୁ ନିଶ୍ଚିତ । ତେବେ ସୁପରମ୍ପରାକୁ ଚାଲୁ ରଖିବାରେ ବାଧା କେଉଁଠି? ପ୍ରତିଟି ପରମ୍ପରା ପଛରେ ଏକ ବୈଜ୍ଞାନିକ ସତ୍ୟ ଅଛି । ବିଜ୍ଞାନ ରହିତ ପରମ୍ପରାରେ କୌଣସି ଯଥାର୍ଥତା ନଥାଏ କି ତାହା ଧର୍ମ ପଦବାଚ୍ୟ ନୁହେଁ । ହୋଲିରେ ବ୍ୟବହୃତ ଅବିର ବା ଫଗୁ ଇତ୍ୟାଦି ମନୁଷ୍ୟ ଶରୀର ପ୍ରତି ଏକ ଓøଷଧ ଯଥା ପ୍ରତିଷେଧକ ଓ ପ୍ରତିରୋଧକ ପରି ଚର୍ମରୋଗକୁ କାମ କରେ । ଧର୍ମରୁ ଏହା ଏକ ଶୁଭଶୂଚକ । ସର୍ବୋପରି ସାମାଜିକ ଜୀବନରେ ଏହା ଏକ ଜାତୀୟତା ବୋଧକ ପର୍ବ । ଏହା ଉପାସ୍ୟମାନଙ୍କର ଉପଭୋଗର ପର୍ବ ।
ଅଧ୍ୟକ୍ଷ
ଓଡ଼ିଶା ଭାଷା ସଂରକ୍ଷଣ ଏବଂ ଗବେଷଣା ପ୍ରତିଷ୍ଠାନ,
ବିପିନ ବିହାରୀ ପାଠାଗାର,ଜଟଣୀ
ଦୂରଭାଷ : ୯୯୩୮୩୪୪୧୩୮

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ