ରଙ୍ଗ ପରିବର୍ତ୍ତନ ହୋଇନଥିବା କାରଣରୁ ମିଶନ ଶକ୍ତି ଭବନ କୋଠା ଉଦଘାଟନ ବାତିଲ
ଦିଗପହଣ୍ଡି, (ଅଳକ ନାଥ ମିଶ୍ର):ଦିଗପହଣ୍ଡି ବ୍ଲକ ମିଶନ ଶକ୍ତି ଭବନ କୋଠା ଉଦଘାଟନ ପାଇଁ ସୋମବାର ସମସ୍ତ ପ୍ରସ୍ତୁତି ସରିଥିଲା। ଏଥି ନିମନ୍ତେ ପୂଜା ପାଠ ମଧ୍ୟ ଚାଲିଥିଲା।ହେଲେ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶିତ କୋଠା ର ରଙ୍ଗ ବଦଳା ଯାଇନଥିବାରୁ ଶେଷ ମୁହୂର୍ତ୍ତରେ କୋଠା ଉଦଘାଟନ ଉତ୍ସବ କୁ ଯିବାପାଇଁ ଦିଗପହଣ୍ଡି ବିଧାୟକ ଡ଼.ସିଦ୍ଧାନ୍ତ ମହାପାତ୍ର ମନା କରିଦେଇଥିଲେ।ପରେ ସ୍ଥାନୀୟ ପ୍ରଶାସନ ପକ୍ଷରୁ ଉଦଘାଟନ କାର୍ଯ୍ୟକ୍ରମ କୁ ବାତିଲ କରାଯାଇଥିବା ଘଟଣା କୁ ନେଇ ସବୁଠି ଏବେ ଚର୍ଚ୍ଚା ଜୋର ଧରିଛି। ପରେ ବିଧାୟକ ରାଜସ୍ବ ବଙ୍ଗଳା ରେ ଆୟୋଜିତ ବ୍ଳକସ୍ତରୀୟ ଭତ୍ତା ଓ ତହସିଲ ସ୍ତରୀୟ ପଟ୍ଟା ବିତରଣ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ।ବ୍ଲକ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଆନୁକୂଲ୍ୟରେ ୮୦ ବର୍ଷରୁ ଉର୍ଦ୍ଧ୍ବ ଏବଂ ୮୦ ପ୍ରତିଶତ ବା ତଦୂର୍ଦ୍ଧ୍ବ ଦିବ୍ୟାଙ୍ଗ ହିତାଧିକାରୀଙ୍କୁ ଭତ୍ତା ବଣ୍ଟନ କରାଯାଇଥିଲା । ସେହିପରି ତହସିଲ କାର୍ଯ୍ୟାଳୟ ପକ୍ଷରୁ ଗ୍ରାମକଣ୍ଠ , ଦାଖଲ ଖାରଜ ଭଳି ୧୨୨ ହିତାଧିକାରୀ ଙ୍କୁ ବିଧାୟକ ରାଜସ୍ବ ପଟ୍ଟା ବଣ୍ଟନ କରିଥିଲେ ।ବ୍ଲକ ମତ୍ସ୍ୟ ସମ୍ପଦ ବିଭାଗ ଅଧିକାରୀ ନିଖିଳ କୁମାର ମହାରଣା ଙ୍କ ସଂଯୋଜନାରେ ଆୟୋଜିତ କାର୍ଯ୍ୟକ୍ରମରେ ବିଡ଼ିଓ ଡ. ଚିତ୍ତରଞ୍ଜନ ଦାସ , ତହସିଲଦାର ଅନିତା କୁମାରୀ ସାହୁ , ଦିଗପହଣ୍ଡି ଏନଏସି ଅଧ୍ୟକ୍ଷ ପ୍ରଫୁଲ ପଣ୍ଡା , ବ୍ଳକ ଉପାଧ୍ୟକ୍ଷା ସୁକାନ୍ତି ପ୍ରଧାନ ପ୍ରମୁଖ ମଞ୍ଚାସିନ ଥିଲେ । ଦିଗପହଣ୍ଡି ବ୍ଳକ କାର୍ଯ୍ୟାଳୟ ପକ୍ଷରୁ ମଧୁବାବୁ ପେନସନ ଓ ଏନ୍ଏସ୍ଏପି ଯୋଜନାରେ ୧୦୪୩ ଜଣ ଯୋଗ୍ୟ ହିତାଧିକାରୀ ଙ୍କୁ ଚିହ୍ନଟ କରାଯାଇଥିବା ବେଳେ ପ୍ରାୟ ୧ ଶହ ହିତାଧିକାରୀ ଙ୍କୁ ଭତ୍ତା ବଣ୍ଟନ କରାଯାଇଥିଲା । ବ୍ଳକ ସହକାରୀ ନିର୍ବାହୀ ଯନ୍ତ୍ରୀ ଇଂ. ରାଜୀବ ପ୍ରଧାନ , ପଞ୍ଚାୟତ ଉନ୍ନୟନ ଅଧିକାରୀ ଉମେଶ ସେଠୀ , ସାମାଜିକ ସୁରକ୍ଷା ଅଧିକାରୀ ରଶ୍ମୀ ପ୍ରକାଶିନୀ ଜାନୀ ଙ୍କ ସମେତ ବ୍ଳକ କର୍ମଚାରୀ ବୃନ୍ଦ ଓ ତହସିଲ ଅଧିନ ବିଭିନ୍ନ ସର୍କଲ ର ରାଜସ୍ବ ନୀରିକ୍ଷକ ବୃନ୍ଦ କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ । ସେହିପରି ବ୍ଳକର ବିଭିନ୍ନ ପଞ୍ଚାୟତର ସରପଞ୍ଚ , ସମିତିସଭ୍ୟ ଙ୍କ ସମେତ ପୂର୍ବତନ ସେବା ସମବାୟ ଜିଲା ସଭାପତି ସନାତନ ସଂଗ୍ରାମ ସିଂ , ଭାଜପା ଯୁବମୋର୍ଚ୍ଚା ଜିଲା ଉପସଭାପତି ବାପି ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ ।