ରଜ ମଉଜ

ରଜ ମଉଜ
– ଅମିନୀଲୁ ରାୟ
‘ରଜସ୍’ ଶବ୍ଦରୁ ‘ରଜ’ର ସୃଷ୍ଟି । ଏହାର ଅର୍ଥ ରଜସ୍ୱଳା ବା ଋତୁମତୀ । ଆମର ପରମ୍ପରା ଓ ବିଶ୍ୱାସ ଅନୁଯାୟୀ ବସୁମତୀ ଏହି ତିନି ଦିନ ରଜସ୍ୱଳା ହୁଏ । ଏହା ପରେ ବର୍ଷକ ପାଇଁ ସେ ହୁଏ ସୃଜନଶୀଳା । ତେଣୁ ଉକ୍ତ ତିନି ଦିନ ପାଇଁ କୃଷିକର୍ମ ବନ୍ଦ ରଖି ବସୁମାତାକୁ ବିଶ୍ରାମ ଦିଆଯାଏ ।
ଓଡିଶାରେ କେଉଁ ଆଦିମ କାଳରୁ ପାଳିତ ହୋଇଆସୁଥିବା ଏହି ତ୍ରୟ ଦିବସ ବ୍ୟାପୀ ରଜପର୍ବଟି ହେଉଛି ଏକ କୃଷିଭିତିକ ପର୍ବ । କାରଣ ପ୍ରାଚୀନ ଇତିହାସକୁ ସ୍ମରଣ କଲେ ଜଣାଯାଏ ସଭ୍ୟତାର ବିବର୍ତନ ଧାରାରେ କୃଷି ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଅଧିକାର କରିଆସିଛି । ଏହି କୃଷିକୁ କେନ୍ଦ୍ରକରି ଗଢିଉଠିଛି ଗୋଷ୍ଠୀ ଜୀବନ ଓ ପରେ ଗୋଷ୍ଠୀକୁ କେନ୍ଦ୍ରକରି ଗଢିଉଠିଛି କେତେ କେତେ ପର୍ବପର୍ବାଣି, ଉତ୍ସବ, ମହୋତ୍ସବ ଇତ୍ୟାଦି । ଏହି ରଜପର୍ବକୁ ଓଡିଶାର ଏକ ଜାତୀୟ ପର୍ବ କହିଲେ ଅତ୍ୟୁକ୍ତି ହେବ ନାହିଁ । କାରଣ ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ସମସ୍ତେ ଏହି ପର୍ବରେ ଭାଗ ନେଇ ଅପୂର୍ବ ଆନନ୍ଦ ମଧ୍ୟରେ ନିଜକୁ ହଜାଇ ଦେଇଥା’ନ୍ତି ।
ଆଦ୍ୟ ଆଷାଢର ମେଘମେଦୁର ଆକାଶ ତଳେ ବକ୍ରର ଗୁରୁଗମ୍ଭୀର ନାଦ ଶୁଣି ରୈାଦ୍ରତପ୍ତା ଧରଣୀ ପ୍ରାଣରେ ଆସେ ପୁଲକର ଜୁଆର । କଠୋର ନିଦାଘର ନିପୀଡନରେ ମ୍ରିୟମାଣା ଧୂସର ଧରଣୀ ପୁନର୍ବାର ସୃଜନର ନୂତନ ସ୍ୱପ୍ନରେ ଉନ୍ମତା ହୋଇଉଠେ । ସେ ହୁଏ ରଜସ୍ୱଳା । କୋଟି କୋଟି ସନ୍ତାନଙ୍କ ମୁହଁରେ ଆହାର ଦେବା ପାଇଁ ବର୍ଷକରେ ଥରେ ଆସେ ପୂର୍ଣ୍ଣ ଯୈ÷ାବନର ଦିପ୍ତି , ପୁଣି ଥରେ ସେ ସରସ ଶୋଭାରେ ଶ୍ରୀମଣ୍ଡିତା ହୋଇ କଲ୍ୟାଣମୟୀ ରୂପରେ ଆବିର୍ଭୂତା ହୁଏ । କୃଷିକାରୀ ମାନବ ଏହି ଅବସରରେ ପାଳନ କରେ ନାନାଦି ଉତ୍ସବ ଓ ମହୋତ୍ସବ । ସାମାଜିକ ଜୀବନରେ ସେ ସ୍ୱୀକାର କରେ ଯେ ମାତା ବସୁନ୍ଧରାର ଆବାହନୀ ହିଁ ହେଉଛି କୃଷିଜୀବୀର ପରମ କର୍ତବ୍ୟ ।ପୁନଶ୍ଚ କେଉଁ ଅନାଦି କାଳରୁ ଉକ୍ରଳୀୟ ସଂସ୍କୃତିରେ ରଜପର୍ବ ବା ମୃତିକା ପୂଜା ଏକ ପ୍ରଧାନ ଉତ୍ସବ ଭାବରେ ପାଳିତ ହୋଇଆସୁଅଛି ।
ଜ୍ୟେଷ୍ଠ ମାସର ଶେଷ ଦିନ ଓ ଆଷାଢ ମାସର ପ୍ରଥମ ଦୁଇ ଦିନ, ଏହିଭଳି ମୋଟ ତିନି ଦିନ ଓଡିଶାର ଘରେ ଘରେ ରଜପର୍ବ ପାଳନ କରାଯାଏ । ପ୍ରଥମ ଦିବସକୁ ‘ପହିଲି ରଜ’, ଦ୍ୱିତୀୟ ଦିବସକୁ ‘ରଜ ସଂକ୍ରାନ୍ତି’ ଓ ତୃତୀୟ ଦିବସକୁ ‘ଭୂମିଦାହ’ ନାମରେ ନାମିତ କରାଯାଇଛି । ସଭ୍ୟତାର ପ୍ରଥମ ଉନ୍ମେଷ ଘଟିଥିଲା ଏହି ମୃତିକା ବକ୍ଷରେ ଏବଂ ଏଇ ମୃତିକା ହିଁ ମହାନ୍ ମାନବ ସଭ୍ୟତା ଓ ସାମାଜିକ ଜୀବନର କରିଛି ପ୍ରାଣ ପ୍ରତିଷ୍ଠା । ମନୁଷ୍ୟର ଜୀବନଧାରଣ ନିମନ୍ତେ ବହୁ ପ୍ରକାର ବୈଜ୍ଞାନିକ ସାଧନ ଆବିସ୍କୃତ ହୋଇଥିଲେ ମଧ୍ୟ ଅନ୍ନ ମୁଠିକ ନିମନ୍ତେ ଯୁଗ ଯୁଗ ଧରି ମଣିଷ ମୃତିକା ଓ ମୈାସୁମୀ ଉପରେ ହିଁ ସଦାସର୍ବଦା ନିର୍ଭର କରିଆସିଛି ।
ମିଥୁନ ସଂକ୍ରାନ୍ତି ଦିନ ମୈାସୁମୀ ଏବଂ ମୃତିକାର ହୁଏ ମହାମିଳନ । ଘନ ମେଘମାଳା ଆକାଶ ପଥରେ ଭାସି ଭାସି ଆସି ଧରିତ୍ରୀ ବକ୍ଷରେ ଢାଳି ଦିଅନ୍ତି ଅଜସ୍ର ବାରିରାଶି । ନାରୀ ସଦୃଶା ଏଇ ମାତା ବସୁନ୍ଧରା ରଜସ୍ୱଳା ହୋଇ ପ’ୁଣି ଉତ୍ପାଦିକା ଶକ୍ତି ଲାଭ କରେ । ଉକ୍ରଳୀୟ ସଂସ୍କୃତିର ପ୍ରତୀକ ଏଇ ରଜପର୍ବର ପଶ୍ଚାତରେ କୈାଣସି ଦେବାଦେବୀଙ୍କର ପରିକଳ୍ପନା ନାହିଁ ।
ରଜପର୍ବକୁ ସର୍ବାଧିକ ଆନନ୍ଦ ଉଲ୍ଲାସ ମଧ୍ୟରେ ପାଳନ କରିବା ନିମନ୍ତେ ପ୍ରତ୍ୟେକ ପରିବାରରେ ପ୍ରାୟ ମାସକ ପୂର୍ବରୁ ପ୍ରସ୍ତୁତି ଆରମ୍ଭ ହୋଇଥାଏ । ସେଥିପାଇଁ ପହିଲି ରଜର ପୂର୍ବ ଦିନଟି ‘ସଜବାଜ’ ନାମରେ କଥିତ । ନିଜ ନିଜର କର୍ମଜଂଜାଳରୁ ଅବସର ନେଇ ଲୋକମାନେ କ୍ରିଡା କୈାତୁକ, ଆମୋଦ ପ୍ରମୋଦ ଓ ଆଳାପ ଆଲୋଚନା ମଧ୍ୟରେ ଦିନ ତିନୋଟିକୁ ଅତିବାହିତ କରନ୍ତି । ନାଚ, ଗୀତ, ତା’ସ, ପଶା ଓ ବାଗୁଡି ଖେଳ ଇତ୍ୟାଦି ହେଉଛି ଏହି ପର୍ବର ବିଶେଷ ଆକର୍ଷଣ । ପହିଲି ରଜର ପୋଡପିଠା ଉକ୍ତ ପର୍ବର ଏକ ପାରମ୍ପରିକ ବିଧି । ପହିଲି ରଜର ପ୍ରତ୍ୟୁଷରୁ ଏହି ପିଠାକୁ କାଟି ଖିଆଯାଏ ଏବଂ ପ୍ରିୟ ପରିଜନ ଓ ପ୍ରତିବେଶୀଙ୍କ ମଧ୍ୟରେ ବଂଟାଯାଏ ।
କୁମାରୀମାନଙ୍କ ନିମନ୍ତେ ଉକ୍ତ ପର୍ବର ଏକ ବିଶେଷ ଆକର୍ଷଣ ହେଉଛି ଦୋଳି । ଗ୍ରାମ ଉପାନ୍ତରେ ଆମ୍ବତୋଟାରେ, ମନ୍ଦିର ପ୍ରାଙ୍ଗଣରେ ଅଥବା ନିଜ ଗୃହର ପଶ୍ଚାତ୍ଭାଗ ବାଡିପଟରେ ବୃକ୍ଷ ଡାଳରେ ଦୋଳିମାନ ଝୁଲାଇଦିଆଯାଏ । ଦୋଳି ସହିତ ସେମାନଙ୍କ ସୁଲଳିତ ସଂଗୀତର ମୂର୍ଛନା ଗ୍ରାମ୍ୟ ପରିବେଶକୁ ମଧୁମେୟ କରେ । କିଛି କିଛି ସ୍ଥାନରେ ଦୋଳି ଖେଳର ପ୍ରତିଯୋଗିତାମାନ ମଧ୍ୟ ଅନୁଷ୍ଠିତ ହୁଏ । ରଜଦୋଳି ଏବଂ ଦୋଳି ଉଦ୍ଦେଶ୍ୟରେ ରଚିତ ଗୀତଗୁଡିକ ଓଡିଶୀ ସଂସ୍କୃତିର ପରିଚୟ ପ୍ରଦାନ କରିଥାଏ ।
ପହିଲି ରଜ ପ୍ରତ୍ୟୁଷରୁ ବାଳିକାମାନେ ସେମାନଙ୍କର ସ୍ନାନାଦି ନିତ୍ୟକର୍ମ ଶେଷ କରି ବିଭିନ୍ନ ରଙ୍ଗର ବେଶଭୂଷାରେ ସଜ୍ଜିତ ହୁଅନ୍ତି । କୁମାରୀମାନେ ନବବସ୍ତ୍ର ପରିଧାନ କରି ମୁଣ୍ଡରେ ତିଳକ ଲଗାଇ ପୋଡପିଠା ଖାଇବାର ଆନନ୍ଦ ମଧ୍ୟରେ ରଜପର୍ବର ଆବାହନୀ କରନ୍ତି । ଏହି ପର୍ବରେ ସେମାନଙ୍କର ପାଦ ଭୂମିସ୍ପର୍ଶ ନକରିବାର ବିଧି ବହୁକାଳରୁ ପ୍ରଚଳିତ । ସେଥିପାଇଁ ପୂର୍ବେ କୁମାରୀମାନେ ଗୁଆଗଛର ବଳ୍କଳକୁ ପାଦୁକା ସଦୃଶ କାଟି ବ୍ୟବହାର କରୁଥିଲେ । ସଂପ୍ରତି ବଳ୍କଳ ସ୍ଥାନରେ ଆଧୁନିକ ଢଙ୍ଗରେ ନିର୍ମିତ ଚପଲମାନ ବ୍ୟବହୃତ ହେଉଛି । ପିଠାପଣା, କ୍ରିଡାକୈାତୁକ, ତାମ୍ବୁଳ ବଂଟନ ଓ ଆନନ୍ଦ ଉଲ୍ଲାସର ବିପୁଳ ଆୟୋଜନ ମଧ୍ୟରେ ପ୍ରଥମ ଦୁଇ ଦିନ ଅତିବାହିତ ହୁଏ । ତୃତୀୟ ଦିବସଟି ଭୂମିଦାହ ନାମରେ କଥିତ ହେଉଥିବାରୁ ସେଦିନ ଭୂମିକୁ ପୂର୍ଣ୍ଣ ବିଶ୍ରାମ ଦିଆଯାଏ । ଅର୍ଥାତ୍ ଭୂମିରେ କ୍ଷତ ବା ଆଘାତ ହେବାଭଳି କୈାଣସି କାର୍ଯ୍ୟ କରାଯାଏ ନାହିଁ । ରଜୋତ୍ସବର ଚତୁର୍ଥ ଦିବସର ପ୍ରତ୍ୟୁଷରେ ପ୍ରତ୍ୟେକ ଗୃହସ୍ଥର ଅଗଣାରେ କାଷ୍ଠ ଆସନ ଉପରେ କୃଷିକାର୍ଯ୍ୟର ଏକ ପ୍ରଧାନ ଉପକରଣ ଲଙ୍ଗଳ ଲୁହା ସହିତ ଶିଳପୁଆ ଓ ନାରିକେଳକୁ ଏକତ୍ର ସ୍ଥାପନ କରି କୃଷକ ଗୃହିଣୀ ହଳଦୀ ପାଣିରେ ସ୍ନାନ କରାଇଦିଏ । ଏହାକୁ ‘ଧରାସ୍ନାନ’ ବା ‘ବସୁମତୀ ଗାଧୁଆ’ କୁହାଯାଏ । ଉତ୍ସବର ଉଦ୍ଜାପନ ସଂଗେ ସଂଗେ ବସୁମତୀର ବରପୁତ୍ର କୃଷକ ନିଜର ଆମୋଦ ଓ ଆଳସ୍ୟକୁ ପରିତ୍ୟାଗ କରି ନୂତନ କର୍ମ ପ୍ରେରଣା ନେଇ ସ୍ୱକର୍ମରେ ପୁଣି ଅଗ୍ରସର ହୁଏ । ଆଷାଢ ଆକାଶରୁ ଝର ଝର ହୋଇ ଝରିଆସେ ଭଗବାନ୍ଙ୍କର ଅସୀମ କରୁଣାର ଧାରା । ମାଟିର ବୁକୁ ଫଟାଇ ନୂତନ ଅଙ୍କୁରର ଉନ୍ମେଷ ଘଟେ । ଧରଣୀମାତା ନୂତନ ସୃଜନୀର ଆନନ୍ଦରେ ପୁଣି ଅଭିଭୂତା ହୋଇଉଠେ ।
ରଜପର୍ବରେ ପୋଡପିଠା ହେଉଛି ଉତ୍କଳୀୟ ସଂସ୍କୃତିର ଏକ ଅଂଶ । ପୁରୀ ଶ୍ରୀମନ୍ଦିରରେ ଜଗନ୍ନାଥଙ୍କ ନିକଟରେ ପ୍ରତ୍ୟହ ପୋଡପିଠା ଲାଗିହେବାର ପରମ୍ପରା ବହୁଦିନରୁ ପ୍ରଚଳିତ । ସମ୍ଭବତଃ ଉକ୍ତ ପରଂପରା ରଜ ପୋଡପିଠାରେ ପ୍ରତିଫଳିତ ।
ଆଧୁନିକତାର ପ୍ରଭାବରେ ମନୁଷ୍ୟର ରୁଚି ଓ ରୀତିରେ ବହୁ ପରିବର୍ତନ ଘଟିଛି । ଜନନୀ ବସୁନ୍ଧରା ସହିତ ମନୁଷ୍ୟ ଶିଶୁର ଯୁଗ ଯୁଗର ଆତ୍ମୀୟତା ଏବେ ଖଣ୍ଡିତ ହୋଇଛି । କୃଷି ଓ କୃଷକ ଉଭୟଙ୍କର ଭାଗ୍ୟ ହୋଇଛି ବିଡମ୍ବିତ । ପରିବେଶ କ୍ଷୟ ଯୋଗୁଁ ମୈାସୁମୀର ସ୍ୱାଭାବିକ ପ୍ରଭାବ ହୋଇଛି ବିଘ୍ନିତ । ଆଜି ଆଉ ବିଂଶ ଶତାବ୍ଧୀର ଶିକ୍ଷିତା ନାରୀ ଆଦ୍ୟ ଆଷାଢର ଶୁଭ ତୃତୀୟ ଦିବସର ପ୍ରତ୍ୟୁଷରୁ ଉଠି ଘର ଆଗଣାରେ ଲଙ୍ଗଳ ଲୁହା ଓ ଶିଳପୁଆଟିଏ ସ୍ଥାପନ କରି ଶୁଦ୍ଧ ହୃଦୟରେ ତାହାକୁ ହଳଦୀ ପାଣିରେ ସ୍ଥାନ କରାଇବାକୁ ଆଗ୍ରହ ପ୍ରକାଶ କରୁନାହିଁ । ଲଙ୍ଗଳ ଲୁହା ବି ଆଜି ଆଉ କୃଷକ ପରିବାରରେ ସୁଲଭ ନୁହେଁ । ଆଜି କୃଷି ହୋଇଛି ହେୟ, ମୃତିକା ହୋଇଛି ଅବହେଳିତ, ଆଧୁନିକତାର ପ୍ରଭାବରେ ମନୁଷ୍ୟ ହୋଇଛି ଉର୍ଦ୍ଧମୂଖ । ତେଣୁ ଆମ ବିଚାରରେ ଯନ୍ତ୍ର ସଭ୍ୟତାର ଅନୁଗାମୀ ମାନବ ମୃତିକା ଓ ମୈାସୁମୀର ଆଦର କରି ନ ଶିଖିଲେ, ତାହାର ମହତ୍ୱକୁ ଉପଲବ୍ଧି ନ କଲେ, ସଭ୍ୟତାର ଧ୍ୱଂସ ନିଶ୍ଚିତ ।
-ଘାଗଡା, ରାହାମା, ଜଗତ୍ସିଂହପୁର / ମୋ-୯୯୩୭୪୧୨୫୧୫

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ