ରଣଚୋର କୃଷ୍ଣ
ଇକ୍ଷାକୁ ବଂଶର ପ୍ରସିଦ୍ଧ ବଂଶଧର ମୁଚୁକୁନ୍ଦ ଯେତେବେଳେ ଭଗବାନ୍ ଶ୍ରୀକୃଷ୍ଣଙ୍କର ଆଶୀର୍ବାଦ ଲାଭ କଲାପରେ ସେ ଗୁମ୍ଫାମଧ୍ୟରେ ଭଗବାନଙ୍କୁ ପ୍ରଦକ୍ଷିଣ କରି ଗୁମ୍ଫାର ବାହାରକୁ ଆସି ମୁଚୁକୁନ୍ଦ ଦେଖିଲେ ଯେ ମାନବମାନେ ବାମନାକାର ହୋଇପଡିଛନ୍ତି । ସେହିପରି ବୃକ୍ଷଗୁଡ଼ିକ ମଧ୍ୟ ଖୁବ୍ କ୍ଷୁଦ୍ରକାୟ ହୋଇଯାଇଛନ୍ତି ଏବଂ ମୁଚୁକୁନ୍ଦ ସାଙ୍ଗେ ସାଙ୍ଗେ ବୁଝି ପାରିଲେ ଯେ ବର୍ତ୍ତମାନର ଯୁଗ ହେଉଛି କଳିଯୁଗ । ତେଣୁ ତାଙ୍କର ଧ୍ୟାନ ଅନ୍ୟ ଆଡ଼କୁ ନ ଦେଇ ସେ ଉତ୍ତର ଦିଗକୁ ଯାତ୍ରା ଆରମ୍ଭ କଲେ। ଶେଷରେ ସେ ଗନ୍ଧମାର୍ଦ୍ଦନ ପର୍ବତରେ ପହଞ୍ଚିଲେ । ମୁଚୁକୁନ୍ଦ ସ୍ଥିର କଲେ ଯେ, ସେ ଜୀବନର ଅବଶିଷ୍ଟ ସମୟ ଏହି ଗନ୍ଧମାର୍ଦ୍ଦନ ପର୍ବତରେ ବ୍ରତବିଧି ପାଳନ କରି ତପଶ୍ଚରଣରେ କଟାଇବେ । ଜଣାଯାଏ ଯେ ଏହି ସ୍ଥାନଟି ହିମାଳୟ ପର୍ବତର ଉତରା ଅଂଶରେ , ଯେଉଁ ଠାରେ ନର – ନାରାୟଣଙ୍କର ଆସ୍ଥାନ ଅବସ୍ଥିତ, ସେହିଠାରେ ଅବସ୍ଥିତ । ସେହି ବଦରିକାଶ୍ରମରେ ସେ ଏ ଭୌତିକ ଜଗତର ସମସ୍ତ ପ୍ରକାର ଦ୍ୱନ୍ଦାତ୍ମିକା ଭାବ ସୁଖ- ଦୁଃଖ ଆଦିକୁ ଭୁଲିଯାଇ କୃଷ୍ଣଙ୍କର ଆରାଧନାରେ ଲିପ୍ତ ରହିଲେ । ଭଗବାନ ଶ୍ରୀକୃଷ୍ଣ ମଧ୍ୟ ମଥୁରାକୁ ଫେରି ଆସିଲେ ଏବଂ କାଳଯବନର ସୈନ୍ୟମାନଙ୍କ ସହିତ ଯୁଦ୍ଧକରି ଗୋଟି ଗୋଟି କରି ସମସ୍ତଙ୍କୁ ବଧ କଲେ । ତତ୍ପରେ ସେ ମୃତ ସୈନିକମାନଙ୍କ ଶରୀରରୁ ଲୁଣ୍ଠିତ ଦ୍ରବ୍ୟମାନ ସଂଗ୍ରହ କଲେ ଏବଂ ତାଙ୍କ ନିର୍ଦ୍ଦେଶରେ ଖୁବ୍ ବଳିଷ୍ଠ ଲୋକମାନେ ସେଗୁଡ଼ିକ ବଳଦ ଗାଡ଼ିରେ ଦ୍ଵାରିକାକୁ ଆଣିଲେ । ଇତି ମଧ୍ୟରେ ଜରାସନ୍ଧ ପୁନର୍ବାର ମଥୁରା ଆକ୍ରମଣ କଲା । ଏଥର ସେ ଅଧିକ ସଂଖ୍ୟକ ସୈନ୍ୟ ଅର୍ଥାତ୍ ତେଇଶି ଅକ୍ଷୌହିଣୀ ସୈନ୍ୟ ନେଇ ଚଳାଇଲା । ଭଗବାନ୍ ଶ୍ରୀକୃଷ୍ଣ ବିପୁଳ ସୈନ୍ୟବାହିନୀ ସହ ଜରାସନ୍ଧର ଅଷ୍ଟାଦଶବାର ଆକ୍ରମଣରୁ ମଥୁରାକୁ ରକ୍ଷା କରିବାକୁ ଇଚ୍ଛାକଲେ । ସୈନ୍ୟମାନଙ୍କୁ ଆଉ ନ ମାରି ଏବଂ ଅନ୍ୟ ଏକ ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟ ଉପଲକ୍ଷେ ଭଗବାନ୍ ଶ୍ରୀକୃଷ୍ଣ ଯୁଦ୍ଧ ନ କରି ରଣକ୍ଷେତ୍ର ଛାଡ଼ି ପଳାଇଲେ । ବାସ୍ତବରେ ସେ ଭୀତତ୍ରସ୍ତ ହୋଇ ପଳାୟନ କରି ନ ଥିଲେ, କିନ୍ତୁ ସେ ଏକ ସାଧାରଣ ମାନବ ଭଳି ଜରାସନ୍ଧର ବିପୁଳ ସୈନ୍ୟବାହିନୀ ଓ ଆଡ଼ମ୍ବର ଦେଖ୍ ଭୀତତ୍ରସ୍ତ ହେଲାପରି ଛଳନା କଲେ । ବିନା ଅସ୍ତ୍ରଶସ୍ତ୍ରରେ ସେ ରଣକ୍ଷେତ୍ର ତ୍ୟାଗ କଲେ । ଯଦିଓ ତାଙ୍କର ପାଦପଦ୍ମ ପଦ୍ମପାଖୁଡ଼ା ପରି ଅତି କୋମଳ, ତଥାପି ପାଦରେ ଚାଲି ଚାଲି ବହୁତ ଦୂର ଗଲେ । ଏଥର ଜରାସନ୍ଧ ଭାବିଲା କୃଷ୍ଣ ଓ ବଳରାମ ତା’ର ସୈନ୍ୟବଳ ଦେଖି ଅତ୍ଯନ୍ତ ଡ଼ରିଗଲେ ଏବଂ ଯୁଦ୍ଧ କ୍ଷେତ୍ରରୁ ପଳାୟନ କଲେ । ସେ ତା’ର ସମସ୍ତ ରଥ, ଘୋଡ଼ା ଏବଂ ପଦାତିକ ସୈନ୍ୟ ସହ ସେମାନଙ୍କର ଅନୁଧାବନ କଲା । ସେ କୃଷ୍ଣ ଓ ବଳରାମଙ୍କୁ ସାଧାରଣ ମାନବ ବୋଲି ଭାବିଲା ଏବଂ ଭଗବାନଙ୍କର କାର୍ଯ୍ୟାବଳୀକୁ କଳନା କରିବାକୁ ଚେଷ୍ଟାକଲା । କୃଷ୍ଣ “ରଣଚୋର” ନାମରେ ପରିଚିତ । ଏହାର ଅର୍ଥ “ରଣକ୍ଷେତ୍ରରୁ ପଳାତକ” । ଭାରତବର୍ଷରେ ବିଶେଷତଃ ଗୁଜୁରାଟରେ ଅନେକ କୃଷ୍ଣ ମନ୍ଦିର ଅଛି ସେଗୁଡ଼ିକ “ରଣଚୋରଜୀ” ମନ୍ଦିର ନାମରେ ପରିଚିତ । ସାଧାରଣତଃ ଯଦି ଜଣେ ରାଜା ଯୁଦ୍ଧ ନ କରି ରଣକ୍ଷେତ୍ର ଛାଡ଼ି ଚାଲିଯାଏ, ତେବେ ତାକୁ ଭୀରୁ ବୋଲି କୁହାଯାଏ, କିନ୍ତୁ କୃଷ୍ଣ ଯେତେବେଳେ ଏ ପ୍ରକାର ଲୀଳା କଲେ, ଯୁଦ୍ଧ ନ କରି ରଣକ୍ଷେତ୍ର ଛାଡ଼ି ଚାଲିଗଲେ, ସେ ଭକ୍ତମାନଙ୍କ ଦ୍ବାରା ପୂଜିତ ହେଲେ । ଗୋଟିଏ ରାକ୍ଷସ ସର୍ବଦା କୃଷ୍ଣଙ୍କର ଐଶ୍ବର୍ଯ୍ୟକୁ କଳନା କରିବାକୁ ଚେଷ୍ଟାକରେ ,କିନ୍ତୁ ଭକ୍ତ ତାଙ୍କର ବଳ ଓ ଐଶ୍ୱର୍ଯ୍ୟକୁ କଳନା କରିବାକୁ ଚେଷ୍ଟା କରେ ନାହିଁ । ଭକ୍ତ ସର୍ବଦା ତାଙ୍କର ଶରଣାପନ୍ନ ହୁଏ ଏବଂ ତାଙ୍କୁ ପୂଜାକରେ । ଶୁଦ୍ଧଭକ୍ତମାନଙ୍କର ପଦାଙ୍କୁ ଅନୁସରଣକରି ଆମ୍ଭେମାନେ ଜାଣିପାରିବା ଯେ, “ରଣଚୋର କୃଷ୍ଣ” ଭୀତତ୍ରସ୍ତ ହୋଇ ରଣକ୍ଷେତ୍ର ତ୍ୟାଗ କରି ନ ଥିଲେ, ତାଙ୍କର ଅନ୍ୟ ଉଦ୍ଦେଶ୍ୟ ଥିଲା । କ’ଣ ଉଦ୍ଦେଶ୍ୟ ଥିଲା, ତାହା ପରେ ଜଣାପଡ଼ିବ । ତାଙ୍କୁ ତାଙ୍କର ଭବିଷ୍ୟତର ପ୍ରଥମ ସ୍ତ୍ରୀ ରୁକ୍ମଣୀଙ୍କର ଏକ ଗୁପ୍ତ ପତ୍ର ପାଠକରିବାକୁ ଥିଲା । କୃଷ୍ଣଙ୍କର ‘ରଣକ୍ଷେତ୍ର ତ୍ୟାଗ’ ତାଙ୍କର ଷଡେଶ୍ବର୍ଯ୍ୟ ମଧ୍ୟରୁ ଏକ ଐଶ୍ବର୍ଯ୍ୟର ପ୍ରକାଶ । କୃଷ୍ଣ ହେଉଛନ୍ତି ସର୍ବଶକ୍ତିମାନ୍, ସମସ୍ତ ଧନର ମାଲିକ (ଅର୍ଥାତ୍ ପରମ ଧନଶାଳୀ), ପରମ ଯଶସ୍ତ୍ରୀ, ପରମ ଜ୍ଞାନୀ, ପରମ ସୌନ୍ଦର୍ଯ୍ୟଶାଳୀ, ଠିକ୍ ସେହିପରି ସେ ପରମତ୍ୟାଗୀ ଅଟନ୍ତି। ଶ୍ରୀମଦ୍ ଭାଗବତମ୍ରେ ପରିଷ୍କାରଭାବରେ କୁହାଯାଇଛି ଯେ, ଯଥେଷ୍ଟ ସୈନ୍ୟବଳ ସତ୍ତ୍ୱେ ସେ ରଣକ୍ଷେତ୍ର ତ୍ୟାଗ କଲେ। ଏପରିକି ସୈନ୍ୟବାହିନୀର ବିନାସାହାଯ୍ୟରେ ମଧ୍ୟ ସେ ଏକାକୀ ଜରାସନ୍ଧର ବିପୁଳ ସୈନ୍ୟବାହିନୀକୁ ପରାସ୍ତ କରି ପାରିଥାନ୍ତେ। ପୂର୍ବରୁ ସତରଥର ସେ ଏପରି କରିଛନ୍ତି। ତେଣୁ ତାଙ୍କର ରଣକ୍ଷେତ୍ର ତ୍ୟାଗ, ତାଙ୍କର ପରମ ତ୍ୟାଗ – ଐଶ୍ବର୍ଯ୍ୟର ଏକ ଉଦାହରଣ ଅଟେ ।ଦୀର୍ଘ ସମୟ ଅତିକ୍ରମ କଲାପରେ, ଭାଇ ଦୁଇଟି ଅତ୍ୟଧିକ କ୍ଳାନ୍ତ ହୋଇପଡ଼ିଲା ପରି ଛଳନା କଲେ। ସେମାନଙ୍କର କ୍ଳାନ୍ତି ଅପନୋଦନ ନିମିତ୍ତ ସେମାନେ ସମୁଦ୍ର ପତ୍ତନରୁ କେତେକ ମାଇଲ ଉଚ୍ଚରେ ଥିବା ଏକ ଉଚ୍ଚ ପର୍ବତ ଉପରେ ଆରୋହଣ କଲେ । ଏହି ପର୍ବତର ନାମ ‘ପ୍ରବର୍ଷଣ’ କାରଣ ଏଠାରେ ସବୁବେଳେ ବର୍ଷା ହେଉଥାଏ । ପର୍ବତର ଅଗ୍ରଭାଗ ଇନ୍ଦ୍ରଙ୍କ ଦ୍ବାରା ପ୍ରେରିତ ମେଘମାଳା ଦ୍ବାରା ସବୁବେଳେ ଆଚ୍ଛାଦିତ ହୋଇଥାଏ । ଜରାସନ୍ଧ ଏକଥା ବୁଝିପାରିଲା ଯେ, ଦୁଇଭାଇ ତା’ ର ସୈନ୍ୟବଳ ଦେଖି ଭୀତତ୍ରସ୍ତ ହୋଇଗଲେ ଏବଂ ପର୍ବତର ଅଗ୍ରାଗରେ ଆତ୍ମଗୋପନ କଲେ । ପ୍ରଥମେ ସେ ସେମାନଙ୍କୁ ଅନେକ ସମୟ ଧରି ଖୋଜି ବାହାର କରିବାକୁ ଚେଷ୍ଟାକଲା, କିନ୍ତୁ ଯେତେବେଳେ ଖୋଜି ପାଇଲା ନାହିଁ, ସେତେବେଳେ ଠିକ୍ କଲା ଯେ, ପର୍ବତର ଅଗ୍ରଭାଗର ଚାରିପଟେ ନିଆଁ ଲଗାଇ ସେମାନଙ୍କୁ ବନ୍ଦୀକରି ମାରିବ । ପର୍ବତର ଅଗ୍ରଭାଗର ଚାରିପଟେ ତେଲ ଢ଼ାଳି ନିଆଁ ଲଗାଇଲା । ଯେତେବେଳେ ଅଗ୍ନି ଖୁବ୍ ପ୍ରଜ୍ଜ୍ଵଳିତ ହୋଇ ଉଠିଲା, କୃଷ୍ଣ ଓ ବଳରାମ ଅଠାଶୀ ମାଇଲ୍ ଉଚ୍ଚ ପର୍ବତର ଅଗ୍ରଭାଗରୁ ତଳକୁ ଡ଼େଇଁ ପଡ଼ିଲେ । ଏହିପରି ଯେତେବେଳେ ଅଗ୍ରଭାଗଟି ଜଳୁଥିଲା, ସେତେବେଳେ କୃଷ୍ଣ ଓ ବଳରାମ ଜରାସନ୍ଧର ଅଦୃଶ୍ୟରେ ସେଠାରୁ ଡେଇଁ ପଡିଲେ । କିନ୍ତୁ ଜରାସନ୍ଧ ଏହି ସିଦ୍ଧାନ୍ତରେ ଉପନୀତ ହେଲା ଯେ, ଭାଇଦୁଇଟି ଜଳିପୋଡ଼ି ପାଉଁଶ ହୋଇଯାଇଛନ୍ତି, ତେଣୁ ଆଉ ଯୁଦ୍ଧର ଆବଶ୍ୟକତା ନାହିଁ । ସେ ତା’ର ପ୍ରଚେଷ୍ଟାରେ କୃତକାର୍ଯ୍ୟ ହୋଇଛି, ଏହା ଭାବି ସେ ମଥୁରା ନଗରୀ ତ୍ୟାଗକଲା ଏବଂ ନିଜ ରାଜ୍ୟ ମଗଧକୁ ଫେରିଗଲା । କ୍ରମେ କୃଷ୍ଣ ଓ ବଳରାମ ସମୁଦ୍ର ବେଷ୍ଟିତ ଦ୍ବାରକା ନଗରୀରେ ପ୍ରବେଶ କଲେ। କ୍ରମଶଃ
ପ୍ରସନ୍ନ କୁମାର ପାଇକରାୟ
ସାମ୍ବାଦିକ , ଖୋର୍ଦ୍ଧା
୭୦୦୮୯୩୬୩୭୩