ରତ୍ନ ସିଂହାସନରେ ପଦ୍ମ ପାଖୁଡ଼ା ଉଭାନ

ପୁରୀ: ମହାପ୍ରଭୁଙ୍କ ରତ୍ନ ସିଂହାସନ ଡାହାଣ କଣ ସୁଦର୍ଶନଙ୍କ ସାମ୍ନା କାନ୍ଥର ପଦ୍ମ ପାଖୁଡ଼ା ଖଣ୍ଡିଆ ହୋଇଛି । ପଦ୍ମ ପାଖୁଡ଼ାର ଦେଢ଼ ପାଖୁଡ଼ା ଉଭାନ ହୋଇଯାଇଛି । ଏହାର ତଦନ୍ତ କରିବାକୁ ପ୍ରତିହାରୀ ସେବକ ଇପସୀତ ପତିହାରୀ ଦାବି କରିଛନ୍ତି । ସେ କହିଛନ୍ତି ନୀଳାଦି୍ର ବିଜେରେ ମହାପ୍ରଭୁ ରତ୍ନସିଂହାସନରେ ଅଧିଷ୍ଠିତ ହେବା ପରେ ଆମେ ପ୍ରଭୁଙ୍କ ସେବାରେ ହାଜର ହୋଇଥିଲେ । ଏହି ସମୟରେ ରତ୍ନ ସିଂହାସନ ଡାହାଣ ପାଶ୍ୱର୍ କାନ୍ଥରେ ଗୋଟିଏ ପଥର ଖୋଦିତ ପଦ୍ମ ଫୁଲର ଦେଢ଼ ପାଖୁଡ଼ା ଖଣ୍ଡିଆ ହୋଇ ଏକ ଗାତ ହୋଇଥିବା ଦେଖୁଥିଲୁ । ଏହାକୁ ଲୁଚାଇବା ଲାଗି ରଙ୍ଗ ବୋଳି ଦିଆଯାଇଛି । ପଦ୍ମ ପାଖୁଡ଼ା ଭାଙ୍ଗି କେହି ପଥର ନେଇ ଯାଇଥିବା ସେ ସନ୍ଦେହ ପ୍ରକାଶ କରିଛନ୍ତି । ଗଣମାଧ୍ୟମକୁ ସେ କହିଛନ୍ତି ଶ୍ରୀମନ୍ଦିର ଗର୍ଭଗୃହ ସ୍ଥିତ ରତ୍ନସିଂହାସନର ପଦ୍ମ ପାଖୁଡ଼ା ପୂର୍ବରୁ ଭାଙ୍ଗିଥିଲା ନା ମରାମତି ବେଳେ କିଏ ଭାଙ୍ଗି ଦେଇଛି ତାହାର ତଦନ୍ତ ଜରୁରୀ । ଘଟଣାର ସବିଶେଷ ତଦନ୍ତ ହୋଇ ଦାୟୀ ଅଫିସରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ କରାଯାଉ ବୋଲି ପ୍ରତିହାରୀ ସେବକ ଦାବି କରିଛନ୍ତି । ଘଟଣା ସମ୍ପର୍କରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ଦୃଷ୍ଟି ଆକର୍ଷଣ କରାଯିବାରୁ, ଅନୁଧ୍ୟାନ କରାଯିବ । କେହି ଦାୟୀ ଥିଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ହେବ ବୋଲି କହିଥିଲେ । ଅନ୍ୟ ପକ୍ଷରେ ଘଟଣାର ତଦନ୍ତ ସହ ପଥର ଉଭାନ କରିଥିବା ବ୍ୟକ୍ତିଙ୍କୁ ସାମ୍ନାକୁ ଆଣିବାକୁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ନିବେଦନ କରିଛନ୍ତି ସୂଚନା ଅଧିକାର କର୍ମୀ ଦିଲ୍ଲୀପ କୁମାର ବରାଳ । କିଛି ମାସ ତଳେ ଗରୁଡ଼ ସ୍ତମ୍ଭ ତଳ ଭାଗରେ ରହିଥିବା ଏକ ଛୋଟ ମୂର୍ତ୍ତିକୁ ଭାଙ୍ଗି ଉଭାନ କରି ନିଆଯାଇଥିବା ଜଣାପଡ଼ିଥିଲା । ଏହା ପଛର ରହସ୍ୟ ଏବେ ବି ଜଣାପଡ଼ିନାହିଁ । ମହାପ୍ରଭୁଙ୍କ ଭିତର ରତ୍ନ ଭଣ୍ଡାର ଯାଞ୍ଚ ହେଉନାହିଁ । ବ୍ରହ୍ମ ବିଭ୍ରାଟ ରିପୋର୍ଟ ଏବେ ଚାପି ହୋଇ ରହିଛି । ଏ ସବୁ ଘଟଣା ଅତ୍ୟନ୍ତ ନିନ୍ଦନୀୟ । ଏ ସବୁର ତଦନ୍ତ କରି ଧାର୍ମିକ ବିଶ୍ୱାସ ପ୍ରତି ଆଞ୍ଚ ଆଣୁଥିବା ବ୍ୟକ୍ତି ଓ ଅନୁଷ୍ଠାନକୁ ଦଣ୍ଡିତ କରିବାକୁ ସେ ଏଥିରେ ଉଲ୍ଲେଖ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ