ରଥଉପରେ ମହାପ୍ରଭୁଙ୍କ ସୁନାବେଶ

ପୁରୀ, (ଯୁଗାବ୍ଦ ନ୍ୟୁଜ):ଆଷ‌ାଢ଼ ଶୁକ୍ଳ ଏକାଦଶୀ ତିଥିରେ ବଡ଼ଦାଣ୍ଡରେ ବିରାଜମାନ ତିନିରଥ ଉପରେ ମହାପ୍ରଭୁ ସୁନାବେଶ(ବଡ଼ତଢ଼ାଉ ବେଶ)ରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି। ମହାପ୍ରଭୁଙ୍କ ଏହି ବିରଳ ବେଶ ଦର୍ଶନ କରି ଲକ୍ଷାଧିକ ଭକ୍ତ ନିଜକୁ ଧନ୍ୟ ମନେ କରିଛନ୍ତି। ପ୍ରଶାସନ ପକ୍ଷରୁ ବ୍ୟବସ୍ଥିତ ବେରିକେଡରେ ଯାଇ ଭକ୍ତମାନେ ମହାପ୍ରଭୁଙ୍କ ଦର୍ଶନ କରୁଛନ୍ତି। ବାହୁଡ଼ାଯାତ୍ରା ସାରି ଫେରିବା ପରେ ସିଂହଦ୍ବାରରେ ରଥ ଉପରୁ ଅଗଣିତ ଭକ୍ତଙ୍କୁ ସୁନାବେଶରେ ଦର୍ଶନ ଦେଉଛନ୍ତି ଚତୁର୍ଦ୍ଧା ବିଗ୍ରହ। ରାତି ୧୨ଟା ଯାଏଁ ଭକ୍ତମାନଙ୍କୁ ମହାପ୍ରଭୁ ସୁନାବେଶରେ ଦର୍ଶନ ଦେବେ ବୋଲି ସୂଚନା ରହିଛି। ରାତି ୧୨ଟା ପରେ ଓଳାଗି ନୀତି ହେବ।ସୁନାବେଶ ପାଇଁ ସନ୍ଧ୍ୟା ୫ଟାରୁ ପ୍ରକ୍ରିୟା ଆରମ୍ଭ ହୋଇଯାଇଥିବା ବେଳେ ‌ଶ୍ରୀଜିଉମାନଙ୍କୁ ଏହି ବେଶ କରିବା ପାଇଁ ୧ ଘଣ୍ଟାରୁ ଅଧିକ ସମୟ ଲାଗିଥିଲା। ଆଜି ବିଳମ୍ବିତ ରାତି ଯାଏଁ ଶ୍ରୀଜିଉମା‌ନେ ଭକ୍ତଙ୍କୁ ସୁନାବେଶରେ ଦର୍ଶନ ଦେବେ। ଏଥି ପାଇଁ ଭକ୍ତମାନେ ମହାପ୍ରଭୁଙ୍କ ଏହି ବିରଳ ବେଶ ‌ଦର୍ଶନ କରିବାକୁ ବଡ଼ଦାଣ୍ଡରେ ଅପେକ୍ଷା କରି ରହିଛନ୍ତି। ରତ୍ନବେଦିରେ ବିଭିନ୍ନ ସମୟରେ ସୁନାବେଶରେ ଦର୍ଶନ ଦେଉଥିବା ମହାବାହୁ ମହଣ ମହଣ ରତ୍ନଖଚିତ ସୁବର୍ଣ୍ଣ ଅଳଙ୍କାର ପିନ୍ଧି ବଡ଼ଦାଣ୍ଡରେ ଦେଉଛନ୍ତି ଦର୍ଶନ। ସୁନାର କିରିଟ, କୁଣ୍ଡଳ, ରତ୍ନଖଚିତ ଘାଗଡ଼ା ମାଳି, ବାହାଡ଼ା ମାଳି, ତାବିଜ ମାଳି, ହରିଡ଼ା କଦମ୍ୱ ମାଳି, ବାଘନଖୀ ମାଳି, ସେବତୀ ମାଳି, ହଳମୁଷଳ, ଚକ୍ର, ତିଳକ, ଆଡ଼କାନି, ଚନ୍ଦ୍ର-ସୂର୍ଯ୍ୟ, ଅଳକା, ଓଡ଼ିଆଣୀ, ଚନ୍ଦ୍ରିକା, ତଡ଼ଗି ଆଦି ଆଭୂଷଣରେ ହୋଇଛନ୍ତି ଆଭୂଷିତ।ସୁନାବେଶ ପାଇଁ ସ୍ବତନ୍ତ୍ର ନୀତି ନିର୍ଘଣ୍ଟ ହୋଇଛି। ନିର୍ଘଣ୍ଟ ନୀତି ଅନୁଯାୟୀ, ସନ୍ଧ୍ୟା ୫ଟାରୁ ସୁନାବେଶ ଆରମ୍ଭ ହୋଇଛି। ରାତି ୧୦ଟା ପର୍ଯ୍ୟନ୍ତ ସୁନାବେଶରେ ଦର୍ଶନ ଦେବା ପରେ ବେଶ ଓଲାଗି ହେବ। ଶୃଙ୍ଖଳିତ ଦର୍ଶନ ତଥା ଭିଡ଼ ନିୟନ୍ତ୍ରଣ ପାଇଁ ପ୍ରତିବର୍ଷ ଭଳି ମାର୍କେଟ୍‌ ଛକରୁ ବଡ଼ଦାଣ୍ଡରେ ବାରିକେଡ୍‌ ବ୍ୟବସ୍ଥା କରାଯାଇଛି। ବଡ଼ଦାଣ୍ଡରେ ବାମପାର୍ଶ୍ବରୁ ରଥ ଆଗ ଦେଇ ଦର୍ଶନ ପାଇଁ ଛାଡ଼ି ଡାହାଣ ପାର୍ଶ୍ବରେ ପ୍ରସ୍ଥାନ ବ୍ୟବସ୍ଥା ହୋଇଛି। ଭିଡ଼ ଓ ଅନୁପ୍ରବେଶ ରୋକିବାକୁ ଶ୍ରୀମନ୍ଦିର ଚତୁଃପାର୍ଶ୍ବ ସଂଯୋଗ ରାସ୍ତାକୁ ସିଲ୍‌ କରିବାକୁ ପୁଲିସ ପ୍ରଶାସନ ଯୋଜନା କରିଛି। ସୁରକ୍ଷା ବ୍ୟବସ୍ଥାକୁ ବି କଡ଼ାକଡ଼ି କରି ଦିଆଯାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ