ରଥଖଳା ଚଳଚଞ୍ଚଳ , ରଥଯାତ୍ରା ଆଉ ୩୨ଦିନ
ପୁରୀ (ଜୁଗାବ୍ଦ ନ୍ୟୁଜ୍): ଆସନ୍ତା ଜୁଲାଇ ମାସ ୪ ତାରିଖରେ ଅନୁଷ୍ଠିତ ହେବ ମହାପ୍ରଭୁଙ୍କର ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା । ସେଥିପାଇଁ ଚଳଚଞ୍ଚଳ ଶ୍ରୀନଅର ସମ୍ମୁଖ ରଥଖଳା । ବିଶ୍ୱର୍କମା କାରିଗରମାନେ ଟାଣ ଖରାକୁ ଖାତିରି ନକରି ତାଙ୍କର ନିହଣ ମୁନରେ ବିଶ୍ୱନିୟନ୍ତାଙ୍କ ରଥ ନିର୍ମାଣ କାର୍ଯ୍ୟରେ ଆଗେଇ ଚାଲିଛନ୍ତି । ଯେପରି ଭାବରେ ମହାପ୍ରଭୁଙ୍କ ରାଥ ନିର୍ମାଣ କାର୍ଯ୍ୟରେ ବିଳମ୍ବ ନହୁଏ ଏବଂ ରଥ ନିର୍ମାଣରେ ତ୍ରୁଟି ହେବ ନାହିଁ । ତେଣୁ ପ୍ରତ୍ୟେକ ମୁହୂର୍ତ୍ତରେ କାର୍ଯ୍ୟକୁ ତନଖି କରିବାକୁ ପଡୁଥିବା କହିଛନ୍ତି ମହାପ୍ରଭୁ ନନ୍ଦିଘୋଷ ରଥର ମୁଖ୍ୟ ମହାରଣା ବିଜୟ ମହାପାତ୍ର ।
ସେ ଆହୁରି ମଧ୍ୟ କହିଛନ୍ତି ଯେ,ମହାପ୍ରଭୁଙ୍କ କାର୍ଯ୍ୟ କରିବା ସମୟରେ ଆମ୍ଭମାନଙ୍କୁ ବ୍ରତରେ ରହିବା ଆବଶ୍ୟକ । ରଥ ନିର୍ମାଣ ହେବାର ପୂର୍ବ ଏକ ମାସ ଠାରୁ ଅରୁଆ ଭୋଜନ କରିଥାଉ ଓ ପ୍ରତ୍ୟେକ ସମୟରେ ମହାପ୍ରଭୁଙ୍କୁ ସ୍ମରଣ କରି ରଥ ନିର୍ମାଣ କାର୍ଯ୍ୟ କରିଥାଉ । କାରଣ ତାଙ୍କ ବିନା ଅନୁମତିରେ କିଛି କାର୍ଯ୍ୟ କରିବା ସମ୍ଭବ ନୁହେଁ । ବର୍ତ୍ତମାନ ରଥଖଳାରେ ମହାରଣା ସେବାୟତମାନେ ତିନି ରଥର ଚକ ନିର୍ମାଣ କାର୍ଯ୍ୟରେ ଲାଗିପଡିଛନ୍ତି । କାରଣ ରଥର ଚକ ନିର୍ମାଣ କାର୍ଯ୍ୟ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ତେଣୁ ଚକ କାର୍ଯ୍ୟ ଶେଷ ହେଲା ପରେ ସେଥିରେ ବିଭିନ୍ନ ପ୍ରକାର ଚିତ୍ରକାର ସେବାୟତମାନେ ଚିତ୍ର ଅଙ୍କନ କରିବେ । ତତ୍ ସହିତ ରଥଖଳାରେ ଭୋଇ ସେବାୟତମାନେ ମୁଖ୍ୟ କାର୍ଯ୍ୟ ନିର୍ବାହ କରିଥାନ୍ତି । ରଥଖଳାରେ ରଥର ଆବଶ୍ୟକ କାଠ ଚିରଟ ହେଲା ପରେ ତାହାକୁ ଟେକି ମହାରଣା ସେବାୟତଙ୍କ ନିକଟରେ ଯୋଗାଇଥାନ୍ତି । ଫଳରେ ମାହାରଣା ଓ ଭୋଇ ସେବାୟତଙ୍କ ମିଳିତ ଉଦ୍ୟମରେ ରଥଖଳାରେ କାର୍ଯ୍ୟ ଆଗକୁ ଆଗ ବୃଦ୍ଧି ହୋଇଥାଏ ।
ଅନ୍ୟପକ୍ଷରେ ଶ୍ରୀମନ୍ଦିର ପରମ୍ପରା ଅନଯାୟୀ ତିନି ରଥର ନିର୍ମାଣ କାର୍ଯ୍ୟ ବିଧି ଅନୁସାରେ ଶେଷ କରିବା ପାଇଁ ଉଦ୍ୟମ ଜାରି ରହିଥିବା କହିଛନ୍ତି ମହାରଣା ସେବାୟତ । ଚକ ନିର୍ମାଣ କାର୍ଯ୍ୟ ଶେଷ ହେଲା ପରେ ନାହାକା କାର୍ଯ୍ୟ ଆରମ୍ଭ କରାଯିବ । ସେହିପରି କମାର ସେବାୟତମାନେ ଦୋଳବେଦୀ କୋଣ କମାର ଶାଳରେ ତିନି ରଥ ପାଇଁ ଆବଶ୍ୟକ କଣ୍ଟା ପ୍ରସ୍ତୁତ କରିବାରେ ଲାଗିପଡିଛନ୍ତି । ଶ୍ରୀଜିଉଙ୍କ ରଥଖଳାରେ ଚାଲିଥିବା ରଥ ନିର୍ମାଣ କାର୍ଯ୍ୟକୁ ଦେଖିବା ପାଇଁ ଯାତ୍ରୀଙ୍କ ଭିଡ଼ ଜମୁଥିବା ଦେଖିବାକୁ ମିଳିଛି ।