ରଥଯଜ୍ଞର ଶାନ୍ତି ଉଦକ : ଅଧରପଣା

(ଯୁଗାଦ୍ଦ ନ୍ୟୁଜ)ଶ୍ରୀଜଗନ୍ନାଥ ସଂସ୍କୃତିରେ ପ୍ରତିଟି କଥାର ବିଶେଷତ୍ୱ ଅଛି । ଏହି କାରଣରୁ ଶ୍ରୀଜୀଉମାନଙ୍କ ଠାରେ ଲାଗି ହେଉଥିବା ପଣାଭୋଗ ଗୁରୁତ୍ୱପୂର୍ଣ୍ଣ ଅଟେ । ଶ୍ରୀମନ୍ଦିରରେ ବୈଶାଖମାସରୁ ଆରମ୍ଭ କରି ଆଷାଢ଼ ପୂର୍ଣ୍ଣିମା ଯାଏ ଶ୍ରୀଜୀଉମାନଙ୍କୁ ପଣାଭୋଗ ଲାଗି କରାଯାଏ । ଚନ୍ଦନଯାତ୍ରା ସମୟରେ ଆଲଟଲାଗି ପରେ ଜୀଉମାନେ ଶୀତଳ ପ୍ରପାନକ ମଣୋହି କରନ୍ତି । ଅଣସର ସମୟରେ ଯେଉଁ ପଣା ଜୀଉମାନଙ୍କୁ ଲାଗିହୁଏ ତାହା ଅତି ସୁସ୍ୱାଦୁ । ଆଷାଢ଼ ଶୁକ୍ଲ ଦଶମୀ ଦିନ ଜୀଉମାନଙ୍କର ଗୁଣ୍ଡିଚା ମନ୍ଦିରରୁ ଶ୍ରୀମନ୍ଦିରକୁ ବାହୁଡ଼ା ଯାତ୍ରା ପରେ ନୀଳାଦ୍ରିବିଜେ ପୂର୍ବରୁ ଶୁକ୍ଲ ଦ୍ୱାଦଶୀ ଦିନ ଯେଉଁ ପଣା ଜୀଉମାନଙ୍କୁ ସିଂହଦ୍ୱାରସ୍ଥିତ ରଥ ଉପରେ ଲାଗି କରାଯାଏ, ଏହାର ନାମ ଅଧରପଣା । ଶ୍ରୀମନ୍ଦିର ସ୍ୱତ୍ୱଲିପିରେ ଲିପିବଦ୍ଧ ଅଛି ଯେ, ଏକାଦଶୀ ଦିନ ମଧ୍ୟାହ୍ନ ଧୂପ ପରେ ଅଧରପଣା ଲାଗି ହୁଏ । ଏହା ଦଶମୀ ଦିନ ରଥମାନେ ସିଂହଦ୍ୱାରସ୍ଥ ହେଲେ ଲାଗିବା କଥା; କିନ୍ତୁ ସମୟାଭାବରେ ଏହା ଏକାଦଶୀ ଦିନ ଅନୁଷ୍ଠିତ ହେଉଛି । ଏବେକୁ ସେହି କାରଣରୁ ଆଷାଢ଼ ଶୁକ୍ଲ ଦ୍ୱାଦଶୀ ଅବସରରେ ନୀଳାଦ୍ରୀ ବିଜେ ପୂର୍ବରୁ ଅଧରପଣା ଭୋଗ କରାଯାଉଛି ।
ଏହି ଅଧରପଣା ହେଉଛି ରଥଯଜ୍ଞର ବା ରଥଯାତ୍ରା ଜନିତ କ୍ଲାନ୍ତିର ଅପନୋଦନ ନିମନ୍ତେ ଶାନ୍ତି ଉଦକ । ଏ ଅଧରପଣା ଜୀଉମାନଙ୍କ ପ୍ରସାଦ ପରେ ରଥାରୁଢ଼ ଅନୁଚର ଗଣ ପାଇଥାନ୍ତି । ରଥଯାତ୍ରା ସମୟରେ ରଥପ୍ରତିଷ୍ଠା ବେଳେ ରଥପିଢ଼ି ଠାରୁ ଆରମ୍ଭ କରି ଧ୍ୱଜ ଓ ନେତ ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ବିଭିନ୍ନ ଦେବତା, ଋଷି, ଗନ୍ଧର୍ବ, ଯକ୍ଷ, ରକ୍ଷ, କିନ୍ନର, ଚଣ୍ଡି, ଚାମଣ୍ଡା, ଅଶରୀରୀ, ପିଶାଚ ଓ ଅନ୍ୟାନ୍ୟ ଯୋନିର ଦେବଦେବୀ ଗଣଙ୍କୁ ଆହ୍ୱାନ କରାଯାଇ ରଥରେ ସ୍ଥାନୀତ କରାଯାଇଥାଏ । ନବଦିନ ଯାତ୍ରାରେ ସେମାନେ ପ୍ରଭୁଙ୍କ ଅନୁଚର ଓ ରଥ ରକ୍ଷକ ଭାବେ ସେବା ଦେଇଥାନ୍ତି । ଯଜ୍ଞ ଶେଷରେ ଅଗ୍ନିକୁ ଶାନ୍ତି ପାଇଁ ଶୀତଳ ପ୍ରପାନକ ଅର୍ପଣ କଲାପରି ରଥଯଜ୍ଞରେ ସଂପୃକ୍ତ ସମସ୍ତଙ୍କୁ ଏ ଶାନ୍ତିର ଉଦକ ମିଳିବା ପରେ ରଥାଶ୍ରିତ ଦେବତା, ରକ୍ଷକ, ଗନ୍ଧର୍ବ, ପିଶାଚ ମାନେ ସ୍ୱ ସ୍ୱ ସ୍ଥାନ ଗମନ କରିଥାନ୍ତି ।
ଅଧରପଣା ହେଉଛି ବାହୁଡ଼ା ପରେ ସିଂହଦ୍ୱାରରେ ରଥାରୁଢ଼ ଅବସ୍ଥାରେ ଠାକୁରଙ୍କ ଅଧରକୁ ସ୍ପର୍ଶ କରୁଥିବା ପଣାଭୋଗ । ଜୀଉମାନଙ୍କୁ ପଣା ଅର୍ପଣ ପରେ ପଣା ତୁମ୍ବା ବା ହାଣ୍ଡିମାନଙ୍କୁ ଭାଙ୍ଗି ଦିଆଯାଏ । ବିଶ୍ୱାସ ଯେ, ଚକତଳେ ଥିବା ଅଥବା ଶ୍ରୀଜୀଉମାନଙ୍କ ଆଶ୍ରିତ ପ୍ରେତ ବା ପିଶାଚ ମାନେ ଏ ପଣା ପାଆନ୍ତୁ ଓ ତୃପ୍ତ ହୁଅନ୍ତୁ । ଏହାକୁ ଭକ୍ତ ଓ ସେବାୟତମାନଙ୍କୁ ସେବନ ପାଇଁ ବଂଟା ଯାଏ ନାହିଁ । କାରଣ ଏହା ଶାସ୍ତ୍ର ସମ୍ମତ ନୁହେଁ ।
ଏହି ପଣା ୯ଗୋଟି ଉପାଦାନରେ ପ୍ରସ୍ତୁତ ହୁଏ । ଏଗୁଡ଼ିକ ହେଲା ଛାଚି,କ୍ଷୀର,ସର,ଛେନା,ନବାତ,ପାଚିଲାକଦଳୀ, ଗୋଲମରିଚ ଗୁଣ୍ଡ, ବଟା ଜାଇଫଳ ଓ କର୍ପୁର । ଏମାନେ ସମସ୍ତେ ଏକତ୍ର ଜଳ ସହିତ ମିଶି ପଣା ପ୍ରସ୍ତୁତ ହୁଅନ୍ତି । ଏଥିପାଇଁ ଏକ ସ୍ୱତନ୍ତ୍ର ନୀତି ଅନୁସୃତ ହୁଏ । ଏହି ନୀତି ଅନୁଯାୟୀ ଆଷାଢ଼ ମାସ ଶୁକ୍ଲ ଦ୍ୱାଦଶୀଦିନ ମଧ୍ୟାହ୍ନ ଧୂପ ଶେଷ ହେଲା ପରେ ତିନୋଟି ରଥ ଉପରେ ଗୋଟିଏ ଲେଖାଏଁ ବଡ଼ ପିତଳ ହଣ୍ଡା ଆଣି ରଖାଯାଏ । ପାଣିଆପଟ ନିଯୋଗର ପାଳିଆ ସେବକମାନେ ସିଂହଦ୍ୱାର ନିକଟସ୍ଥ ଛାଉଣିମଠର କୂଅରୁ ଶୁଦ୍ଧ ଭାବରେ ବିଧି ପୂର୍ବକ ଜଳ ଆଣି ସେ ପିତଳ ହଣ୍ଡା ମାନଙ୍କରେ ରଖନ୍ତି । ପୂର୍ବେ ରାଧାବଲ୍ଲଭ ମଠରୁ ଏହି ଜଳ ଅଣାଯାଉଥିଲା । ଏହି ଜଳ କୂଅରୁ ଅଣାଗଲା ବେଳେ ମନ୍ଦିର କର୍ମଚାରୀମାନେ ହାତରେ ଗୁଆଖୋଳମାନ ଧରି ଲୋକଙ୍କୁ ବାଟରୁ ଆଡ଼ଉ ଥାଆନ୍ତି ଯେପରି କେହି ଉକ୍ତ ଜଳକୁ ସ୍ପର୍ଶ ନକରନ୍ତି ।
ଅଧରପଣା ପ୍ରସ୍ତୁତିରେ ତଳିଚ୍ଛ ମହାପାତ୍ର, ଭିତରଚ୍ଛ ମହାପାତ୍ର, ପାଳିଆ ମହାସୁଆର, ପାଣିପଟ, ପୁଷ୍ପାଳକ ଓ ପତ୍ରିବଡ଼ୁ ଆଦି ସେବାୟତ ସହଯୋଗ କରିଥାନ୍ତି । ପିତଳ ହଣ୍ଡାରେ ପାଣିରଖି ସାରିବା ଉତାରୁ ପାଳିଆ ମହାସୁଆର ମାନେ ଉକ୍ତ ହଣ୍ଡା ଜଳରେ କ୍ଷୀର, ସର, ପାଚିଲାକଦଳୀ, ଛେନା,ଗୋଲମରିଚଗୁଣ୍ଡ, କର୍ପୁର, ବଟା ଜାଇଫଳ ଓ ଛାଚି ଇତ୍ୟାଦି ମିଶାଇ ଅଧରପଣା ପ୍ରସ୍ତୁତ କରନ୍ତି । ଅଧରପଣା ଭୋଗ ପୂର୍ବରୁ ପାଳିଆ ମହାସୁଆରମାନେ ଥାଇ, ଭିତରଚ୍ଛ, ତଳିଚ୍ଛ ଓ ମଝିବାଡ଼ର ପାଳିଆ ପଶୁପାଳକମାନେ ଅଧରପଣା ଆଗରେ ଖଣ୍ଡେ ଖଣ୍ଡେ ନୂଆ ଗାମୁଛା ବାଡ଼ ଦେଇ ଟେରା ବାନ୍ଧିଥାନ୍ତି । ମହାପ୍ରଭୁଙ୍କ ଶ୍ରୀଅଧରକୁ ପାଇବା ଭଳି ଉଚ୍ଚ ଥିବା ତୁମ୍ବାକୃତି ତିନୋଟି ମାଟିହାଣ୍ଡି ଉପରେ ଅଧରପଣା ଛାଣିବା ପାଇଁ ଖଣ୍ଡେ ଖଣ୍ଡେ ଧଳା କରିକା (ଜାଲିକନା) ପକାଇଥାନ୍ତି । ତୁମ୍ବାକୃତି ଏ ମାଟିର ହାଣ୍ଡିଗୁଡ଼ିକ କୁମ୍ଭାରପଡ଼ା ଓ ମାଟିଆପଡ଼ାର କୁମ୍ଭାରମାନେ କୁରାଳ ପଂଚମୀ ଦିନ ତାଙ୍କ ଇଷ୍ଟଦେବତାଙ୍କ ପୂଜା ପରେ ପ୍ରଥମେ ଅନୁକୂଳ ଭାବେ ଏଗୁଡିକ ଗଢ଼ିଥାନ୍ତି ଓ ଶ୍ରୀମନ୍ଦିର ଭଣ୍ଡାରଘରେ ହସ୍ତାନ୍ତର କରିଥାନ୍ତି । ଆଷାଢ଼ ଶୁକ୍ଲ ଦଶମୀ ଦିନ ପାଣିପଟ ସେବକମାନେ ଏଗୁଡ଼ିକ କାଢ଼ି ଧୁଆଧୋଇ କରି ରଥକୁ ଆଣିଥାନ୍ତି ଏବଂ ସେଗୁଡିକୁ ଯଥାସ୍ଥାନରେ ରଖନ୍ତି । ଏହାପରେ ପୂର୍ବପ୍ରସ୍ତୁତ ଅଧରପଣାକୁ ପତ୍ରିବଡ଼ୁ, ସୁଆରବଡ଼ୁ ଓ ଗରାବଡ଼ୁ ପାଳିଆ ସେବକ ୩ ରଥରେ ମୁରୁଜ ଉପରେ ପୂଜା ଠା କରନ୍ତି । ଏଥୁଅନ୍ତେ ପାଳିଆ ପୂଜାପଣ୍ଡା ପଂଚପୋଚାରରେ ପୂଜା କରିଥାନ୍ତି ଏବଂ ଅଧରପଣା ହାଣ୍ଡି ଗୁଡ଼ିକୁ ଜୀଉମାନଙ୍କୁ ସମର୍ପଣ କରିଥାନ୍ତି । ଏହା ଜୀଉମାନଙ୍କର ପ୍ରସାଦ ହେଲା ପରେ ଅଧରପଣା ହାଣ୍ଡିଗୁଡ଼ିକୁ ଭାଙ୍ଗିଦିଆଯାଏ । ଫଳରେ ପଣାସବୁ ରଥର ବିଭିନ୍ନ ଅଂଶ ଭେଦ ସହ ଭୂଗାମୀ ହୋଇଥାଏ । ଏତିକି ବେଳେ ରଥାଶ୍ରିତ ବା ରଥକୁ ଆହୂତ ସମସ୍ତ ଦେବ, ଦେବୀ, ଗନ୍ଧର୍ବ, କିନ୍ନର, ପିଶାଚ, ଚଣ୍ଡୀ, ଚାମୁଣ୍ଡା ଓ ଆଉ ଯିଏ ଯେମିତି ଥାନ୍ତି ଏହି ପଣା ପାଇ ତୃପ୍ତି ପାଇଥାନ୍ତି ଓ ସ୍ୱ ସ୍ୱ ସ୍ଥାନ ପ୍ରତ୍ୟାବର୍ତନ କରିଥାନ୍ତି ।
ଏଠାରେ ରଥାଶ୍ରିତ ବା ରଥକୁ ଆହୂତ ଯେଉଁ ଦେବଦେବୀ ଓ ଅନ୍ୟମାନେ ଥାଆନ୍ତି ସେମାନଙ୍କ ମଧ୍ୟରେ ଅଛନ୍ତି-
ବଳଭଦ୍ରଙ୍କ ରଥରେ ଥିବା ସଙ୍କର୍ଷଣ, ରାମକୃଷ୍ଣ, ଗୋପାଳ, ଅନନ୍ତ, ଜୟଦୁର୍ଗା, ଗଣେଶ, କାର୍ତିକେୟ, ସର୍ବମଙ୍ଗଳା, ହଳାୟୁଧ, ମୃତ୍ୟୁଞ୍ଜୟ, ନାତାମ୍ବର, ମହେଶ୍ୱର, ଶେଷଦେବ, କ୍ଷେତ୍ରପାଳ, ଭୈରବ, ଅଷ୍ଟଶକ୍ତି, ତୁଙ୍ଗା, ତୁଙ୍ଗାଭଦ୍ରା, ପ୍ରଭା,ସୁପ୍ରଭା,ଭାତ୍ରୀ, ବିଧାତ୍ରୀ, ନନ୍ଦା, ସୁନନ୍ଦା ଆଦି ଦେବଦେବୀ, ଋଷିମାନଙ୍କ ମଧ୍ୟରେ ଥାନ୍ତି- ଅଙ୍ଗିିରା, ପୋଲସ୍ତ୍ୟ, ପୁଲହ,କ୍ରତୁ, ଅଗସ୍ତି, ମୁଦ୍ଗଳ, ଆତ୍ରେୟ, କାଶ୍ୟପ ଇତ୍ୟାଦି ଅଷ୍ଟଋଷି; ଅଶ୍ୱ ମଧ୍ୟରେ ଥାନ୍ତି- ତୀବ୍ର, ଘୋର, ଦୀର୍ଘତମ ଓ ସ୍ୱର୍ଣ୍ଣନାଭ । ସାରଥୀ ଥାନ୍ତି-ମାତଳୀ ଏବଂ ଅଶ୍ୱର ରଜ୍ଜୁ ଆକାରରେ ଥାନ୍ତି ବାସୁକୀ । ଏହିପରି ବିଧିମତେ ଅନ୍ୟ ଦେବଦେବୀ ଯେ ରହିବା କଥା ରହିଥାନ୍ତି ।
ମା’ ସୁଭଦ୍ରାଙ୍କ ରଥରେ ଥିବା ୯ ଜଣ ପାଶ୍ୱର୍ ଦେବତା ହେଲେ: ବିମଳା,ଚାମୁଣ୍ଡା, ଭଦ୍ରକାଳୀ,ହରଚଣ୍ଡୀ, ମଙ୍ଗଳା, ବରାହୀ, କାତ୍ୟାୟନୀ, ଜୟଦୁର୍ଗା ଏବଂ କାଳୀ ଇତ୍ୟାଦି । ଏମାନେ ସମସ୍ତେ ଶକ୍ତିରୂପିଣୀ ଅଟନ୍ତି । ଋଷି ମଧ୍ୟରେ ଥାନ୍ତି : ଭ୍ରୁଗୁ, ସୁପ୍ରଭ, ବ୍ରଜ,ଶୃଙ୍ଗୀ, ଧ୍ରୁବ ଓ ଭଲ୍ଲୁକ ଏବଂ ରଜ୍ଜୁ ରୂପରେ ଥାନ୍ତି : ନାଗସ୍ୱର୍ଣ୍ଣ ଭୂତ ଏହିପରି ସୁଭଦ୍ରାଙ୍କ ରଥରେ ଯୋଚା ଯାଇଥିବା ଅଶ୍ୱ ଏବଂ ଅନ୍ୟମାନେ ।
ସେହିପରି ଜଗନ୍ନାଥଙ୍କ ରଥରେ ବିରାଜମାନ କରିଥାନ୍ତି : ହନୁମାନ,ରାମ, ଲକ୍ଷ୍ମଣ, ନାରାୟଣ, କୃଷ୍ଣ, ଗୋବର୍ଦ୍ଧନ, ଚିନ୍ତାମଣି, ରାଘବ ଓ ନୃସିଂହ । ଋଷିମାନଙ୍କ ମଧ୍ୟରେ ଥାନ୍ତି : ନାରଦ, ବ୍ୟାସ, ଦେବକ, ଶୁକ, ପରାଶର, ବଶିଷ୍ଠ, ବିଶ୍ୱାମିତ୍ର ଓ ରୁଦ୍ର ଇତ୍ୟାଦି ୮ ଜଣ । ଶଙ୍ଖ ତଥା ରଥର ପଟ୍ଟଚିତ୍ରରେ ବିଦ୍ୟମାନ ଥାନ୍ତି : ଗନ୍ଧର୍ବ, ଗନ୍ଧର୍ବୀ, ନର୍ତକୀ, ଅପ୍ସରା, ଦେବଦେବୀ, ନାନା ଶକ୍ତି, ଋଷି, କିନ୍ନର ଇତ୍ୟାଦିଙ୍କ ବ୍ୟତୀତ ହସ୍ତୀ, ବିଡ଼ାଳ, ହଂସ, ଶୁକପକ୍ଷୀ ଓ ଅନ୍ୟାନ୍ୟ ପଶୁପକ୍ଷୀ, ତଥା ଅଶ୍ୱମାନଙ୍କ ମଧ୍ୟରେ ଥାଆନ୍ତି- ପ୍ରଜ୍ଞା, ଅନୁଜ୍ଞା, ଘୋରା ଏବଂ ଅଘୋରା ଇତ୍ୟାଦିି ଜୀଉଙ୍କ ସହିତ ଯାତ୍ରା କରିଥାନ୍ତି । ଏମାନେ ମଧ୍ୟ ମହାପ୍ରଭୁଙ୍କ ଅଧରାମୃତ ପାଇବାକୁ ବ୍ୟାକୁଳ ଥାନ୍ତି । ବର୍ଷେକେ ଏମିତି ଥରଟିଏ ସେମାନଙ୍କୁ ପ୍ରଭୁଙ୍କ ସାନିଧ୍ୟ ଓ ଅଧରପଣା ପାଇବାର ପରମ ସୁଯୋଗ ମିଳିଥାଏ ।
ଏ ଅଧରପଣା ସହିତ କିଛି ପୌରାଣିକ ତଥ୍ୟ ଓ କାହାଣୀ ସଂପର୍କିତ । ସାରଦା ତିଳକ ଗ୍ରନ୍ଥ ଅନୁଯାୟୀ ତାନ୍ତ୍ରିକ ବ୍ରତଚାରୀମାନେ ଦିନକୁ ଥରେ ମାତ୍ର ଭୋଜନ କରନ୍ତି । ସେ ଭୋଜନ ପୁଣି ନୂଆ ମାଟି ହାଣ୍ଡିରେ ପ୍ରସ୍ତୁତ ହୁଏ । ଭୋଜନ ପରେ ହାଣ୍ଡିରେ ଯାହା ବଳେ ସେମାନେ ସେ ହାଣ୍ଡି ଭାଙ୍ଗି ତାହାକୁ ଫିଙ୍ଗିି ଦିଅନ୍ତି । ତାହା ପରଦିନ ପୁଣି ସେ ନୂଆ ହାଣ୍ଡିରେ ରନ୍ଧାଯାଏ । କଂଚାମାଟି ଦିଆଯାଇ ତା’ ଉପରେ ପୋଡ଼ାମାଟିର ଅଧର ହାଣ୍ଡି ରଖିବା ଏବଂ ସେଥିରେ ବ୍ରହ୍ମଚାରୀମାନେ ପଣା ପ୍ରସ୍ତୁତ କରିବା ଇତ୍ୟାଦି ଶାକ୍ତ ବା ତାନ୍ତ୍ରିକ ପରମ୍ପରାକୁ ବୁଝାଏ ।
ସେହିପରି ଶ୍ରୀକୃଷ୍ଣଙ୍କ ଦଧି ହାଣ୍ଡିଭଙ୍ଗା ସହିତ ଏହା ମଧ୍ୟ ତୁଳନୀୟ । ଆମେ ଏବେ ମଧ୍ୟ ଗର୍ଭଣା ସଂକ୍ରାନ୍ତି ଦିନ କ୍ଷେତରେ ନୂଆ ଆଟିକାରେ କ୍ଷୀରି କରି ଲକ୍ଷ୍ମୀଙ୍କୁ ସମର୍ପଣ ପରେ ସେ ତାହା ଭାଙ୍ଗିଥାଉଁ । ଏ ସମସ୍ତ ଅବଶିଷ୍ଟ ଖାଦ୍ୟ ଅନ୍ୟମାନଙ୍କ ପାଇଁ ଉଦ୍ଦିଷ୍ଟ । ଅଧରପଣା ହାଣ୍ଡି ଭଙ୍ଗାର କାହାଣୀରେ ସେହିପରି ଉପେକ୍ଷିତ ଅଧରପଣା ହେଉଛି ଅପେକ୍ଷିତ ତୃଷ୍ଣା ପାଇଁ ତୃପ୍ତିର ମୋଦକ । ଏଥିରୁ ଜଣାପଡ଼େ ଯେ ଅଧରପଣା ପ୍ରସ୍ତୁତି ଓ ତାର ଭୋଗ ଉଭୟେ ଶାକ୍ତ ଓ ବୈଷ୍ଣବ ପରମ୍ପରା ସହିତ ସଂପୃକ୍ତ । ତେବେ ଏତିକି କୁହାଯାଇପାରେ ଯେ, ଅଧରପଣା ପର୍ବ ନସରିଲାଯାଏ ଜୀଉମାନଙ୍କ ନୀଳାଦ୍ରି ବିଜେ ହୋଇପାରିନଥାଏ ।

ଓଡ଼ିଶା ଭାଷା ସଂରକ୍ଷଣ ଏବଂ ଗବେଷଣା ପ୍ରତିଷ୍ଠାନ,
ବିପିନ ବିହାରୀ ପାଠାଗାର,ଜଟଣୀ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ