ରଥଯାତ୍ରା ପାଇଁ ଉପକୂଳ ସୁରକ୍ଷା
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ଚଳିତବର୍ଷ ରଥଯାତ୍ରାକୁ ଶାନ୍ତିଶୃଙ୍ଖଳା ସହ ସମ୍ପାଦନ କରିବା ଲାଗି ବିଶେଷ ଗୁରୁତ୍ୱ ଦିଆଯାଇଛି । ରେଳବାଇ ଓ ଉପକୂଳ ସୁରକ୍ଷାକୁ ନେଇ ବିଶେଷ ଧ୍ୟାନ ଦିଆଯାଇଛି । ଉପକୂଳ ସୁରକ୍ଷା ସହ ରେଳ ସୁରକ୍ଷା ପାଇଁ ସାମୁଦ୍ରିକ ପୋଲିସ୍, ଅଗ୍ନିଶମ ବିଭାଗ ଓ ମତ୍ସ୍ୟ ବିଭାଗର ସହଯୋଗ ନିଆଯାଇଛି । ସ୍ଥାନୀୟ ଲୋକଙ୍କ ନିରାପତ୍ତା ଓ ଯାତ୍ରୀଙ୍କ ସୁରକ୍ଷା ଓ ନିରାପତ୍ତା ପାଇଁ ପ୍ରୟାସ କରାଯାଇଛି । ବିଭାଗ ବିଭାଗ ମଧ୍ୟରେ ସମନ୍ୱୟ ରକ୍ଷା କରିବା ସହ ପ୍ରଭାବଶାଳୀ ଯୋଜନା ପ୍ରସ୍ତୁତ କରଯାଇଛି । ଚଳିତଥର ରଥଯାତ୍ରା ବେଳେ ଅପରାଧିଙ୍କୁ ଚିହ୍ନଟ କରିବା ପାଇଁ ଏଥର ବିଶେଷ ଗୁରୁତ୍ୱ ଦିଆଯାଇଥିଲା । ଏଥର ଇଣ୍ଟିଗ୍ରେଟେଡ଼ କଣ୍ଟ୍ରୋଲ ରୁମ୍ ବ୍ୟବସ୍ଥା, ଫେସ୍ ରେକୋଗେନେସନ ସିଷ୍ଟମ ବ୍ୟବସ୍ଥା ଯାତ୍ରୀଙ୍କୁ ସାହାଯ୍ୟ କରିବା ପାଇଁ କ୍ରିମିନାଲ କାର୍ଯ୍ୟକଳାପ ଉପରେ ନଜର ରଖିବା, ମୁଖ୍ୟରାସ୍ତାର ବାହାରେ ଟ୍ରାଫିକ ପରିଚାଳନା ପାଇଁ ଏଥର ଜୋର ଦିଆଯାଇଛି । ସମ୍ଭାବ୍ୟ ପିକ୍ ପକେଟ ଏବଂ ଅସାମାଜିକ ବ୍ୟକ୍ତିଙ୍କୁ ଚିହ୍ନଟ କରିବା ପାଇଁ ପୁରୀର ଇଣ୍ଟ୍ରିଗ୍ରେଟେଡ଼ କଣ୍ଟ୍ରୋଲରୁମ୍ରେ ଏସ୍ସିଆରବି ଓଡ଼ିଶା ସହାୟତାରେ ଏକ ମୁଖ ଚିହ୍ନିବା ବ୍ୟବସ୍ଥା ସ୍ଥାପିତ ହୋଇଛି । ଏହା ଉନ୍ନତ ଟେକ୍ନୋଲୋଜି ଉପରେ ଆଧାରିତ । ଏହାସହ ଅପରାଧିଙ୍କୁ ଚିହ୍ନଟ କରିବା ସହ ଟ୍ରାକ୍ କରିବାରେ ମଧ୍ୟ ଏହି ଟେକ୍ନୋଲୋଜି ସାହାଯ୍ୟ କରିଥାଏ । ଏଥିପାଇଁ ରଥଯାତ୍ରା ପୂର୍ବରୁ ପୋଲିସ୍ ଏଡିଜି ଶ୍ରୀ ଦୟାଲ ଗଙ୍ଗୁୱାର, ଆଇପିଏସ୍ଙ୍କ ଅଧ୍ୟକ୍ଷତାରେ ପୁରୀ ଟାଉନହଲ ଠାରେ ପ୍ରଥମ ସମନ୍ୱୟ ବୈଠକ ହୋଇଥିଲା । ଏଥିରେ ସୁରକ୍ଷା ସମ୍ପର୍କିତ ଚର୍ଚ୍ଚା କରାଯାଇଥିଲା ଏବଂ ରଣନୀତି ପ୍ରସ୍ତୁତ ହୋଇଥିଲା । ଏଥିରେ ଜିଆରପି, ଆରପିଏଫ୍, କୋଷ୍ଟଗାର୍ଡ଼ ଓ ସମ୍ପର୍କିତ ବିଭାଗର ଅଧିକାରୀ ଅଂଶଗ୍ରହଣ କରିଥିଲେ । ଜୁନ୍ ୧୮ ତାରିଖରେ ଏକ ସଂକ୍ଷିପ୍ତ ପ୍ୟାରେଡ଼ କାର୍ଯ୍ୟକ୍ରମ ମଧ୍ୟ ହୋଇଥିଲା । ଏଥିରେ ଏଡିଜିପି, ଡିଆଇଜି, ଏସ୍ଆରବି, ଡକ୍ଟର ସତ୍ୟଜିତ ନାୟକ, ଆଇପିଏସ୍ ଫିଲ୍ଡ଼ ବ୍ରିଫିଂ କରିଥିଲେ । ସେହିପରି ଗତ ଜୁନ୍ ୧୯ରେ ପେଣ୍ଠକଟା ମେରାଇନ ପୋଲିସ୍ ଷ୍ଟେସନରେ ସାମୁଦ୍ରିକ ତଥା ଉପକୂଳ ସୁରକ୍ଷା ପାଇଁ ଏକ କଣ୍ଟ୍ରୋଲ ରୁମ୍ ପ୍ରତିଷ୍ଠା କରାଯାଇଥିଲା । ଏହି ଅବସରରେ ଭାରତୀୟ ସେନା, ତଟରକ୍ଷୀ ବାହିନୀ, ମତ୍ସ୍ୟ ବିଭାଗର ଅଧିକାରୀମାନେ ଯୋଗ ଦେଇଥିଲେ । ସେହିଦିନ ତଟରକ୍ଷା ଲାଗି କୋଷ୍ଟଗାର୍ଡ଼ର ଏକ ହାଲ୍୍କା ହେଲିକପ୍ଟର ଅବତରଣ କରିଥିଲା । ଲୋକଙ୍କୁ ଚିକିତ୍ସା ସହାୟତା ଏବଂ ଆହତଙ୍କୁ ଉଦ୍ଧାର କରିବା ଲାଗି ଏକ ମକଡ୍ରିଲ ପୁରୀର ବଳିଆପଣ୍ଡା ଗୋଲଡ଼େନ ବିଚ୍ରେ ଅନୁଷ୍ଠିତ ହୋଇଥିଲା । ବୁଡ଼ିଯିବା ଲୋକଙ୍କୁ କିପରି ଉଦ୍ଧାର କରିହେବ ଓ ସହାୟତା ଦିଆଯାଇପାରିବ, ଏଥିପାଇଁ ପେଟ୍ରୋଲିଂ ଜାହାଜ ଏବଂ ତଟରକ୍ଷୀ ବାହିନୀ ଦ୍ୱାରା ଉନ୍ନତ ହାଲକା ହେଲିକପ୍ଟରର ବ୍ୟବସ୍ଥା ହୋଇଥିଲା । ସେହିପରି ଅପରାଧ ନିୟନ୍ତ୍ରଣ ପାଇଁ ପୁରୀ ଉପକୂଳରେ ୧୨ଟି ଡଙ୍ଗା ମଧ୍ୟ ମୂତୟନ ହୋଇଛି । ତଟରକ୍ଷୀ ବାହିନୀ, ଭାରତୀୟ ସେନା, ମତ୍ସ୍ୟ ବିଭାଗର ନୋଡ଼ାଲ ଅଧିକାରୀମାନଙ୍କ ଦ୍ୱାରା କଣ୍ଟ୍ରୋଲ ରୁମ୍ରେ ଏ ନେଇ ତଦାରଖ କରାଯାଉଛି । ରଥଯାତ୍ରା ବେଳେ ଏଡିଜିପି ଶ୍ରୀ ଦୟାଲ ଗଙ୍ଗୱାର, ଡିଆଇଜି ଡ. ସତ୍ୟଜିତ ନାୟକ, ଏଜିପି ଏବଂ ସାମୁଦ୍ରିକ ତଥା ଉପକୂଳ ସୁରକ୍ଷା ବିଭାଗର ଅଧିକାରୀ ନିୟମିତ ଯାଞ୍ଚ କରି ଆସୁଛନ୍ତି । ସମୁଦ୍ରରେ ବୁଡ଼ି ଯାଉଥିବା ଲୋକଙ୍କୁ ସଫଳତାର ସହ ଉଦ୍ଧାର କରାଯାଉଛି । ଏଥିପାଇଁ ବିଭାଗୀୟ କର୍ମୀ ସଜାଗ ରହିଛନ୍ତି । ଆହତ ଲୋକଙ୍କୁ ଉଦ୍ଧାର କରିବା, ଉପଯୁକ୍ତ ଚିକିତ୍ସା ସେବା ଯୋଗାଇଦେବା ଏବଂ ଜନସାଧାଣଙ୍କ ସୁରକ୍ଷା ଆଉ ଅଘଟଣ ଏଡ଼ାଇବା ଲାଗି ଚଳିତବର୍ଷ ବିଭାଗ ପକ୍ଷରୁ ବିଶେଷ ଧ୍ୟାନ ଦିଆଯାଇଛି ।ରେଳବାଇ ପକ୍ଷରୁ ମଧ୍ୟ ଅନେକ ବ୍ୟବସ୍ଥା ଗ୍ରହଣ କରାଯାଇଛି । ରେଳ କର୍ତ୍ତପକ୍ଷ, ପୁରୀ ଜିଲ୍ଲା ପ୍ରଶାସନ, ସ୍ଥାନୀୟ ନାଗରିକଙ୍କ ପରାମର୍ଶକୁ ଦୃଷ୍ଟିରେ ରଖି ଚଳିତଥର ବିଶେଷ ବ୍ୟବସ୍ଥା ହୋଇଛି । ଅଧିକାରୀ ଓ କର୍ମଚାରୀଙ୍କ ପାଇଁ ଉପଯୁକ୍ତ ଆବାସ ଯୋଜନା ସୁନିଶ୍ଚିତ କରିବାକୁ ବ୍ୟବସ୍ଥା ହୋଇଛି । ଏଥିପାଇଁ ଗତ ଜୁନ୍ ୨୧ ତାରିଖରେ ରେଳବାଇ ଉପକୂଳ ସୁରକ୍ଷା ବିଭାଗର ଏଡିଜିପିଙ୍କ ଅଧ୍ୟକ୍ଷତାରେ ଏକ ସମନ୍ୱୟ ବୈଠକ ହୋଇଥିଲା । ଏଥିରେ ଓଡ଼ିଶା ପୋଲିସ୍, ଜିଆରପି ଓ ଆରପିଏଫ୍ର ବରିଷ୍ଠ ଅଧିକାରୀ ଯୋଗ ଦେଇଥିଲେ । ପ୍ରଭାବଶାଳୀ ଯୋଗାଯୋଗ ସମନ୍ୱୟ ରକ୍ଷା ପାଇଁ ଆରପିଏଫ୍ ଓ ଜିଆରପି କର୍ମଚାରୀଙ୍କ ମିିଳିତ କାର୍ଯ୍ୟକ୍ରମ ଟ୍ରେନ ଚଳାଚଳ ସୂଚନାକୁ ଠିକ୍ ସମୟରେ ବାଣ୍ଟିବା, ଅନିଧିକୃତ ଦୋକାନ ଓ ଷ୍ଟଲକୁ ବାହାର କରିବା ଏବଂ ରେଳ ଅଞ୍ଚଳରେ ଅନଧିକୃତ ପାର୍କିଂ ଉପରେ କଟକଣା କରାଯାଇଥିଲା । ରେଳ ସୁରକ୍ଷା କର୍ମୀମାନେ ମଧ୍ୟ ଏଥିରେ ପ୍ରଶଂସନୀୟ କାର୍ଯ୍ୟ କରିଛନ୍ତି । ଜଣେ ୭୧ବର୍ଷୀୟ ବରିଷ୍ଠ ନାଗରିକଙ୍କୁ ପୁରୀ ଜିଆରପି ଉଦ୍ଧାର କରିଛି । ପୁରୀ ରେଳ ଷ୍ଟେସନରେ ଥିବା ସିସିଟିଭିକୁ ଆଧାର କରି ତାଙ୍କୁ ଉଦ୍ଧାର କରି ତାଙ୍କ ସମ୍ପର୍କୀୟଙ୍କୁ ହସ୍ତାନ୍ତର କରାଯାଇଛି । ରଥଯାତ୍ରା ଦିନ ଚାଇଲ୍ଲାଇନ, ପୁରୀ ମିଳିତ ଅପରେସନ କରି ୩ଜଣ ନାବାଳକଙ୍କୁ ଉଦ୍ଧାର କରିଥିଲା । ମୋବାଇଲ ଚୋରି ରୋକିବା ସହ ମୋବାଇଲ୍ ଉଦ୍ଧାର କରିବା ଏବଂ ଚୋରଙ୍କୁ ଧରିବାରେ ମଧ୍ୟ ଜିଆରପି ଉଲ୍ଲେଖନୀୟ କାର୍ଯ୍ୟ କରିଛି । ଚୋରି ସନ୍ଦେହରେ ଦୁଇଜଣଙ୍କୁ ଧରି ସେମାନଙ୍କ ଠାରୁ ମୋବାଇଲ ମଧ୍ୟ ଉଦ୍ଧାର କରାଯାଇଥିଲା । ଅପରାଧିକ କାର୍ଯ୍ୟକୁ ରୋକିବା ପାଇଁ ସୁରକ୍ଷା କର୍ମୀମାନେ ଉତ୍ସର୍ଗୀକୃତ ମନୋଭାବ ନେଇ କାମ କରିଥିଲେ ।


