ରଥଯାତ୍ରା ପାଇଁ ପ୍ରସ୍ତୁତି ବୈଠକ
ସାରସକଣା , (ଭଗୀରଥ ମହାନ୍ତ) : ମୟୂରଭଞ୍ଜ ଜିଲ୍ଲା ସାରସକଣା ବ୍ଲକରେ ଦୁଇଟି ଜାଗାରେ ଦୁଇଟି ଜଗନ୍ନାଥଙ୍କ ମନ୍ଦିର ରହିଛି ଓ ଦୁଇଟି ଜାଗାରେ ମଧ୍ୟ ରଥ ଟଣା ହୋଇଥାଏ । ଗୋଟିଏ ହେଲା ଶୀର୍ଷା ଠାରେ ଆଉ ଅନ୍ୟ ଗୋଟିଏ ହେଲା ସାରସକଣାର ସାରସକ୍ଷେତ୍ର ଠାରେ ଅବସ୍ଥିତ । ଏହି ସାରସକ୍ଷେତ୍ର ଠାରେ ରଥଯାତ୍ରା ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ଠାରେ ରଥଯାତ୍ରା ସମୟରେ ଗୁଣ୍ଡିଚାରେ ଦୁଇ ଦିନ ଆଉ ବାହୁଡା଼ରେ ଦୁଇ ଦିନ ରଥ ଟଣା ଅନୁଷ୍ଠିତ ହୋଇଥାଏ । ଏଇ ସାରସକ୍ଷେତ୍ରରେ ଆସନ୍ତା ଜୁନ୍ ମାସ ୨୭ ତାରିଖ ଠାରୁ ଜୁଲାଇ ୦୫ ତାରିଖ ପର୍ଯ୍ୟନ୍ତ ନଅ ଦିନ ହେବାକୁ ଥିବା ଘୋଷଯାତ୍ରାର ସଫଳ ଆୟୋଜନ ପାଇଁ ମନ୍ଦିର ପରିଚାଳନା କମିଟି ସଭାପତି ପଦ୍ମନାଭ ସାହୁଙ୍କ ପୌରୋହିତ୍ୟରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଶ୍ରୀ ଶ୍ରୀ ଜଗନ୍ନାଥ ସଂସ୍କୃତି ପ୍ରଚାର ସମିତି ଓ ଦେଉଳ ପରିଚାଳନା ଟ୍ରଷ୍ଟର ସଦସ୍ୟମାନଙ୍କୁ ନେ଼ଇ ଆୟୋଜିତ ବୈଠକ ପ୍ରାରମ୍ଭରେ କମିଟିର କୋଷାଧ୍ୟକ ଅନ୍ତର୍ଯ୍ୟାମୀ ସାହୁ ରଥଯାତ୍ରାର ଆୟୋଜନ ପାଇଁ ସମ୍ଭାବ୍ୟ ବଜେଟ୍ ବାବଦରେ ସୂଚନା ଦେଇଥିଲେ । ରଥନିର୍ମାଣ , ସ୍ନାନ ପୂର୍ଣ୍ଣିମା ଦିନ ସ୍ନାନ ବେଦୀକୁ ଦିଅଁ ମାନଙ୍କ ପହଣ୍ଡି , ମହାସ୍ନାନ , ଦର୍ଶନ ପାଇଁ ଭକ୍ତଙ୍କ ଲାଗି ଟେଣ୍ଟ , ରାତିବେଳା ଆଲୋକ ବ୍ୟବସ୍ଥା , ଡ଼ାକବାଜି ଯନ୍ତ୍ର ଆଦିର ଯୋଗାଡ଼ , ଦେଉଳ ମଞ୍ଚରେ ସନ୍ଧ୍ୟା ସାଂସ୍କୃତିକ କାର୍ଯ୍ୟକ୍ରମ , ମୀନା ବଜାର , ରଥଦାଣ୍ଡର ମରାମତି , ଶାନ୍ତି ଶୃଙ୍ଖଳା ରକ୍ଷା ଓ ଆଧ୍ୟାତ୍ମିକ ସାହିତ୍ୟ ପତ୍ରିକା ” ହୋ ଭଗତେ ” ପ୍ରକାଶନ ସମ୍ପର୍କରେ ବିସ୍ତୃତ ଆଲୋଚନା ହୋଇଥିଲା। ରଥଯାତ୍ରାର ବିପୁଳ ଭକ୍ତ ସମାଗମକୁ ଦୃଷ୍ଟିରେ ରଖି ଆସନ୍ତା ଜୁନ୍ ମାସ ୦୪ ତାରିଖରେ ପ୍ରଶାସନ , ପୁଲିସ୍ , ଅଗ୍ନିଶମ ବିଭାଗ , ସ୍ୱାସ୍ଥ୍ୟ ବିଭାଗ ସହ ଚୂଡ଼ାନ୍ତ ବୈଠକ କରିବାକୁ ନିଷ୍ପତ୍ତି ହୋଇଥିଲା। ଉକ୍ତ ବୈଠକରେ ଯତୀନ ଚନ୍ଦ୍ର ସାହୁ , ବାସୁଦେବ ସାହୁ , ଅତୁଲ ଚନ୍ଦ୍ର ଦାସ , ହିମାଂଶୁ ଶେଖର ସାହୁ , ପ୍ରଦୀପ କୁମାର ପାଲିତ , ସୁନୀଲ କୁମାର ସାହୁ , ଅସିତ୍ କୁମାର ସାହୁ , ନବକିଶୋର ସେଠୀ , ଦୟାନିଧି ସାହୁ , ଦୁର୍ଗା ପ୍ରସାଦ ନନ୍ଦୀ , ସୁବାସ ଚନ୍ଦ୍ର ସାହୁ ଆଦି ପ୍ରମୁଖ ବୁଦ୍ଧିଜୀବି ମାନେ ଅଂଶ ଗ୍ରହଣ କରି ନିଜ ନିଜର ମତାମତ ରଖିଥିଲେ ଏବଂ ବୈଠକର ଶେଷରେ ସମ୍ପାଦକ ଜଗନ୍ନାଥ ସାହୁ ଧନ୍ୟବାଦ ଅର୍ପଣ ପ୍ରଦାନ କରିଥଲେ ।