ରଥଯାତ୍ରା ପୂର୍ବରୁ ବିଧିବିଧାନ ନେଇ ବିଚାର ବିମର୍ଷ ଆରମ୍ଭ
ପୁରୀ: ଚଳିତ ବର୍ଷ ରଥଯାତ୍ରା ହେବ କି ନାହିଁ ଏଭଳି ଆଶଙ୍କା ରହିଛି । ତେବେ କେନ୍ଦ୍ର ସରକାର ମହାପ୍ରଭୁଙ୍କ ରଥ ନିର୍ମାଣ ପାଇଁ ଅନୁମତି ଦେଇଥିବାରୁ ଏହାକୁ ନେଇ ରାଜ୍ୟ ସରକାର ଅକାଳରେ ପଡ଼ିଯାଇଛନ୍ତି । ରଥଯାତ୍ରା କରିବା ନିଷ୍ପତ୍ତି ରାଜ୍ୟ ସରକାରଙ୍କର ବୋଲି କେନ୍ଦ୍ର ସରକାର ରାଜ୍ୟ ସରକାରଙ୍କୁ ଧର୍ମ ସଂକଟରେ ପକାଇଛନ୍ତି । ରଥ ନ କଲେ ଭକ୍ତଦ୍ରୋହୀ ହେବାର ଆଶଙ୍କା ଥିବାରୁ ରାଜ୍ୟ ସରକାର ଏବେ ଏହାକୁ ନେଇ ଚିନ୍ତାରେ ଅଛନ୍ତି ।
ତେବେ ରଥଯାତ୍ରା ପୂର୍ବରୁ ଥିବା ବିଧିକୁ କିଭଳି ପାଳନ କରାଯିବ ସେ ନେଇ ବିଚାର ବିମର୍ଷ ଆରମ୍ଭ ହୋଇଛି । ଆସନ୍ତା ଜୁନ ୫ ତାରିଖରେ ପଡୁଥିବା ମହାପ୍ରଭୁଙ୍କ ସ୍ନାନଯାତ୍ରା ଓ ଅଣସର ମହାପ୍ରଭୁଙ୍କ ପାଇଁ ଅପରିହାର୍ଯ୍ୟ ଥିବାରୁ ଏଥିରେ କୌଣସି ବ୍ୟତିକ୍ରମ ହୋଇପାରିବ ନାହିଁ । ତେବେ ସ୍ନାନବେଦୀରେ ସାମାଜିକ ଦୂରତା ରକ୍ଷା କରି କିଭଳି ସ୍ନାନଯାତ୍ରା ହେବ, ଗହଳିକୁ କିଭଳି ଏଡ଼ାଯାଇ ପାରିବ ଏଥିପାଇଁ ଯୋଜନା ଆରମ୍ଭ ହୋଇଛି । ଏଥର ସ୍ନାନ ଯାତ୍ରାରୁ ଭକ୍ତମାନଙ୍କୁ ବଞ୍ଚିତ ରଖିବା ପାଇଁ ଯୋଜନା ହୋଇଛି । କରୋନା ଯୋଗୁଁ ପ୍ରଥମ ଥର ଭକ୍ତ ଓ ଭଗବାନଙ୍କ ମଧ୍ୟରେ ପ୍ରାଚୀର ହେବ, ଅର୍ଥାତ ସ୍ନାନବେଦୀରେ ଏକ ପରଦା ଟାଣିବାକୁ ବ୍ୟବସ୍ଥା ହେଉଥିବା ଆଲୋଚନା ହୋଇଛି । ପ୍ରତିବର୍ଷ ଲକ୍ଷ ଲକ୍ଷ ଭକ୍ତ ମହାପ୍ରଭୁଙ୍କ ଦୁର୍ଲଭ ସ୍ନାନଯାତ୍ରା ଓ ମହାପ୍ରଭୁଙ୍କ ଗଜାନନ ବା ହାତୀ ବେଶ ଦେଖିବା ପାଇଁ ବଡ଼ଦାଣ୍ଡରେ ରୁଣ୍ଡ ହୋଇଥାନ୍ତି । ମାତ୍ର ଏଥର ଭକ୍ତଗଣ ଦର୍ଶନରୁ ବଞ୍ଚିତ ହେବେ ।
ମେଘନାଦ ପାଚେରୀକୁ ଲାଗି ଏହି ପରଦା ଟଣା ହେବ । ପରଦା ପଛ ପଟେ ସେବା ଓ ରୀତିନୀତି ହେବ । ଏହା ଦ୍ୱାରା ସ୍ନାନଯାତ୍ରାକୁ ଭକ୍ତ ଦେଖିପାରିବେ ନାହିଁ । କୌଣସି ବାହାର ଫଟୋ ବା ଭିଡିଓ ଗଣମାଧ୍ୟମ ନେଇପାରିବେ ନାହିଁ । କେବଳ ସ୍ୱୀକୃତି ପାଇଥିବା ଚ୍ୟାନେଲ (ସମ୍ଭବତଃ ମେଘନାଦ ପାଚେରୀ) ଆରପଟେ ସିଧା ପ୍ରସାରଣ) ପାଇଁ ଯୋଜନା ହେବ । ପହଣ୍ଡି ବେଳେ ସାମାଜିକ ଦୂରତା ଓ ମାସ୍କ ପିନ୍ଧିବାକୁ ଗୁରୁତ୍ୱ ଦିଆଯିବ । ତେବେ ପ୍ରଶାସନର ଏ ପ୍ରକାର ନିଷ୍ପତ୍ତିକୁ କିଛି ବରିଷ୍ଠ ଦଇତା ସେବକ ବିରୋଧ କରିଛନ୍ତି । ଦଇତାଙ୍କ ସହିତ ପ୍ରଶାସନର ହୋଇଥିବା ବୈଠକରେ ଏ ସମ୍ପର୍କରେ ଆଲୋଚନା ହୋଇଥିଲା । ଜଣେ ବରିଷ୍ଠ ଦଇତାପତି ଏହାକୁ ବିରୋଧ କରିଥିଲେ । ଭକ୍ତର ଭଗବାନଙ୍କୁ ଭକ୍ତଙ୍କ ଠାରୁ ଅଲଗା କରାନଯାଉ । ଏହା ପରମ୍ପରାର ବ୍ୟତିକ୍ରମ ହେବ ବୋଲି ସେ କହିଥିଲେ । ଜଣେ ପରିଚାଳନା କମିଟି ସଦସ୍ୟଙ୍କ ଏଭଳି ପ୍ରସ୍ତାବକୁ ବରିଷ୍ଠ ଦଇତାପତି ସେବକ ଜଣକ ବିରୋଧ କରିଥିଲେ ।
ଅନ୍ୟ ପକ୍ଷରେ ମହାପ୍ରଭୁଙ୍କ ନିକଟରେ ସାମାଜିକ ଦୂରତା ରକ୍ଷା ସମ୍ଭବ ନୁହେଁ ବୋଲି ଦଇତା ସେବକ ଜଣଙ୍କ କହିଛନ୍ତି । ମହାପ୍ରଭୁଙ୍କ ପହଣ୍ଡି ବେଳେ କିଭଳି ସାମାଜିକ ଦୂରତା ରହିବ ବୋଲି ସେ ପାଲଟା ପ୍ରଶ୍ନ କରିଥିଲେ । ବିଶ୍ୱନିୟନ୍ତାଙ୍କ ପାଖରେ କୌଣସି ଭୟ ନାହିଁ । କରୋନା ପାଇଁ ମହାପ୍ରଭୁଙ୍କ ସ୍ନାନଯାତ୍ରାକୁ ପରଦା ଟାଣି ଅବରୋଧ କରିବା ଠିକ୍ ନୁହେଁ ବୋଲି ସେ କହିଛନ୍ତି । ପ୍ରଶାସନର ଛତିଶା ନିଯୋଗ ଓ ପରିଚାଳନା କମିଟି ବୈଠକ ଆଲୋଚନା ବେଳେ ଏହାକୁ ବିରୋଧ କରାଯିବ ବୋଲି ଜଣାପଡ଼ିଛି ।


