ରଥଯାତ୍ରା ଲାଗି ଦ୍ୱିତୀୟ ସମନ୍ୱୟ ବୈଠକ
ପୁରୀ (ଜୁଗାବ୍ଦ ନ୍ୟୁଜ୍): ୨୦୧୯ ରଥଯାତ୍ରା ପାଇଁ ଦ୍ୱିତୀୟ ସମନ୍ୱୟ ବୈଠକ ନିଳାଦ୍ରୀ ଭକ୍ତ ନିବାସ ସମ୍ମିଳନୀ କକ୍ଷରେ ବୁଧବାର ଅପରାହ୍ନରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ କେନ୍ଦ୍ରାଞ୍ଚଳ ରାଜସ୍ୱ ଆୟୁକ୍ତ ଅନୀଲ କୁମାର ସାମଲ ଅଧ୍ୟକ୍ଷତା କରି କହିଲେ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରାକୁ ଶାନ୍ତି ଶୃଙ୍ଖଳା ସହ ସମାପନ କରିବାଲାଗି ସମସ୍ତଙ୍କ ସହଯୋଗ ଲୋଡ଼ା । ବିଶ୍ୱପ୍ରସିଦ୍ଧ ରଥଯାତ୍ରାକୁ ଆସୁଥିବା ଲକ୍ଷ ଲକ୍ଷ ଯାତ୍ରୀ ପୁରୀ କିପରି ସୁରୁଖରୁରେ ପ୍ରତ୍ୟାବର୍ତ୍ତନ କରିବେ ତାହା ଆମର ମୂଳ ଲକ୍ଷ୍ୟ ହେବା ଉଚିତ୍ । ଜିଲ୍ଲାପାଳ ବଲୱାନ୍ତ ସିଂହ କହିଲେ ସମସ୍ତ ବିଭାଗ ସମନ୍ୱୟ ରକ୍ଷାକରି ରଥଯାତ୍ରାକୁ ସୁରୁଖୁରୁରେ ସମାପନ କରିବା ଏକ ଗରୁ ଦାୟିତ୍ୱ । ମହାପ୍ରଭୁଙ୍କ ଇଛାରେ ସବୁ ସୁରୁଖୁରୁରେ ହେବ । ରଥକାଠ ଯୋଗାଣ ସଂପର୍କରେ ନୟାଗଡ ଡିଏଫଓ ଓ ଆଞ୍ଚଳିକ ମୁଖ୍ୟ ବନ ଅଧିକାରୀ ରଥକାଠ ଯୋଗାଣ ସଂପର୍କରେ କହିଥିଲେ ଖୋର୍ଦ୍ଧା, ନୟାଗଡ ଓ ବୌଦ୍ଧରୁ ରଥାକାଠଗୁଡିକ ଅଣାଯାଇ କଟକ ଖପୁରିଆ ସ’ମିଲ ଓ ରଥଖଳାକୁ ଯୋଗାଇ ଦିଆଯାଇଛି । ଏଥିସହ ଆବଶ୍ୟକ ଫାଶୀ, ଅସନ ଓ ଧଉରା କାଠ ମଧ୍ୟ ଯୋଗାଇ ଦିଆଯାଇଛି । ଅକ୍ଷୟ ତୃତୀୟାଠାରୁ ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ ହେବା ସହ ବିଶ୍ୱକର୍ମା ମହାରଣା ରଥ ନିର୍ମାଣ କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି । ଝୁଣା, ଚେହେଲି, ଲାଗି ଲୁଗା, ବନକଲାଗି ଦ୍ରବ୍ୟ ଆବଶ୍ୟକ ଅନୁସାରେ ମହଜୁଦ ରଖାଯିବ । ଛତିଶଗଡରୁ ଦୁର୍ମୂଲ୍ୟ ମଈଁଷି କେଶ ଅଣାଯିବ । କସ୍ତୁରୀ, ବାସୁଙ୍ଗାପାଟ, ଚନ୍ଦନକାଠ ଓ ବିଜେଡୋରି ଉପଯୁକ୍ତ ସମୟରେ ମହଜୁଦ କରାଯିବ । ପୌରସଂସ୍ଥା ପକ୍ଷରୁ ବଡଦାଣ୍ଡର ଦୁଇପାଶ୍ୱର୍ର ମୁଖ୍ୟ ଡ୍ରେନକୁ ସଂଯୋଗ କରୁଥିବା ମଧ୍ୟମ ଧରଣର ଡ୍ରେନ୍ ଓ ଛୋଟ ଡ୍ରେନଗୁଡିକ ବର୍ଷା ପୂର୍ବରୁ ଯଥାଶୀଘ୍ର ସଫା କରାଯିବ । ବଡଦାଣ୍ଡର ଦୁଇ ଡ୍ରେନ୍ ଜାଗୃତି ୩ସହ ପୌରସଂସ୍ଥା ଅଧିକାରୀ ରହି ଡ୍ରେନଗୁଡିକ ସଫେଇ କରିବେ । ସହରବାସୀ ଡ୍ରେନକୁ ଡଷ୍ଟବିନ୍ଭାବେ ବ୍ୟବହାର ନକରିବା ପାଇଁ ଜିଲ୍ଲାପାଳ କହିଥିଲେ । ସହରରେ ପଲିଥିନ୍ ବନ୍ଦ ହୋଇଥିବାବେଳେ ପୁଣି ପ୍ରଚଳନ ହେଉଥିବା ଅଭିଯୋଗ ଆସିବା ପରେ ପୌରସଂସ୍ଥା ପକ୍ଷରୁ ଚଢାଉ କରାଯିବ । ବୁଲା ଗାଇଗୋରୁଙ୍କୁ ଅସ୍ଥାୟୀ କାଞ୍ଜିଆ ଗଦାରେ ରଖାଯିବା ସହ ସ୍ଥାୟୀ କାଞ୍ଜିଆଗଦା ନିର୍ମାଣ ପାଇଁ ବ୍ୟବସ୍ଥା କରାଯାଉଛି । ରଥଯାତ୍ରା ସଂପର୍କିତ ନୀତି ନିର୍ଘଣ୍ଟ ପରିଚାଳନା କମିଟିରେ ଚୂଡାନ୍ତ ହେବାପରେ ପୁସ୍ତିକା ଆକାରରେ ପ୍ରକାଶ ପାଇବ ବୋଲି ନୀତି ପ୍ରକାଶକ କହିଥିଲେ । ରଥଟଣା ସମୟରେ ମହାରଣା, ଭୋଇ ସେବକ, ବୈଷୟିକ ଓ ପ୍ରଶାସନିକ ଅଧିକାରୀଙ୍କ ମଧ୍ୟରେ ସମନ୍ୱୟ ରଖାଯାଇ ସୁବ୍ୟବସ୍ଥା କରାଯିବ । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପକ୍ଷରୁ ରଥଯାତ୍ରାକୁ ଆସୁଥିବା ଯାତ୍ରୀଙ୍କ ସ୍ୱାସ୍ଥ୍ୟସେବା ପାଇଁ ଅଧିକ ଡାକ୍ତର, ନର୍ସ, ଓ ପାରାମେଡିକାଲ କର୍ମଚାରୀ ନିୟୋଜିତ ହେବେ । ରଥଯାତ୍ରା ସମୟରେ ପାନୀୟ ଜଳଯୋଗାଣ ପାଇଁ ଜନସ୍ୱାସ୍ଥ୍ୟ ବିଭାଗ ଓ ଆରଡବ୍ଲ୍ୟୁଏସଏସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ଜନସ୍ୱାସ୍ଥ୍ୟ ବିଭାଗର କାର୍ଯ୍ୟନିର୍ବାହୀ ଇଂଜିନିୟର ଶରତ ମିଶ୍ର କହିଲେ ବଡ଼ଦାଣ୍ଡରେ ୩୨ଟି ଟ୍ୟାଙ୍କର ରଖାଯିବ । ବଡ଼ଦାଣ୍ଡର ଦୁଇପାଶ୍ୱର୍ରେ ୨୦୦ଟି ଷ୍ଟାଣ୍ଡପୋଷ୍ଟକୁ ସଚଳ କରାଯିବ । ୭୫୭ଟି ଟିବ୍ୟୁୱେଲକୁ ମରାମତି କରାଯିବ । ୧୦ଟି ମୋବାଇଲ ଟିମ୍ କାର୍ଯ୍ୟରତ ରହିବେ । ବଡଦାଣ୍ଡରେ ଥିବା ପାଣିଟ୍ୟାଙ୍କର ପାଇଁ ଦୁଇଟି ଡ୍ରାଇଭରଙ୍କୁ ନିକଟରେ ରଖାଯିବ । ବଡଦାଣ୍ଡର ଦୁଇପାଶ୍ୱର୍ରେ ଥିବା ହୋଟେଲ, ଜଳଖିଆ ଦେକାନୀ ଓ ଲଜିଂଗୁଡିକର ବ୍ୟବହୃତ ପାନୀୟ ଜଳକୁ ଯାଞ୍ଚ କରାଯିବ । ରଥଯାତ୍ରା ସମୟରେ ସହରରେ ନିରବଚ୍ଛିନ୍ନ ବିଦ୍ୟୁତ୍ ଯୋଗାଣ ପାଇଁ ସମସ୍ତ ବ୍ୟବସ୍ଥା କରାଯାଇଛି । ସେସୁ ଓ ଫେଡକୋ ପକ୍ଷରୁ ରଥଯାତ୍ରା ପାଇଁ ସମସ୍ତ ଆନୁସଙ୍ଗିକ ବ୍ୟବସ୍ଥା ପ୍ରତି ଦୃଷ୍ଟି ରଖାଯାଇଛି । ସ୍ନାନ ପୂର୍ଣ୍ଣମୀଠାରୁ ନିଳାଦ୍ରୀ ବିଜେ ପର୍ଯ୍ୟନ୍ତ ନିରବଚ୍ଛିନ୍ନ ଭାବେ ବିଦ୍ୟୁତ୍ ଯୋଗାଣ କରାଯିବ । ରଥଟଣା ସମୟରେ ରଥ ସମ୍ମୁଖ ସହ ଶ୍ରୀମନ୍ଦିର ଓ ଗୁଣ୍ଡିଚାମନ୍ଦିର ଅଞ୍ଚଳକୁ ଆଲୋକୀକରଣ କରାଯିବ । ସହରକୁ ସଂଯୋଗ କରୁଥିବା ସମସ୍ତ ବିଦ୍ୟୁତ୍ ଲାଇନର ଟ୍ରାନ୍ସଫର୍ମରଗୁଡିକ ମରାମତି କରାଯିବ । ରଥଯାତ୍ରା ସମୟରେ ପରିବହନ ବିଭାଗ ପକ୍ଷରୁ ଅଧିକ ସଂଖ୍ୟକ ବସ୍ ଚଳାଚଳ କରିବ । ଦୁର୍ଘଟଣା ରୋକିବା ପାଇଁ ବିଭିନ୍ନ ସ୍ଥାନରେ ଇଣ୍ଟର ସେପ୍ଟର ଓ କ୍ରେନ୍ ରଖାଯିବ । ମାଳତୀପାଟପୁର, ତାଳବଣିଆ ଠାରେ ଅସ୍ଥାୟୀ ବସଷ୍ଟାଣ୍ଡ କରାଯିବ । ବସଷ୍ଟାଣ୍ଡ ଓ ବସ୍ରେ ରେଟ୍ଚାର୍ଟ ମରାଯିବ । ରେଲୱେ ବିଭାଗ ପକ୍ଷରୁ ୧୯୦ଟି ସ୍ପେଶାଲ ଟ୍ରେନ୍ ରଥଯାତ୍ରା ପାଇଁ ଚଳାଚଳ କରିବ । ୩୬ଟି ଅଧିକ ଟିକେଟ କାଉଣ୍ଟର ଖୋଲାଯିବ । ଟିକେଟ ଭେଣ୍ଡିଂ ମେସିନ୍ ଅଧିକ ରହିବ । ୫ଟି ଅନୁସନ୍ଧାନ କେନ୍ଦ୍ର ଖୋଲାଯିବ । ଟ୍ରେନ୍ ସମୟ ସାରଣୀ ସଂପର୍କରେ ସହରର ବିଭିନ୍ନ ସ୍ଥାନରେ ଫ୍ଲେକ୍ସ ବ୍ୟାନର ସହ ଡୋଡିଂ ମରାଯିବ । ଆର୍ପିଏଫ୍ ଓ ଜିଆର୍ପି ଅଧିକ ମୁତୟନ ହେବେ । ରଥଯାତ୍ରା ସମୟରେ ସହରର ସୁରକ୍ଷା ଅଧିକ କଡାକଡି କରାଯିବା ସହିତ ୧୫୦ ପ୍ଲାଟୁନ୍ ଫୋର୍ସ ମୁତୟନ କରାଯିବ ବୋଲି ଏସପି ଉମାଶଙ୍କର ଦାଶ ପ୍ରକାଶ କରିଥିଲେ । ସମୁଦ୍ରକୂଳ, ବସଷ୍ଟାଣ୍ଡ, ଷ୍ଟେସନ, ସହରର ପ୍ରବେଶ ପଥ, ବଡ଼ଦାଣ୍ଡ, ଶ୍ରୀମନ୍ଦିର ଭିତର ଓ ବାହାରର ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯିବ । ଅଧିକ ସିସିଟିଭି ସଂଯୋଗ କରାଯାଇ ଅପରାଧିକ କାର୍ଯ୍ୟକଳାପ ଉପରେ ନଗର ରଖାଯିବ । ସହରର ଟେଲିଫୋନ୍ ବ୍ୟବସ୍ଥା, ସୂଚନା ପ୍ରସାରଣ, ସ୍ୱେଚ୍ଛାସେବୀ କାର୍ଯ୍ୟ, ପ୍ରଦର୍ଶନୀ ଓ ଅନ୍ୟାନ୍ୟ ଆନୁସଙ୍ଗିକ ବ୍ୟବସ୍ଥା ସୁଦୃଢ କରାଯିବ । ବୈଠକରେ ନୂତନ ବିଧାୟକ ଜୟନ୍ତ କୁମାର ଷଡ଼ଙ୍ଗୀ, ଜିଲ୍ଲାପରିଷଦ ଅଧ୍ୟକ୍ଷ ଜ୍ୟୋତିର୍ମୟୀ ଦଳେଇ, କେନ୍ଦ୍ରାଞ୍ଚଳ ଆଇଜି ସୌମେନ୍ଦ୍ର ପ୍ରିୟଦର୍ଶୀ, ଉପଜିଲ୍ଲାପାଳ ଭବତାରଣ ସାହୁ, ଅତିରିକ୍ତ ଜିଲ୍ଲାପାଳ ବିନୟ କୁମାର ଦାସଙ୍କ ସମେତ ସମସ୍ତ ସେବାୟତ ଓ ବିଭିନ୍ନ ବିଭାଗୀୟ ଅଧିକାରୀ ବୈଠକରେ ଉପସ୍ଥିତ ଥିଲେ ।


