ରଥଯାତ୍ରା ଲାଗି ଦ୍ୱିତୀୟ ସମୀକ୍ଷା ବୈଠକ ଶ୍ରୀକ୍ଷେତ୍ରକୁ ତିନିଥାକିଆ ସୁରକ୍ଷା ବ୍ୟବସ୍ଥା: ଡିଜିପି

ପୁରୀ(ଜୁଗାବ୍ଦ ନ୍ୟୁଜ୍‍): ଜୁଲାଇ ୪ତାରିଖ ରଥଯାତ୍ରା ଲାଗି ଗୁରୁବାର ପୁଲିସ ଡିଜି ରାଜେନ୍ଦ୍ର ପ୍ରସାଦ ଶର୍ମାଙ୍କ ଅଧ୍ୟକ୍ଷତାରେ ଏସ୍ପିଙ୍କ କାର୍ଯ୍ୟାଳୟରେ ଦ୍ୱିତୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ରଥଯାତ୍ରା ଠାରୁ ନିଳାଦ୍ରିବିଜେ ପର୍ଯ୍ୟନ୍ତ ଶ୍ରୀକ୍ଷେତ୍ରକୁ ତିନି ଥାକିଆ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯିବା ସହିତ ଜଳ, ସ୍ଥଳ ଓ ଆକାଶ ମାର୍ଗରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯିବା ବୋଲି ଡିପିପି ଶ୍ରୀ ଶର୍ମା କହିଥିଲେ । ରଥଯାତ୍ରା ପାଇଁ ୧୫୫ ପ୍ଳାଟୁନ୍ ଫୋର୍ସ ମୁତୟନ କରାଯିବା ସହିତ ଶ୍ରୀମନ୍ଦିର, ବଡ଼ଦାଣ୍ଡ ଓ ରଥ ତିନି ପାଶ୍ୱର୍ରେ ୨ କମ୍ପାନୀ ରାପିଡ ଆକ୍ସନ ଫୋର୍ସ ଏବଂ କର୍ଡନ ସୁରକ୍ଷା ପାଇଁ ସିଆରପିଏଫ୍ ମୁତୟନ କରାଯିବ । ତତ୍ ସହିତ ଯାତ୍ରାକୁ ଶୃଙ୍ଖଳିତ ଭାବେ ସମାପନ କରିବା ପାଇଁ ପୁଲିସ ବିଭାଗର ବରିଷ୍ଠ ଅଧିକାରୀଙ୍କୁ ବିଭିନ୍ନ ଦାୟିତ୍ୱ ବଣ୍ଟନ କରାଯାଇଛି । ଏଥିସହ ଗତ ବାତ୍ୟାରେ ସମସ୍ତ ସିସିଟିଭି ନଷ୍ଟ ହୋଇଯାଇଥିଲା ବେଳେ ବର୍ତ୍ତମାନ ପାଇଁ ୨୫ଟି ଅସ୍ଥାୟୀ ସିସିଟିଭି ଲଗାଯିବ ବୋଲି ସୂଚନା ଦେଇଛନ୍ତି । ସେଥିପାଇଁ ରଥଯାତ୍ରା ଠାରୁ ନିଳାଦ୍ରିବିଜେ ପର୍ଯ୍ୟନ୍ତ ରେଳବାଇ ଓ ଉପକୂଳ ସୁରକ୍ଷା ଦାୟିତ୍ୱରେ ଅତିରିକ୍ତ ଡିଜି ପ୍ରାଣବିନ୍ଦୁ ଆଚାର୍ଯ୍ୟ, ସହରରେ ଆଇନଶୃଙ୍ଖଳା ନିୟନ୍ତ୍ରଣ ପାଇଁ ଅତିରିକ୍ତ ଡିଜି ସଞ୍ଜୀବ ପଣ୍ଡା, କେନ୍ଦ୍ରାଞ୍ଚଳ ଆଇଜି ସୋମେନ୍ଦ୍ର ପିୟଦର୍ଶୀ, ସ୍ନାନପୁର୍ଣ୍ଣିମା, ରଥଯାତ୍ରା, ବାହୁଡାଯାତ୍ରା, ସୁନାବେଶ, ନିଳଦ୍ରିବିଜେ ପର୍ଯ୍ୟନ୍ତ ଶ୍ରୀମନ୍ଦିର ଭିତର, ସେବାୟତ ଓ ଶ୍ରୀମନ୍ଦିର ପ୍ରଶାସନ ସହିତ ମିଳିତ ଉଦ୍ୟମରେ ମହାପ୍ରଭୁଙ୍କ ନୀତିକାନ୍ତି ଦାୟିତ୍ୱରେ ରହିଛନ୍ତି । ସେହିପରି ଆଇଜି ଅମିତାଭ ଠାକୁର ରଥଯିବା ଠାରୁ ଫେରିବା ଓ ସୁନାବେଶ ଦିନରେ ଭିଡ଼ ଉପରେ ନିୟନ୍ତ୍ରଣ କରିବେ । ଆଇଜି ଅସିତ୍ କୁମାର ପାଣିଗ୍ରାହୀ ରଥଟଣା ଉପରେ ଦୃଷ୍ଟି ରଖିବେ ଏବଂ କର୍ଡନ ଦାୟିତ୍ୱରେ ଆଇଜି ଅରୁଣ ବୋଥ୍ରା ରହିବେ । ଅନ୍ୟ ଦାୟିତ୍ୱରେ ମଧ୍ୟ ବରିଷ୍ଠ ଅଧିକାରୀମାନଙ୍କୁ ଦାୟିତ୍ୱ ବଣ୍ଟନ କରାଯାଇଛି । ସୂଚନାଥାଉକି, ୧୭ ତାରିଖରେ ଦେବସ୍ନାନ ପୂର୍ଣ୍ଣିମା, ଜୁଲାଇ ୨ରେ ନେତ୍ରୋତ୍ସବ ଓ ନବଯୌବନ ଦର୍ଶନ, ୪ରେ ରଥଯାତ୍ରା, ୧୧ରେ ସନ୍ଧ୍ୟା ଦର୍ଶନ, ୧୨ରେ ବାହୁଡା ଯାତ୍ରା, ୧୩ରେ ସୁନାବେଶ ଓ ୧୫ରେ ଶ୍ରୀଜିଉଙ୍କ ନିଳାଦ୍ରିବିଜେ ଉତ୍ସବ ଅନୁଷ୍ଠିତ ହେବ । ତେଣୁ ଶ୍ରୀଜିଉଙ୍କ ଏହି ନୀତିଗୁଡିକ ଯେପରି ଶୃଙ୍ଖଳିତ ଭାବେ ସମ୍ପାଦନ ହେବ ସେ ନେଇ ଚଳିତବର୍ଷ ପୁଲିସ, ଜିଲ୍ଲା ପ୍ରଶାସନ ଓ ଶ୍ରୀମନ୍ଦିର ପ୍ରଶାସନ ପାଇଁ ବଡ ଚାଲେଞ୍ଜ ସୃଷ୍ଟି ହେବ । ତିନି ରଥ ଉପରେ କେତେ ସଂଖ୍ୟକ ସେବାୟତ ରହିବେ ଓ ଘଣ୍ଟୁଆ ରହିବେ ତାହାକୁ ନେଇ ବିବାଦ ପୂର୍ବରୁ ରହିଆସିଥିଲା ବେଳେ ତାହାକୁ ଚଳିତବର୍ଷ କିପରି ଶ୍ରୀମନ୍ଦିର ପ୍ରଶାସନ ସମାଧାନ କରୁଛି ତାହା ଉପରେ ସମସ୍ତଙ୍କ ନଜର ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ