ରଥ ଉତ୍ସବ ଷଷ୍ଠ ଦିନରେ ଗୁଣ୍ଡିଚା ମନ୍ଦିର ମେଳାପଡ଼ିଆରେ ହରିନାମ ସଂକୀର୍ତ୍ତନ ଓ ସାଂସ୍କୃତିକ କାର୍ଯ୍ୟକ୍ରମ

ବାଲେଶ୍ୱର,(ଯୁଗାବ୍ଦ ନ୍ୟୁଜ): ରେମୁଣା ବାଲଗୋପାଳପୁର ଶିଳ୍ପାଞ୍ଚଳ ସ୍ଥିତ ଇମାମୀ ନଗର ଶ୍ରୀଗୁଣ୍ଡିଚା ମନ୍ଦିର ମେଳାପଡ଼ିଆରେ ପ୍ରତିବର୍ଷ ଭଳି ରଥ ଉତ୍ସବର ଷଷ୍ଠଦିନରେ ବିଭିନ୍ନ ପ୍ରାନ୍ତରରୁ ହଜାର ହଜାର ଶ୍ରଦ୍ଧାଳୁଙ୍କ ଭିଡ଼ ସାଙ୍ଗକୁ ପୁଷ୍ପସଜ୍ଜା କଳା ପ୍ରତିଯୋଗିତା, ହରିନାମ ସଂକୀର୍ତ୍ତନ ପ୍ରତିଯୋଗିତା ଓ ରାସଲୀଳା ଅନୁଷ୍ଠିତ ହୋଇଯାଇଛି । ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ମୁତାବକ ଇମାମୀ ନଗରସ୍ଥ ଗୁଣ୍ଡିଚା ମନ୍ଦିରରେ ଶ୍ରୀକ୍ଷେତ୍ର ରୀତିନୀତି ମୁତାବକ ଆଜି ଷଷ୍ଠ ଦିନରେ ମହାପ୍ରଭୁଙ୍କର ସମସ୍ତ ପୂଜାର୍ଚ୍ଚନା ସମାପନ ସାଙ୍ଗକୁ ଶ୍ରୀଶ୍ରୀ ଜଗନ୍ନାଥ ମନ୍ଦିରସ୍ଥିତ ଭଜନ ମଣ୍ଡପରେ ସକାଳ ୯ଘଟିକାରୁ ୨ଘଟିକା ମଧ୍ୟରେ ଇମାମୀ କାଗଜକଳର ପୁରୁଷମାନଙ୍କ ଦ୍ୱାରା ସୁସ୍ୱାଦୁ ଖାଦ୍ୟ ପ୍ରସ୍ତୁତ କରାଯାଇ ଶ୍ରଦ୍ଧାଳୁମାନଙ୍କୁ ପ୍ରଦାନ କରାଯାଇଥିଲା । ଇମାମୀ ଲେଡ଼ିସ୍ କ୍ଲବ୍ ପକ୍ଷରୁ ଗୁଣ୍ଡିଚା ମନ୍ଦିର ମଣ୍ଡପରେ ବିଭିନ୍ନ କିସମର ପୁଷ୍ପସଜ୍ଜା କଳା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ସନ୍ଧ୍ୟା ୫ଘଟିକାରୁ ୭ଘଟିକା ପର୍ଯ୍ୟନ୍ତ ହରିନାମ ସଂକୀର୍ତ୍ତନ ପ୍ରତିଯୋଗିତାରେ ସେମିଫାଇନାଲ୍କୁ ଉନ୍ନୀତ ହୋଇଥିବା ମଧ୍ୟରେ ଶ୍ରୀଜଗନ୍ନାଥ କୀର୍ତ୍ତନମଣ୍ଡଳୀ, ବାଲଗୋପାଳପୁର, ଦଧିବାମନ କୀର୍ତ୍ତନମଣ୍ଡଳୀ, ଆରପଟା, ରାଧା ଗିରିଧାରୀ ସଂକୀର୍ତ୍ତନ ମଣ୍ଡଳୀ, ଚକୁଳିଆ, ରସିକଜିଉ କୀର୍ତ୍ତନମଣ୍ଡଳୀ, ଧାରାଗଞ୍ଜ, ମା’ ଥାନେଶ୍ୱରୀ କୀର୍ତ୍ତନମଣ୍ଡଳୀ, ସୋରିଷକୋଠାଙ୍କ ମଧ୍ୟରେ ଅନୁଷ୍ଠିତ ହୋଇଥିବା ହରିନାମ ସଂକୀର୍ତ୍ତନ ବେଶ୍ ଆକର୍ଷର୍ଣର କେନ୍ଦ୍ରବିନ୍ଦୁ ପାଲଟିଥିଲା । ସନ୍ଧ୍ୟା ୭ଘଟିକାରୁ ରାତ୍ର ୯ଘଟିକା ପର୍ଯ୍ୟନ୍ତ ବୃନ୍ଦାବନସ୍ଥିତ ଭାରତୀୟ କଳାସଂସ୍ଥାନ ପକ୍ଷରୁ ରାସଲୀଳା ବେଶ୍ ଚିତ୍ତାକର୍ଷକ ରହିଥିଲା । ଏହି କାର୍ଯ୍ୟକ୍ରମରେ ଜଗନ୍ନାଥ ମନ୍ଦିରର ମୁଖ୍ୟ ପୃଷ୍ଠପୋଷକ ଶ୍ରୀ ସୁଶିଲ୍ କୁମାର ଗୋୟେଙ୍କା ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିବାବେଳେ ସ୍ଥାନୀୟ କାଗଜକଳର ମୁଖ୍ୟ ସଂଚାଳକ ଶ୍ରୀ ଏମ୍.ବି.ଏସ୍. ନାୟାର, ବରିଷ୍ଠ ସଭାପତି ଶ୍ରୀ ସୁଶୀଲ୍ କୁମାର ଖୈତାନ୍, ବରିଷ୍ଠ ଉପସଭାପତି ଆଶିଷ୍ ଏ. ଗୁପ୍ତା ଉପସ୍ଥିତ ରହି କାର୍ଯ୍ୟ ତଦାରଖ କରୁଥିବା ଜଣାପଡ଼ିଛି । ଅନୁରୂପଭାବେ ପ୍ରତିଦିନଭଳି ଆଗନ୍ତୁକ ହଜାର ହଜାର ଶ୍ରଦ୍ଧାଳୁଙ୍କ ନିମନ୍ତେ ପ୍ରସାଦସେବନ, ପାନୀୟଜଳ ଓ ସୁରକ୍ଷାବ୍ୟବସ୍ଥା ମନ୍ଦିର ପ୍ରଶାସନ ପକ୍ଷରୁ ଗ୍ରହଣ କରାଯାଇଥିବାବେଳେ ଇମାମୀ ନଗର ଗୁଣ୍ଡିଚା ମନ୍ଦିର ପରିସର ବେଶ୍ ଜଗନ୍ନାଥ ମହାପ୍ରଭୁଙ୍କର ଭାବ ଆବେଗରେ ପରିପୂର୍ଣ୍ଣ ହୋଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ