ରଥ ପ୍ରତିଷ୍ଠା ପାଇଁ ମିଳିଲା ଅନୁମତି

ପୁରୀ: ସବୁ ପ୍ରତିକୂଳ ପରିସ୍ଥିତି ସତ୍ତ୍ବେ ରଥ ପ୍ରତିଷ୍ଠା ପାଇଁ ଅନୁମତି ପତ୍ର ଜାରି ହୋଇଛି। ଫଳରେ ରଥଯାତ୍ରା ହେବା ନେଇ ଶ୍ରଦ୍ଧାଳୁଙ୍କ ମଧ୍ୟରେ ଆଶା ଉଜ୍ଜୀବିତ ହୋଇଛି। ବିଶ୍ୱ ପ୍ରସିଦ୍ଧ ରଥଯାତ୍ରାକୁ ଆଉ ମାତ୍ର ଏକ ସପ୍ତାହ ରହିଥିବାବେଳେ ଏହାକୁ ନେଇ ନାନା ଅନିଶ୍ଚିତତା ଲାଗି ରହିଛି। ଆସନ୍ତା ୧୮ ତାରିଖରେ ସୁପ୍ରିମକୋର୍ଟରେ ରଥଯାତ୍ରା ମାମଲାର ଶୁଣାଣି ହେବ। ବରିଷ୍ଠ ଦଇତାପତି ବିନାୟକ ଦାସମହାପାତ୍ର କହିଛନ୍ତି ଯେ, ରାଜ୍ୟ ସରକାର ରଥଯାତ୍ରା ଓ ରଥ ଟଣା ନେଇ ଶୀଘ୍ର ନିଜର ନିଷ୍ପତ୍ତି ଘୋଷଣା କରିବା ଦରକାର । ରଥ ଟାଣିବା ଲାଗି ୧୭୦୦ରୁ ୨୦୦୦ ସେବାୟତ ପ୍ରସ୍ତୁତ ଥିବା ସେ କହିଛନ୍ତି । ପୂର୍ବରୁ ବଡ଼ଦାଣ୍ଡରେ ବାଲି ଥିଲା ବୋଲି ହାତୀ ରଥ ଟାଣୁଥିଲେ । ଏବେ ହାତୀ ମିଳୁନାହାନ୍ତି । ତାହା ହେଲେ ରଥ କିପରି ଟଣାଯିବ ବୋଲି ସେ ପ୍ରଶ୍ନ କରିଛନ୍ତି । ବିନା ଭକ୍ତରେ ରଥଯାତ୍ରା କିପରି ହେବ ସେନେଇ ସରକାର ତୁରନ୍ତ ଘୋଷଣା କରିବାକୁ ଦଇତାପତି ଦାବି କରିଛନ୍ତି । ଅପରପକ୍ଷେ ମେସିନରେ ରଥ ଟଣା ପ୍ରସ୍ତାବକୁ ସେ ନାପସନ୍ଦ କରିବା ସହିତ ରଥଟଣାକୁ ନେଇ ରାଜନୀତି କରିବା ଠିକ୍ ନୁହଁ ବୋଲି ସେ କହିଛନ୍ତି । ଏନେଇ ବିନାୟକ ଦାସମହାପାତ୍ର ଆଜି ମନ୍ତ୍ରୀ ଅରୁଣ ସାହୁଙ୍କୁ ମଧ୍ୟ ଭେଟି ଆଲୋଚନା କରିଛନ୍ତି। ଅପରପକ୍ଷେ ରଥ ଅନୁକୂଳ ପାଇଁ ଶ୍ରୀମନ୍ଦିର ପୁରୋହିତଙ୍କୁ ଅନୁମତି ପତ୍ର ଦେଇଛି ଶ୍ରୀମନ୍ଦିର ପ୍ରଶାସନ। ଏବେ ସ୍ରୋତର ପ୍ରତିକୂଳ ପରିସ୍ଥିତିରେ ସବୁକିଛି ଚାଲୁ ରହିଛି । ଏଭଳି ସ୍ଥିତିରେ ମହାପ୍ରଭୁଙ୍କ ରଥଯାତ୍ରା ହେଉ ବୋଲି ଆଶା କରିବା ବୋଲି କହିଛନ୍ତି ପୁରୋହିତ ସିଦ୍ଧେଶ୍ୱର ମହାପାତ୍ର। ରଥ ଯାତ୍ରା ନେଇ ସରକାର କୌଣସି ନିଷ୍ପତ୍ତି ନେଉ ନ ଥିବାରୁ ଓଡ଼ିଶା ବିକାଶ ପରିଷଦ ସୁପ୍ରିମ୍‌ କୋର୍ଟର ଦ୍ୱାରସ୍ଥ ହୋଇଛି। ଆସନ୍ତା ୧୮ ତାରିଖରେ ହେବ ଏହି ମାମଲାର ଶୁଣାଣି ହେବା ନିମନ୍ତେ ଦିନ ଧାର୍ଯ୍ୟ ହୋଇଛି। ସୁପ୍ରିମକୋର୍ଟର ୩ ଜଣିଆ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରିବେ। ଏନେଇ ଓଡ଼ିଶା ବିକାଶ ପରିଷଦ ଓକିଲ ହିତେନ୍ଦ୍ର ନାଥ ରଥ ସୂଚନା ଦେଇଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ