ରସାଳପୁରର ୨ ବୁଥରେ ରିଗିଂ ଭୋଟ ଆଶଙ୍କା ! ପୁଲିସ ଅଧିକାରୀ ମୁତୟନ-ସିସିଟିଭି ବ୍ୟବସ୍ଥା ଦାବି
ବାଲେଶ୍ୱର, (ସରୋଜ ପଣ୍ଡା) :-ଆସନ୍ତା ୨୪ ତାରିଖରେ ମତଦାନ ହେବାକୁ ଥିବା ସଦର ବ୍ଳକ ଅନ୍ତର୍ଗତ ରସାଳପୁର ଗ୍ରାମ ପଞ୍ଚାୟତର ଦୁଇ ଉତ୍ତେଜନା ପ୍ରବଣ ବୁଥ ଏବେ ସ୍ଥାନୀୟ ଅଞ୍ଚଳ ପାଇଁ ଚିନ୍ତାର କାରଣ ହୋଇଛି । ଏହି ପଞ୍ଚାୟତର ୧୮ ନଂ ୱାର୍ଡ଼ର ବୁଥ ଏମ କେ ପାଟଣା ନିପ୍ରା ବିଦ୍ୟାଳୟରେ ସ୍ଥାପନ ହୋଇଥିବା ବେଳେ ଏହାକୁ ଲାଗି୧୩ ନଂ ବୁଥ ମଧ୍ୟ ରହିଛି । ୨ବୁଥଠାରୁ ମାତ୍ର ଦେଢ଼ଶହ ମିଟର ଦୂରରେ ଜନୈକ ସରପଞ୍ଚ ପ୍ରାର୍ଥୀଙ୍କ ଘର । ବିଗତ ପଞ୍ଚାୟତ ନିର୍ବାଚନ ସମୟରେ ଏହି ବୁଥରେ ଉତ୍ତେଜନା ସୃଷ୍ଟି ହୋଇଥିଲା । ଏମକେ ପାଟଣା ଗ୍ରାମର ଗୋଟିଏ ଗୋଷ୍ଠୀ ବ୍ୟାଲଟ ବାକ୍ସ କବଜା ସହ ର୍ୟାଗିଂ ଭୋଟ କରିଥିବା ଘଟଣା ସେତେବେଳେ ସମସ୍ତଙ୍କ ପାଇଁ ଉଦବେଗର ବିଷୟ ହୋଇଥିଲା । ଏହି ୱାର୍ଡ଼ରୁ ସରପଞ୍ଚ ପ୍ରାର୍ଥୀ ହୋଇଥିବା ବ୍ୟକ୍ତିଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଦୁଇବୁଥକୁ କବଜା ସହ ର୍ୟାଗିଙ୍ଗ ଭୋଟ ହେବା ନେଇ ଅନ୍ୟ ପ୍ରାର୍ଥୀମାନେ ଆଶଙ୍କା ପ୍ରକାଶ କରିଛନ୍ତି । ଏହି ବୁଥରେ ସିସିଟିଭି ଲଗାଇବା ସହ ମତଦାନ ସମୟରେ ଜଣେ ପୁଲିସ ଅଧିକାରୀ ଓ ସୁରକ୍ଷାବଳ ନିୟୋଜିତ ପାଇଁ ସେମାନେ ଦାବି କରିଛନ୍ତି । ଏହାକୁ ହାଲକା ଭାବେ ଗ୍ରହଣ ନ କରିବା ପାଇଁ ପଞ୍ଚାୟତର ଅନ୍ୟ ପ୍ରାର୍ଥୀମାନେ ଜିଲାପାଳଙ୍କୁ ନିବେଦନ କରିଛନ୍ତି । ଏନେଇ ସେମାନେ ରାଜ୍ୟ ନିର୍ବାଚନ କମିଶନରଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ଜିଲାପାଳଙ୍କୁ ପ୍ରଦାନ କରିଛନ୍ତି ।


