ରସାୟନିକ ସାରର ବ୍ୟବହାର ପାଇଁ ସଚେତନତା କାର୍ଯ୍ୟକ୍ରମ

କେନ୍ଦ୍ରାପଡା,(ଯୁଗାବ୍ଦ ନ୍ୟୁଜ୍‌): ଜିଲ୍ଲାର ଚାଷୀମାନଙ୍କୁ ରସାୟନିକ ସାର ବ୍ୟବହାର ପାଇଁ ସଚେତନତା କାର୍ଯ୍ୟକ୍ରମ ମଙ୍ଗଳବାର ପୂର୍ବାହ୍ନରେ ଟାଉନହଲ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ରାଜ୍ୟ କୃଷିି ଓ କୃଷକ ସଶକ୍ତିକରଣ ବିଭାଗ ଏବଂ କୃଷି ବିଜ୍ଞାନ କେନ୍ଦ୍ରର ମିଳିତ ଆନୁକୁଲ୍ୟରେ ଅନୁଷ୍ଠିତ ସଚେତନତା କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କେନ୍ଦ୍ରାପଡା ବିଧାୟକ ଶଶୀଭୂଷଣ ବେହେରା ଯୋଗଦେଇ ସବୁଜ ବିପ୍ଳବର ଆବଶ୍ୟକତା ଉପରେ ବକ୍ତବ୍ୟ ରଖି ବିଭିନ୍ନ ପାରମ୍ପରିକ ଚାଷ ପ୍ରଣାଳି ସହ ଜୈବିକ ଏବଂ ବୈଜ୍ଞାନିକ ଚାଷ ପ୍ରଣାଳିକୁ ବ୍ୟବହାର କରି ଚାଷଜମିକୁ ଅଧିକ ଉର୍ବରକ୍ଷମ କରି ରାଜ୍ୟ ସରକାରଙ୍କ କୃଷି ଭିତିକ ଅଭିନବ ଯୋଜନାକୁ ଆପଣେଇ କେନ୍ଦ୍ରାପଡା ଜିଲ୍ଲାକୁ ଚିର ସବୁଜ ଶସ୍ୟଶାମଳାକରି ରାଜ୍ୟ ସରକାରଙ୍କ କୃଷିପ୍ରବଣ ମାନ୍ୟତାରେ ଅଗ୍ରଣୀ ଭୂମିକା ନେବାକୁ ଉପସ୍ଥିତ କୃଷକମାନଙ୍କୁ ଆହ୍ୱାନ ଦେଇଥିଲେ । ସମ୍ମାନୀତ ଅତିଥି ଭାବେ ଜିଲ୍ଲା ପରିଷଦ ସଭାପତି ମାନସ କୁମାର ପରିଡା ଯୋଗଦେଇ ବୈଜ୍ଞାନିକ ପଦ୍ଧତିରେ ଚାଷ ପ୍ରଣାଳି ଆଦରି ଜମିର ଉର୍ବରତା ବଜାୟରଖି ଜିଲ୍ଲାର ଚାଷୀଭାଇମାନେ ମତ୍ସ୍ୟ,ପଶୁପାଳନ ଓ ପନିପରିବା ସହ ସମସ୍ତ ଚାଷକୁ ଆଦରିନେଇ ଜିଲ୍ଲାକୁ ସମଗ୍ର ଭାରତବର୍ଷରେ କୃଷିପ୍ରଧାନ ଜିଲ୍ଲା ଭାବେ ଗଢିତୋଳିବାକୁ ଆଗେଇ ଆସିବାକୁ ବକ୍ତବ୍ୟ ରଖିଥିଲେ । ଅନ୍ୟତମ ସମ୍ମାନୀତ ଅତିଥି ଭାବେ କେନ୍ଦ୍ରାପଡା ବ୍ଲକ ଅଧ୍ୟକ୍ଷ ଅନାମବନ୍ଧୁ ଧଳ ଯୋଗଦେଇ ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲବାହାଦୂର ଶାସ୍ତ୍ରୀଙ୍କ ଉକ୍ତିକୁ ଉଦ୍ଧାରକରି କହିଥିଲେ ଯେ ଜବାନମାନଙ୍କୁ ପ୍ରୋତ୍ସାହିତ ସଶକ୍ତିକରଣ ଦ୍ୱାରା ରାଷ୍ଟ୍ର ଯେଭଳି ସୁରକ୍ଷା କବଳରେ ରହେ ସେହିପରି କୃଷକମାନଙ୍କୁ ପ୍ରୋତ୍ସାହିତ ଏବଂ ସଶକ୍ତିକରଣ ଦ୍ୱାରା ରାଷ୍ଟ୍ର ଶଶ୍ୟଶାମଳା ଓ ଖାଦ୍ୟର ଭଣ୍ଡାର ଭରପୁର ହୋଇ ରହିଥାଏ ବୋଲି ମତବ୍ୟକ୍ତ କରିଥିଲେ । କୃଷି ବିଜ୍ଞାନ କେନ୍ଦ୍ରର ବରିଷ୍ଠ କୃଷି ବୈଜ୍ଞାନିକ ଗୋକୁଳ ବିହାରୀ ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସଚେତନତା କାର୍ଯ୍ୟକ୍ରମରେ ଜିଲ୍ଲା କୃଷି ଅଧିକାରୀ ମହେଶ ପ୍ରସାଦ ରଥ,କୃଷକ ନେତା ଭଜକୃଷ୍ଣ ରାଉତ ପ୍ରମୁଖ ଯୋଗଦେଇ କୃଷି ଓ କୃଷକର ଉନ୍ନତିକଳ୍ପେ ସରକାରଙ୍କ ବିଭିନ୍ନ ଯୋଜନାର ଅବତାରଣା କରିଥିଲେ । ଏହି ଅବସରରେ କୃଷି ଓ କୃଷକ ସଚେତନତାଧର୍ମୀ ପୁସ୍ତକ ଅତିଥିମାନେ ଉନ୍ମୋଚନ କରିଥିଲେ । କୃଷି ବିଜ୍ଞାନ କେନ୍ଦ୍ର ପକ୍ଷରୁ ପୁଷ୍ପଗୁଛ ଓ ଉତ୍ତରୀୟ ପ୍ରଦାନ କରାଯାଇ ଅତିଥିମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । କୃଷିବିଜ୍ଞାନ କେନ୍ଦ୍ରର ମୁଖ୍ୟ ବୈଜ୍ଞାନିକ ଡଃ.ସୂର୍ଯ୍ୟନାରାୟଣ ମିଶ୍ର ସଭାକୁ ସଂଯୋଜନା କରିଥିବା ବେଳେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ବିଭାଗ ଉପନିର୍ଦେଶକ ଚନ୍ଦ୍ରକାନ୍ତ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ । ପ୍ରାୟ ୨୫୦ରୁ ଉଦ୍ଧ୍ୱର୍ କୃଷକ ଯୋଗଦେଇ ରସାୟନିକ ସାର ବ୍ୟବହାରର ସଚେତନତା କାର୍ଯ୍ୟକ୍ରମ ଟେଲିଭିଜନ ଯୋଗେ ସିଧାପ୍ରସାରଣ ଦେଖିବାର ସୁଯୋଗ ପାଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ବୈଜ୍ଞାନିକ ତାପସ ରଞ୍ଜନ ସାହୁ, ବୈଜ୍ଞାନିକ ପ୍ରଭଞ୍ଜନ ମିଶ୍ର,ବୈଜ୍ଞାନିକ ନମିତା ମହାପାତ୍ର,କୃଷି ସଂଯୋଜକ ପ୍ରଭାତ କୁମାର ସାହୁ, କୃଷି କ୍ଷେତ୍ର ପରିଚାଳକ ରାଜେଶ ମହାପାତ୍ର, କାର୍ଯ୍ୟକ୍ରମ ସଂଯୋଜକ(କମ୍ପ୍ୟୁଟର) ନିହାର ରଞ୍ଜନ ବରାଳ, ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଲକ୍ଷ୍ମଣ କୁମାର ବେହେରା,ଜିଲ୍ଲାର ପ୍ରତ୍ୟେକ ବ୍ଲକର ଅଗ୍ରଣୀ ଚାଷି,କୃଷକ,କୃଷି ବିଭାଗର ଅଧିକାରୀ, ସ୍ୱଛାସେବୀ ଅନୁଷ୍ଠାନର କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ