ରହସ୍ୟମୟ ହେବାରେ ଲାଗିଛି ସୁଶାନ୍ତଙ୍କ ଆତ୍ମହତ୍ୟା
ସୁପରଷ୍ଟାର ସୁଶାନ୍ତ ସିଂହ ରାଜପୁତଙ୍କ ଆତ୍ମହତ୍ୟା ଦିନକୁ ନିଜ ଅଧିକରୁ ଅଧିକ ରହସ୍ୟମୟ ହେବାରେ ଲାଗିଛି । ଶବ ବ୍ୟବଚ୍ଛେଦ ରିପୋର୍ଟ ରୁ ସେ ଆତ୍ମହତ୍ୟା କରିଥିବା ସ୍ପଷ୍ଟ ହୋଇଛି । କିନ୍ତୁ ପୂର୍ବତନ ଗୁଇନ୍ଦା ଅଧିକାରୀ ଏନ ଏକେ ସୁଦ ଏହାକୁ ଆତ୍ମହତ୍ୟା ନୁହେଁ ବରଂ ହତ୍ୟା ବୋଲି କହିବା ପରେ ପୁଣି ବଲିଉଡରେ ଝଡ଼ ଉଠିଛି । ଯୋଜନାବଦ୍ଧ ଭାବରେ ସୁଶାନ୍ତଙ୍କୁ ହତ୍ୟା କରାଯାଇଛି ବୋଲି ସେ କହିଛନ୍ତି । ପୂର୍ବତନ ‘ର’ ଅଧିକାରୀଙ୍କ ଏହି ମନ୍ତବ୍ୟ ୟୁଟ୍ୟୁବରେ ଅପଲୋଡ ହୋଇଛି । ଯାହାକୁ ନେଇ ଏବେ ଅନେକ ପ୍ରଶ୍ନ ଉଠିଛି । ସୁଶାନ୍ତ ସିଂହ ରାଜପୁତ ଜୁନ ୧୪ ରେ ତାଙ୍କ ମୁମ୍ବାଇ ସ୍ଥିତ ବାସଭବନରେ ଆତ୍ମହତ୍ୟା କରିଥିଲେ । ସ୍ୱଜନ ତୋଷରର ଶିକାର ହୋଇ ଅବସାଦ କାରଣରୁ ତାଙ୍କର ମୃତ୍ୟୁ ଘଟିଛି ବୋଲି ଚର୍ଚ୍ଚା ହେଉଛି । ଏହାକୁ ନେଇ ବଲିଉଡ଼ର ଅନେକ ନାମୀ ଦାମୀ ଚେହେରା ଏବେ ପୁଲିସର ସନ୍ଦେହ ଘେରରେ ରହିଛନ୍ତି । ଏହାରି ଭିତରେ ପୂର୍ବତନ ‘ର’ ଅଧିକାରୀ କହିଛନ୍ତି, ଯଦିଓ ଦାଉଦ ମୁମ୍ବାଇରେ ରହୁନାହିଁ ତଥାପି ମୁମ୍ବାଇକୁ ସେ ନିଜ ନିୟନ୍ତ୍ରଣରେ ରଖିଛି । ଲୋକବଳ, ଆର୍ଥିକ ବଳ ଇତ୍ୟାଦି ବ୍ୟବହାର କରି ଦେଶର ଆର୍ଥିକ ରାଜଧାନୀକୁ ସେ ନିଜ ଅଧୀନରେ ରଖିଛି । ସୁଶାନ୍ତ ସିଂହ ମୃତ୍ୟୁ ପୂର୍ବରୁ ୫୦ଟି ସିମ୍ କାର୍ଡ ବଦଳ କରିଥିଲେ । ନିକଟରେ ଏହି ଖବର ଆସିଥିଲା । ସୁଶାନ୍ତ ସିଂହ ଏଭଳି କରିବା ପଛର କାରଣ ଦାଉଦର ବାରମ୍ବାର ଧମକ ବୋଲି ଏନ ଏକେ ସୁଦ କହିଛନ୍ତି । ଏହି ହତ୍ୟା ଜଣେ ପେସାଦାର ହତ୍ୟାକାରୀଙ୍କ ଦ୍ୱାରା ହୋଇଛି ବୋଲି ଏହି ପୂର୍ବତନ ‘ର’ ଅଧିକାରୀ କହିଛନ୍ତି । ଆତ୍ମହତ୍ୟା ପୂର୍ବଦିନ ସୁଶାନ୍ତଙ୍କ ଘରର ସିସିଟିଭ ବନ୍ଦ ହେବା, ଘରର ଡୁପ୍ଲିକେଟ ଚାବି ନିଖୋଜ ହେବା ହତ୍ୟା ବୋଲି ଦର୍ଶାଉଥିବା ସେ କହିଛନ୍ତି । ମୁମ୍ବାଇ ପୁଲିସ ଯଦିଓ ଏହି ମାମଲାର ତଦନ୍ତ କରୁଛି ହେଲେ ମୁଖ୍ୟ ଅଭିଯୁକ୍ତ କେବେ ଧରାପଡ଼ିବ ନାହିଁ । ବଲିଉଡ ଓ ଦାଉଦର ସମ୍ପର୍କ ପୁରୁଣା ବୋଲି ସେ କହିଛନ୍ତି । ସେ ସୁଶାନ୍ତଙ୍କ ହତ୍ୟାରେ ତାଙ୍କ ଚାକର ଓ ସାଙ୍ଗ ସନ୍ଦୀପ ଏସ ସିଂହଙ୍କ ସମ୍ପୃକ୍ତି ନେଇ ଅଙ୍ଗୁଳି ନିର୍ଦ୍ଦେଶ କରିଛନ୍ତି । ତେବେ ସୁଶାନ୍ତଙ୍କ ପ୍ରେମିକା ରିୟା ଚକ୍ରବର୍ତ୍ତୀ ବାବଦରେ ସେ କହିଛନ୍ତି, ରିୟାଙ୍କ ମୃତ୍ୟୁ ମାମଲାରେ ସିଧାସଳଖ ସମ୍ପୃକ୍ତି ନାହିଁ । ହେଲେ ଯାହା ଘଟୁଥିଲା ସେ ଜାଣିଥାଇପାରନ୍ତି । ସେଥିପାଇଁ ସୁଶାନ୍ତଙ୍କ ଆତ୍ମହତ୍ୟା କରିବାର କିଛି ଦିନ ପୂର୍ବରୁ ସେ ତାଙ୍କୁ ଏକୁଟିଆ ଛାଡ଼ି ଚାଲିଯାଇଥିବା ସେ କହିଛନ୍ତି ।


