ରହିବନି ଆରଟିଓ ଟେନସନ : ୧୭ରୁ ଏକକ ରସିଦ୍ ବ୍ୟବସ୍ଥା

ଭୁବନେଶ୍ୱର : ଏଣିକି ଆଉ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟରେ ବିଭିନ୍ନ ଫି’ ଦାଖଲ ପାଇଁ ପୃଥକ କାଉଣ୍ଟର୍ ସମ୍ମୁଖରେ ଧାଡ଼ି ବାନ୍ଧିବାକୁ ପଡ଼ିବ ନାହିଁ । ଅନଲାଇନରେ ଗୋଟିଏ କ୍ଲିକରେ ଚାଳକମାନେ ସମସ୍ତ ଫି’ ଦାଖଲ କରିପାରିବେ । ଏଭଳି ଏକକ ରସିଦ୍ ବ୍ୟବସ୍ଥା ଆସନ୍ତା ୧୭ ତାରିଖରୁ ସମସ୍ତ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟରେ ଆରମ୍ଭ ହେଉଛି । ସୂଚନା ଅନୁଯାୟୀ, ଜନସାଧାରଣଙ୍କ ସୁବିଧା ପାଇଁ ପରିବହନ କମିସନରଙ୍କ ପକ୍ଷରୁ ଆସନ୍ତା ୧୭ରୁ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟରେ ଏକକ ରସିଦ୍ ବ୍ୟବସ୍ଥା ପ୍ରଚଳନ ହେବାକୁ ଯାଉଛି । ଏହି ବ୍ୟବସ୍ଥା ମାଧ୍ୟମରେ ପୂର୍ବରୁ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟରେ ଲର୍ଣ୍ଣିଂ ଲାଇସେନ୍ସ, ଡ୍ରାଇଭିଓ ଲାଇସେନ୍ସ, ମୋଟର ଯାନ ରେଜିଷ୍ଟ୍ରେସନ୍, ପର୍ମିଟ୍, ଫିଟନେସ୍ ପାଇଁ ପୈଠ କରାଯାଉଥିବା ଦେୟକୁ ସରଳୀକରଣ କରାଯାଇଛି । ଏଣିକି ପ୍ରଚଳନ ହେବାକୁ ଯାଉଥିବା ଏକକ ରସିଦ୍ ବ୍ୟବସ୍ଥା ମାଧ୍ୟମରେ ଏସବୁ ଦେୟ ପୈଠ କରାଯିବ । ବିଭିନ୍ନ ସେବା ପାଇଁ ଆବେଦନକାରୀ ପୂର୍ବରୁ ଅନଲାଇନରେ ଦେୟ ଦେଇପାରୁଥିଲେ ମଧ୍ୟ ସେବା ପ୍ରଦାନକାରୀ ସଂସ୍ଥା(ସ୍ମାର୍ଟ ଚିପ୍ ଲିମିଟେଡ୍)ର ଦେୟ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟର କାଉଣ୍ଟରକୁ ଆସି ଅଲଗା ଦେବାକୁ ପଡ଼ୁଥିଲା । ବର୍ତ୍ତମାନ ଆଉ କୌଣସି ଦେୟ ଦେବାକୁ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟରେ ଧାଡ଼ି ଲଗାଇ ଭିଡ଼ରେ ଛିଡ଼ା ହେବାକୁ ପଡ଼ିବ ନାହିଁ । ସୂଚନାଯୋଗ୍ୟ, ଉକ୍ତ ଏକକ ରସିଦରେ ଆଦାୟ କରାଯାଉଥିବା କାଗଜଭିତ୍ତିକ ନଥିପତ୍ର ଯଥା ଲର୍ଣ୍ଣିଂ ଲାଇସେନ୍ସ, ଡ୍ରାଇଭିଓ ଲାଇସେନ୍ସ, ଫିଟନେସ୍ ସାର୍ଟିଫିକେଟ୍ ଓ ରେଜିଷ୍ଟ୍ରେସନ୍ ସାର୍ଟିଫିକେଟ୍ ଇତ୍ୟାଦି ଦେୟ ଉଚ୍ଚ ନ୍ୟାୟାଳୟଙ୍କ କେସ୍ ନଂ ୪୫୨୦ର ୨୦୧୯ର ଅନ୍ତରୀଣ ନିର୍ଦ୍ଦେଶ ଅନୁଯାୟୀ ଆଦାୟ କରାଯାଉଥିବା ସୂଚନା ମିଳିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ