ରାଇରଙ୍ଗପୁରରେ ଉପଖଣ୍ଡ ସ୍ତରୀୟ ଓଡିଶା ଦିବସ ସମାରୋହ
ରାଇରଙ୍ଗପୁର (ଅକ୍ଷୟ ବିଶ୍ୱାଳ): ଆଜିର ଦିନ ସମସ୍ତ ଓଡ଼ିଆଙ୍କ ପାଇଁ ଗର୍ବ ଓ ଗୌରବର ଦିନ । ଉତ୍କଳମାତାର ସୁଯୋଗ୍ୟ ସନ୍ତାନ ଉତ୍କଳ ଗୌରବ ମଧୁସୂଦନ ଦାସ,ଉତ୍କଳମଣି ଗୋପବନ୍ଧୁ ଦାସ, ମହାରାଜା ଶ୍ରୀରାମଚନ୍ଦ୍ର ଭଂଜଦେଓ,ବ୍ୟାସକବି ଫକୀରମୋହନ ସେନାପତି, ପଣ୍ଡିତ ନୀଳକଣ୍ଠ ଦାସ,କବିବର ରାଧାନାଥ ରାୟ, ମହାରାଜା କୃଷ୍ଣଚନ୍ଦ୍ର ଗଜପତି ଦେବ, ସ୍ୱଭାବ କବି ଗଙ୍ଗାଧର ମେହେର, ବିଚିତ୍ରାନନ୍ଦ ଦାସ, କର୍ମବୀର ଗୌରୀଶଙ୍କର ରାୟ,ହରିହର ମର୍ଦ୍ଦରାଜ ଦେବ,ମାଳତୀ ଚୌଧୁରୀଙ୍କ ସମେତ ବହୁ ଭାଷା ଓ ସଂସ୍କୃତି ବଂଚାଅ ଆନ୍ଦୋଳନ ମହାମନିଷଙ୍କ ତ୍ୟାଗ, ସଂଗ୍ରାମ, ଆନ୍ଦୋଳନ ,ପ୍ରତିବାଦର ସ୍ୱର ଯୋଗୁଁ ୧୯୩୬ ମସିହା ଏପ୍ରିଲ ୧ତାରିଖ ଦିନ ପରାଧୀନତାର ଶିକୁଳିରୁ ମୁକ୍ତ ହୋଇ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ହୋଇଥିଲା । ଆଜିଠାରୁ ଦିନ ୮୫ ବର୍ଷ ହେଲା ବିଶ୍ୱର କୋଣେ ଅନୁକୋଣେ ରହୁଥିବା ଓଡ଼ିଆ ଭାଇଭଉଣୀ ଉତ୍କଳ ଦିବସ ପାଳନ କରି ଆସୁଛନ୍ତି । ଆଜି ମୟୂରଭଂଜ ଜିଲ୍ଲାର ରାଇରଙ୍ଗପୁରରେ ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ବିଭାଗ ଆନୁକୂଲ୍ୟରେ ପବିତ୍ର ଉତ୍କଳ ଦିବସ ସମାରୋହ ପାଳନ କରାଯାଇଛି । ପ୍ରାରମ୍ଭରେ ରାଇରଙ୍ଗପୁର ପୌରାଞ୍ଚଳରେ ଥିବା ମହାମନିଷଙ୍କ ପ୍ରତିମୂର୍ତ୍ତି ଉତ୍କଳ ଗୌରବ ମଧୁସୂଦନ ଦାସ, ସାନ୍ତାଳୀ ଲିପି ସ୍ରଷ୍ଟା ପଣ୍ଡିତ ରଘୁନାଥ ମୁର୍ମୁ, ପୂର୍ବତନ ମନ୍ତ୍ରୀ ସୁନାରାମ ସୋରେନ, ଉତ୍କଳମଣି ଗୋପବନ୍ଧୁ ଦାସ,ସ୍ବାମୀ ବିବେକାନନ୍ଦ, ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ,କବିବର ରାଧାନାଥ ରାୟ, ନେତାଜୀ ସୁବାଷ ବୋଷ ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ,ସବେରକର, ମହାତ୍ମାଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଓ ଧୂପ ପୂଜନ କରି ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରାଯାଇଥିଲା ।ପରେ ଉପଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଉତ୍କଳ ଦିବସ ସମାରୋହ ଉପଲକ୍ଷେ ଏକ ସଭା ଉପଜିଲ୍ଲାପାଳ ଧର୍ମାନନ୍ଦ ବେହେରାଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଥିଲା ।ଏହି ସଭାରେ ବହଳଦା ଧୀରଜଲାଲ ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷ ହିମାଂଶୁ ଶେଖର ପଟ୍ଟନାୟକ, ରାଇରଙ୍ଗପୁର ମହିଳା ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଦୀପ ମିଶ୍ର, ରାଇରଙ୍ଗପୁର ବାଳିକା ଉଚ୍ଚ ବିଦ୍ୟାଳୟର ଭାରାକ୍ରାନ୍ତ ପ୍ରଧାନ ଶିକ୍ଷୟିତ୍ରୀ ପୁଷ୍ପାଞ୍ଜଳି ତ୍ରିପାଠୀ, ରାଇରଙ୍ଗପୁର ବାଳକ ଉଚ୍ଚ ବିଦ୍ୟାଳୟ ର ବିଜ୍ଞାନ ଶିକ୍ଷକ ରଂଜନ ନନ୍ଦ, ରାଇରଙ୍ଗପୁର ମହାବିଦ୍ୟାଳୟ ର ଓଡ଼ିଆ ଅଧ୍ଯାପକ ମିଲନ ମହାନ୍ତ, ରାଇରଙ୍ଗପୁର ମହିଳା ମହାବିଦ୍ୟାଳୟର ଓଡ଼ିଆ ଅଧ୍ଯାପକ ରାଜେନ୍ଦ୍ର ମଣ୍ଡଳ ପ୍ରମୁଖ ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନରେ ଆମ ପୂର୍ବ ତୂରୀ,ସାରସ୍ୱତ ସାଧକ,ଭାଷା ଓ ସଂସ୍କୃତି ପ୍ରେମୀଙ୍କ ତ୍ୟାଗ,ଜାତିପ୍ରେମ ଉପରେ ଆଲୋକପାତ କରିଥିଲେ ।ଭାଷା ଓ ସଂସ୍କୃତି ଗୋଟାଏ ଜାତିର ଅସ୍ମିତାର ପରିଚୟ ଦେଇଥାଏ ।ଆମର ଅସ୍ମିତା,ଭାଷା, ସଂସ୍କୃତି ହିଁ ସାରା ବିଶ୍ୱରେ ଅନନ୍ୟ ବୋଲି ଅତିଥି ଗଣ କହିଥିଲେ ।ଏହି କାର୍ଯ୍ୟକ୍ରମରେ ବହୁ ବୁଦ୍ଧିଜୀବୀ,ଭାଷା ପ୍ରେମୀ, ଶିକ୍ଷକ/ଶିକ୍ଷୟତ୍ରୀ, ଗଣମାଧ୍ୟମ ପ୍ରତିନିଧି କୋଭିଡ କଟକଣାକୁ ମାନିବା ସାମିଲ ହୋଇଥିଲେ ।ଶେଷରେ ଭାରାକ୍ରାନ୍ତ ଉପଖଣ୍ଡ ସୂଚନା ଓ ଲୋକ ସଂପର୍କ ଅଧିକାରୀ ଧର୍ମେନ୍ଦ୍ର ଶତପଥୀ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମରେ ମହାପାତ୍ର ବାବୁ, ପ୍ରଫୁଲ୍ଲ ସାହୁ , ସଂଗ୍ରାମ ବିଶ୍ବାଳ,ପବନ ସାଓ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ ।


