ରାଇରଙ୍ଗପୁରରେ ଭାଗବତ ଜନ୍ମ ମହାସମାରୋହରେ ପାଳିତ
ରାଇରଙ୍ଗପୁର, (ଅକ୍ଷୟ କୁମାର ବିଶ୍ୱାଳ):ଆଜି ପବିତ୍ର ଭାଗବତ ଜନ୍ମ ।ଭାଦ୍ରବ ମାସ ପୂର୍ଣ୍ଣିମା ତିଥିକୁ ଭାଗବତ ଜନ୍ମ ପାଳନ କରାଯାଏ ।ଏହା ଓଡ଼ିଶାରେ ଇନ୍ଦୁ ପୂର୍ଣ୍ଣିମା ଭାବେ ଖ୍ୟାତ ।ଭାଦ୍ରବ ମାସ ଶୁକ୍ଳ ନବମୀଠାରୁ ଆରମ୍ଭ ହୋଇଥିବା ଭାଗବତ ପାରାୟଣ ଏହିଦିନ ସଂପୂର୍ଣ୍ଣ ହୋଇଥାଏ ।ଏହି ଉତ୍ସବରେ ଭାଗବତ ମହାପୁରାଣ ପୋଥିକୁ ଶ୍ରୀକୃଷ୍ଣ ଶଵ୍ଦବ୍ରହ୍ମ ଭାବେ ପୂଜାର୍ଚ୍ଚନା କରାଯାଇ ଭୋଗ ଅର୍ପଣ କରାଯାଏ । ବ୍ୟାସଦେବ କୃତ ମୂଳ ସଂସ୍କୃତ ଭାଗବତକୁ ଅତିବଡ଼ି ଜଗନ୍ନାଥ ଦାସ ଓଡ଼ିଆରେ ଅନୁବାଦ କରିଥିଲେ । ଓଡ଼ିଶାର ଘରେ ଘରେ ମନ୍ଦିର ମାନଙ୍କରେ ଏବଂ ଭାଗବତ ଟୁଙ୍ଗିରେ ସଂଧ୍ୟା ସମୟରେ ଭାଗବତ ପୋଥିକୁ ପୂଜାର୍ଚ୍ଚନା କରି ପାରାୟଣ କରିବାର ପରଂପରା ରହିଛି । ସବୁଦିନ ଭାଗବତ ପାଠ କରିବା,ଶ୍ରବଣ କରିବା କିମ୍ବା ଧ୍ୟାନକରିବା ଦ୍ବାରା ଶ୍ରୀବିଷ୍ଣୁଙ୍କ କୃପାପ୍ରାପ୍ତି ହୋଇଥାଏ । କୁହାଯାଏ ଯେଉଁଠି ଭାଗବତ ପଢାଯାଏ, ସେଠାରେ ଦେବତାମାନେ ଉପସ୍ଥିତ ରୁହନ୍ତି । ତେଣୁ ଭାଗବତକୁ ଉଚ୍ଚ ସ୍ବରରେ ପଢିବାର ବିଧି ରହିଛି ।ଓଡ଼ିଆ ଭାଗବତ ନବାକ୍ଷରୀ ବୃତ୍ତରେ ଲିଖିତ ।ଭାଗବତ କଥାମୃତ ଦ୍ଵାରା ମଣିଷ ଏ ଭବ ସାଗର ରୁ ପାରିହୁଏ ବୋଲି ବିଶ୍ୱାସ ରହିଛି । ତେଣୁ ଭାଗବତକୁ ପ୍ରତ୍ୟେକ ଓଡ଼ିଆ ଘରର ପୂଜାରେ ବିଧିବିଧାନର ସ୍ଥାପନା କରାଯାଏ । ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର ପୌରାଞ୍ଚଳର ଦୁର୍ଗାମଣ୍ଡପ ସନ୍ନିକଟ ବିଶିଷ୍ଟ ଧର୍ମପରାୟଣ ସମାଜସେବୀ ସ୍ବର୍ଗତ ସୂର୍ଯ୍ୟ ନାରାୟଣ ମହାନ୍ତିଙ୍କ ଘରେ ୧୯୭୦ ମସିହାରେ ସ୍ଥାପିତ ଭାଗବତ ଗୋସାଇଁ ଗାଦିରେ ଦିର୍ଘ ୫୩ ବର୍ଷ ହେଲା ଭାଗବତ ଜନ୍ମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପ୍ରତ୍ୟେକ ଦିନ ଭାଗବତ ପାଠ କରାଯାଏ ।ଆଜି ସକାଳୁ ବିଶିଷ୍ଟ ପୂଜକ ଟିକ ନନାଙ୍କ ଦ୍ବାରା କଳସ ସ୍ଥାପନା, ପୂଜାର୍ଚ୍ଚନା,ଚନ୍ଦନ,ବାଳଭୋଗ,ଅନ୍ନଭୋଗ,ଆଳତୀ କାର୍ଯ୍ୟକ୍ରମ ହୋଇଥିଲା । କର୍ତାଭାବରେ ସ୍ଵସ୍ତିକ ବସି ପୂଜାର୍ଚ୍ଚନା କରିଥିଲେ ।ଦିନ ତମାମ ବିଜୟ ମହାନ୍ତଙ୍କ ସଂକୀର୍ତ୍ତନ ଦଳ ସଂକୀର୍ତ୍ତନ ପରିବେଷଣ କରିଥିଲେ ।ସମସ୍ତ ଭାଗବତ ପ୍ରେମୀଙ୍କୁ ଅନ୍ନ ପ୍ରସାଦ ବଣ୍ଟନ କରାଯାଇଥିଲା । ବହୁସଂଖ୍ୟାରେ ଭାଗବତ ପ୍ରେମୀ ଭାଗବତ ଗୋସାଇଁ ଙ୍କ ଦର୍ଶନ କରି ଆଶୀର୍ବାଦ ନେଇଥିଲେ ।ସମଗ୍ର ଅଂଚଳ ଔଂ ନମୋ ଭାଗବତେ ବାସୁଦେବାୟଃ ଉଚ୍ଚାରଣରେ ପ୍ରକମ୍ପିତ ହୋଇଥିଲା ।ଏକ ଶକ୍ତିମୟୀ,ଭାବମୟ,ରସମୟ ପରିବେଶ ହୋଇ ଉଠିଥିଲା ।କାର୍ଯ୍ୟକ୍ରମକୁ ଆୟୋଜକ ବିଶିଷ୍ଟ ଶିକ୍ଷାବିତ୍ ପ୍ରଦୀପ୍ତ ମହାନ୍ତି,ବୀଣା ପଟ୍ଟନାୟକ,ବନ୍ଦିତା, ଦେବସ୍ମିତା,ସରିତା,ପୁଷ୍ପିତା ଓ ଅନ୍ୟମାନେ ପରିଚାଳନାରେ ସହଯୋଗ କରିଥିଲେ।


