ରାଇରଙ୍ଗପୁର କୋର୍ଟ ! ନାବାଳିକା ହତ୍ୟା ମାମଲାରେ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡ
ରାଇରଙ୍ଗପୁର, (ଅକ୍ଷ୍ୟ କୁମାର ବିଶ୍ୱାଳ) :-ମୟୂରଭଂଜ ଜିଲ୍ଲା ଜାମଦା ଥାନା ଅନ୍ତର୍ଗତ ଜାମଦା ଗ୍ରାମରେ ୬/୬/୨୦୨୦ ରେ ନାବାଳିକା ସସ୍ମିତା ମହାକୁଡ଼ (୧୨) ଙ୍କୁ ପଡୋଶୀ ଯୁବକ ସୁରଜ ମହାକୁଡ଼ (୨୨) ଆକ୍ରମଣ ମାମଲାରେ ଆଜି ରାଇରଙ୍ଗପୁର କୋର୍ଟରେ ଆଜୀବନ କାରାଦଣ୍ଡ ଓ ୫୦୦୦ ଟଙ୍କା ଜୋରିମାନାରେ ଦଣ୍ଡିତ କରାଯାଇଛି । ସୂଚନାଯୋଗ୍ୟ ମାଛ ଧରିବା ପାଇଁ ଜିଆ ଥୋପର ଆବଶ୍ୟକତାକୁ ନେଇ ସୁରଜ ମହାକୁଡ଼ ମାଟିଗାତ ଖୋଳୁଥିବା ସମୟରେ ୧୨ ବର୍ଷିୟା ସସ୍ମିତା ମହାକୁଡ଼ କାହିଁକି ଗାତ ଖୋଳୁଛୁ ମନା କରିବାରୁ ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା । ଘଟଣାସ୍ଥଳରେ ସୁରଜ ରାଗି ଯାଇ ଖୋଳୁଥିବା କୋଦାଳରେ ସସ୍ମିତା ମଥାର ପଛକୁ ଆକ୍ରମଣ କରିଥିଲା । ସସ୍ମିତା ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡିଯାଇଥିଲା ।ପରିବାର ଲୋକେ ତାଙ୍କୁ ରାଇରଙ୍ଗପୁର ହସ୍ପିଟାଲକୁ ଆଣିଥିଲେ । ପରିସ୍ଥିତି ଗୁରୁତର ହେବାରୁ ବାରିପଦା ଜିଲ୍ଲା ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଥିଲା । ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ସସ୍ମିତା ର ମୃତ୍ୟୁ ହୋଇଥିଲା । ଏହାକୁ ନେଇ ପରିବାର ତରଫରୁ ଜାମଦା ଥାନାରେ ୮/୬/୨୦ ତାରିଖ ଦିନ ଲିଖିତ ଅଭିଯୋଗ ହୋଇଥିଲା । ଥାନାରେ ମାମଲା କେଶ ନଂ ୨୭/୨୦ ରୁଜୁ ହେବା ସହ ପୋଲିସ ତଦନ୍ତ କରିଥିଲା । ଆଜି ରାଇରଙ୍ଗପୁର କୋର୍ଟରେ ଅତିରିକ୍ତ ଜିଲ୍ଲା ଓ ଦୌରାଜଜ ଦୀପକ କୁମାର ସାକ୍ଷୀ ମାନଙ୍କ ବୟାନ, ପୋଲିସ ରିପୋର୍ଟ ଓ ପାରିପାର୍ଶ୍ବିକ ଘଟଣାକୁ ଭିତ୍ତିକରି ଅଭିଯୁକ୍ତ ସୁରଜ ମହାକୁଡ଼ କୁ ଆଜୀବନ କାରାଦଣ୍ଡ ଓ ୫୦୦୦ ଟଙ୍କା ଜୋରିମାନା ରାୟ ଶୁଣାଇଛନ୍ତି ।