ରାଇରଙ୍ଗପୁର ପ୍ରସିଦ୍ଧ ବାବା ଐଶ୍ୱାନେଶ୍ୱରଙ୍କ ପୀଠରେ ଉଡା ପର୍ବ
ରାଇରଙ୍ଗପୁର (ଅକ୍ଷୟ ବିଶ୍ୱାଳ): କେଉଁ ରାଜାରାଜୁଡ଼ା ଅମଳରୁ ରାଇରଙ୍ଗପୁର ଗ୍ଢ ଗ୍ରାମର ବାବା ଐଶ୍ୱାନେଶ୍ୱରଙ୍କ ପୀଠରେ ଉଡା ପର୍ବ ପାଳନ କରାଯାଉଛି ।ଆସ୍ଥା ଓ ବିଶ୍ବାସ ଅଛି ଯେ ପବିତ୍ର ପଣା ସଂକ୍ରାନ୍ତିରେ ଯିଏ ବାବାଙ୍କ ଦର୍ଶନ ଓ ସାନ୍ନିଧ୍ୟ ଲାଭ କରନ୍ତି ବାବା ସମସ୍ତଙ୍କର ମନବାଞ୍ଛା ପୂର୍ଣ୍ଣ କରନ୍ତି । କରୋନା କଟକଣା ଭିତରେ ମୟୂରଭଂଜ ଜିଲ୍ଲାର ରାଇରଙ୍ଗପୁର ସହରର ଶୈବପୀଠ ଗଢ ଗ୍ରାମର ବାବା ଐଶ୍ୱାନେଶ୍ୱରଙ୍କ ପୀଠରେ ପ୍ରସିଦ୍ଧ ଉଡା ପର୍ବ ମହାସମାରୋହରେ ସଂପନ୍ନ ହୋଇଛି ।ବାବା ଐଶ୍ୱା ଗବନେଶ୍ୱରଙ୍କ ପାଖରେ ମାନସିକ ରଖି ଉପବୀତ ଧାରଣ ପୂର୍ବକ ବ୍ରତ ରଖିଥିବା ଭକ୍ତମାନେ ଖଡଖାଈ ନଦୀକୁ ଯାଇ ସ୍ନାନାଦି କର୍ମ ଶେଷ କରି ପରସ୍ପରକୁ ଫୁଲ ଚନ୍ଦନ ଲଗାଇବା ପରଂପରା ସାରି ଭକ୍ତାମାନେ ବାଦ୍ୟର ତାଳେ ତାଳେ ନାଚି ନାଚି ବାବା ଐଶ୍ୱାନେଶ୍ୱରଙ୍କ ମନ୍ଦିର ପ୍ରବେଶ କରିଥିଲେ । ହର ହର ମହାଦେବ ଧ୍ବନିରେ ପ୍ରକମ୍ପିତ ହୋଇଥିଲା ସମଗ୍ର ଅଂଚଳ ।ଏହି ଅବସରରେ ଭକ୍ତ ମାନେ ସେମାନଙ୍କ ଦେହରେ କଣ୍ଟା ଫୋଡି ନାଚି ନାଚି ଶୋଭାରେ ଆସି ସଂଧ୍ୟାରେ ବାବାଙ୍କ ନିକଟରେ ଅନ୍ତିମ ଅର୍ଘ୍ୟ ପ୍ରଦାନ କରି ବ୍ରତ ବିସର୍ଜନ କରିଥିଲେ । ସଂଧ୍ୟାରେ ବାବାଙ୍କ ଐଶ୍ୱାନେଶ୍ୱର ମହାଦେବ ସମ୍ମୁଖରେ ଥିବା ଉଡାଖୁଣ୍ଟ ନିକଟରେ ଭକ୍ତମାନେ ପହଞ୍ଚି ଥିଲେ । ସେଠାରେ ପୂଜାପାଠ, ଯଜ୍ଞ ଆହୂତି ପରେ ପାଟଭକ୍ତାଙ୍କୁ ଉଡା ଖୁଣ୍ଟ ଚକରେ ବୁଲି ଆକାଶରେ ଉଠିଥିଲେ ପରେ ସମସ୍ତ ଭକ୍ତାମାନେ ଉଡା ଖୁଣ୍ଟରେ ଉଠିଥିଲେ ।ଉଡାଖୁଣ୍ଟରୁ ଉଡା ପର୍ବ କମିଟି ତରଫରୁ ତଳେ ଥିବା ଶ୍ରଦ୍ଧାଳୁ ମାନଙ୍କୁ ଲଡୁ ବଣ୍ଟନ କରାଯାଇଥିଲା । ସୂଚନାଯୋଗ୍ୟ ଯେ ପ୍ରଷିଦ୍ଧ ଉଡା ଯାତ୍ରାର ପାରଂପରିକ ରୀତିନୀତି ଅନୁସାରେ ମନ୍ଦିରକୁ ୧୧ ତାରିଖ ଦିନ ଶୁଭଘଟ ,୧୨ ତାରିଖ ଦିନ ଯାତ୍ରା ଘଟ ଏବଂ କାମିନା ଘଟ ,୧୩ ତାରିଖ ଦିନ ଡାଳିଭଙ୍ଗା ଘଟ,କାଳିକା ଘଟ ଏବଂ ଗରିଆ ଭାର ଏବଂ ଶେଷ ୧୪ ତାରିଖ ଦିନ ମଡାପାଟ,ଖଣ୍ଡା ପାଟ ,ରଜନୀ ପୋଡ଼ା ଏବଂ ଉଡା ଯାତ୍ରା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।ଏକ ବିଶାଳ ବାଦ୍ୟ ରୋଷଣୀରେ ଖଡଖାଈ ନଦୀ ପରଠାରୁ ପୂଜାକାର୍ଯ୍ୟ ରୀତିନୀତି ସମାପନ କରାଯାଇ ଘଟୁଆଳ ବିଷ୍ଣୁପଦ ସାହୁଙ୍କୁ ଖଣ୍ଡା ଉପରେ ମନ୍ଦିର ପର୍ଯ୍ୟନ୍ତ ଅଣାଯାଇ ମନ୍ଦିର ପରିକ୍ରମଣ କରାଯାଇଥିଲା ।ଭକ୍ତ ଓ ଶ୍ରଦ୍ଧାଳୁମାନେ ପ୍ରସିଦ୍ଧ ଉଡା ପର୍ବ ଦେଖିବାକୁ ଏବଂ ବାବା ଐଶ୍ବାନେଶ୍ବରଙ୍କ ଆଶୀର୍ବାଦ ନେବାପାଇଁ ସୁଦୂରରୁ ଛୁଟି ଆସିଥିଲେ । କାର୍ଯ୍ୟକ୍ରମକୁ ବାବା ଐଶ୍ୱାନେଶ୍ୱର ଉଡା ଯାତ୍ରା କମିଟିର ସଭାପତି ସଂଜିତ ମହାନ୍ତି, ସଂପାଦକ ଅଭିଜିତ ମହାନ୍ତି, ଉପସଭାପତି କାଳିଚରଣ ସାହୁ, ଉପସଭାପତି ଦୀପକ ଡୋଗ୍ରା ସହ ସଂପାଦକ ଟିଲୁ ସାହୁ, କୋଷାଧ୍ୟକ୍ଷ ସତ୍ୟଜିତ ବାରିକ,ଉପଦେଷ୍ଟା ବୁଲୁ ଏବଂ କମିଟିର ସମସ୍ତ ସଦସ୍ୟ ଉଡା ଯାତ୍ରାକୁ ଶାନ୍ତି ଶୃଙ୍ଖଳା ସହ ପରିଚାଳନାରେ ସହଯୋଗ କରିଥିଲେ ।