ରାଉରକେଲାରେ ଭାରତୀୟ ମଜଦୁର୍ ସଂଘ କାର୍ଯ୍ୟକ୍ରମରେ ଯୋଗଦେଲେ କେନ୍ଦ୍ରମନ୍ତ୍ରୀ

ରାଉରକେଲା,  ଶ୍ରମିକ ତଥା କର୍ମଚାରୀମାନେ ରାଉରକେଲାରେ ଇସ୍ପାତ୍ ଶିଳ୍ପର ମେରୁଦଣ୍ଡ । ସେହିପରି ଯେଉଁ ପର୍ଯ୍ୟନ୍ତ ଶ୍ରମିକ ମାନଙ୍କର ମୂଳ ଅପେକ୍ଷା କିମ୍ବା ଆକାଂକ୍ଷାକୁ ପୂରଣ କରାଯାଇନାହିଁ ସେ ପର୍ଯ୍ୟନ୍ତ ଶିଳ୍ପ କ୍ଷେତ୍ରର ଅଭିବୃଦ୍ଧି ଅସମ୍ଭବ ବୋଲି ସୋମବାର ରାଉରକେଲା ଠାରେ ଭାରତୀୟ ମଜଦୁର୍ ସଂଘ ପକ୍ଷରୁ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗଦେଇ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । କେନ୍ଦ୍ରମନ୍ତ୍ରୀ  କହିଛନ୍ତି ଯେ ଦଳମତ ନିର୍ବିଶେଷରେ ଖଣି ଓ ଇସ୍ପାତ୍ କ୍ଷେତ୍ରରେ ଉତ୍ପାଦନକୁ ବଢାଇ ଇସ୍ପାତ୍ ଶିଳ୍ପକୁ ବୃଦ୍ଧି କରିବାକୁ ପଡିବ, ଏହା ଭାରତୀୟ ମଜଦୁର ସଂଘର ସ୍ପଷ୍ଟ ବିଚାରଧାରା । ତେଣୁ ଇସ୍ପାତ୍ କ୍ଷେତ୍ରର ଅଭିବୃଦ୍ଧି ପାଇଁ ଏହି ସଂଘର ଆବଶ୍ୟକତା ରହିଛି । ସେ କହିଛନ୍ତି ଯେ ରାଉରକେଲାର ପୂରାତନ ଅନୁଷ୍ଠାନ ଭାବେ ଜଣାଶୁଣା ଭାରତୀୟ ମଜଦୁର୍ ସଂଘ ଅନେକ ବାଧା ବିଘ୍ନକୁ ସାମ୍ନା କରି ଆଜି ବହୁତ ପ୍ରଭାବଶାଳୀ ଜାଗାରେ ପହଁଚିଛି । କେବଳ ଶ୍ରମିକ ସ୍ୱାର୍ଥ ନୁହେଁ, ଦେଶର ସ୍ୱାର୍ଥକୁ ଉପରେ ରଖିଲେ ମଧ୍ୟ ଆମ ମାନଙ୍କର ସ୍ୱାର୍ଥ ସାଧନ ହେବ ଏ ପ୍ରକାର ବିଶ୍ୱାସ ରଖୁଥିବା ଜନଆନ୍ଦୋଳନର ନାଁ ହେଲା ଭାରତୀୟ ମଜଦୁର୍ ସଂଘ । ସେହିପରି  କହିଛନ୍ତି ଯେ ଦୀର୍ଘ ସାତ ଦଶନ୍ଧୀ ଧରି ଦେଶର ଆମଦାନୀ ଓ ରୋଜଗାରକୁ ବଢାଇବାରେ ଶ୍ରମିକମାନଙ୍କ ମହତ୍ୱପୂର୍ଣ୍ଣ ଭୂମିକା ରହିଛି । ଶ୍ରମିକଙ୍କ ମୌଳିକ ସୁବିଧା ଓ ସ୍ୱାସ୍ଥ୍ୟ ସେବାକୁ ଗୁରୁତ୍ୱ ଦେବାର ଆବଶ୍ୟକ ରହିଛି । ଏହି ଅବସରରେ ଶ୍ରୀ ପ୍ରଧାନ ଅକ୍ଟୋବର ୨ ଗାନ୍ଧୀ ଜୟନ୍ତୀରୁ ପ୍ରଧାନମନ୍ତ୍ରୀଙ୍କ ‘ସିଙ୍ଗଲ୍ ୟୁଜ୍ ପ୍ଲାଷ୍ଟିକ୍’କୁ ବର୍ଜନ କରିବାକୁ ନିବେଦନ କରିବା ସହ ଏହାକୁ  ଆନ୍ଦୋଳନରେ ପରିଣତ କରିବା ପାଇଁ ଅନୁରୋଧ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ