ରାଜକନିକାର ଗିରିଆ ଗ୍ରାମରେ ୨ ପରିବାରକୁ ସାମାଜିକ ବାସନ୍ଦ ଅଭିଯୋଗ

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) :-କେନ୍ଦ୍ରାପଡା ଜିଲ୍ଲାର ରାଜକନିକା ଥାନା ଅନ୍ତର୍ଗତ ଗିରିଆ ଗ୍ରାମରେ ବିଗତ ୨ ବର୍ଷ ଧରି ୨ଟି ପରିବାରକୁ ସାମାଜିକ ବାସନ୍ଦ କରାଯାଇଥିବା ଅତିରିକ୍ତ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ ହୋଇଛି । ପିଡିତ ୨ଟି ପରିବାରର ସଦସ୍ୟମାନେ ମାନସିକ ନିର୍ଯ୍ୟାତନା ଓ ସାମାଜିକ ବାସନ୍ଦର ଶୀକାର ହୋଇ ସୋମବାର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଅଭିଯୋଗ କରିଛନ୍ତି । ଅଭିଯୋଗ ଅନୁଯାୟୀ ସେହି ଗ୍ରାମର ପୁରନ୍ଦର ଲେଙ୍କାଙ୍କ ପରିବାର ସହ ପଡିଶା ଅଜିତ କୁମାର ଲେଙ୍କାଙ୍କ ଜମିବାଡି ବିବାଦ ଲାଗି ରହିଥିଲା । ଏହାକୁ ନେଇ ଗାଁ କମିଟି ପକ୍ଷରୁ ମାପଚୁପ କରାଯାଇ ଥିଲେ ମଧ୍ୟ ଗୋଟିଏ ପକ୍ଷ ଏହାକୁ ନମାନିବାରୁ ଏନେଇ ପୁରନ୍ଦର ଅଦାଲତର ଆଶ୍ରୟ ନେଇଥିଲେ । ଗାଁ କମିଟିର ଘୋଷଣା ନାମାରେ ଦସ୍ତଖତ କରିବାକୁ ପୁରନ୍ଦରଙ୍କୁ ବାଧ୍ୟ କରାଯିବାରୁ ସେ ରାଜି ହୋଇ ନଥିଲେ । ଏହି ଘଟଣାରେ ଗାଁ କମିଟିର ସଦସ୍ୟ ନଳିନୀକାନ୍ତ ରାଉତ ପୁରନ୍ଦରଙ୍କୁ ସମୟ ଦେବାପାଇଁ ପ୍ରସ୍ତାବ ଦେବାରୁ ଗାଁ କମିଟି ଏହାକୁ ଅସ୍ୱୀକାର କରି ଉଭୟଙ୍କୁ ସାମାଜିକ ବାସନ୍ଦ କରିଥିବା ଅଭିଯୋଗ ହୋଇଛି । ଗ୍ରାମର କୈାଣସି ବ୍ୟକ୍ତି ତାଙ୍କ ସହ ସଂପର୍କ ରଖୁନଥିବା ବେଳେ ଗାଁର ଦୋକାନୀ ମଧ୍ୟ ସେହି ପରିବାରଙ୍କୁ କୈାଣସି ସଉଦାପତ୍ର ବିକ୍ରୀ କରୁ ନଥିବା ଉଭୟ ପରିବାରର ସଦସ୍ୟ ମାନଙ୍କ ସହ ନାବାଳକ ଶିଶୁମାନେ ମଧ୍ୟ ମାନସିକ ନିର୍ଯ୍ୟାତନାର ଶୀକାର ହୋଇ ଭୋକ ଉପାସରେ ଜୀବନ ବିତାଉଛନ୍ତି । ଏନେଇ ପୁରନ୍ଦର ଲେଙ୍କା ଓ ନଳିନୀକାନ୍ତ ରାଉତ ଏବଂ ତାଙ୍କ ପରିବାର ସଦସ୍ୟମାନେ ଅତିରିକ୍ତ ଜିଲ୍ଲାପାଳ ପିତାମ୍ବର ସାମଲଙ୍କୁ ଭେଟି ଅଭିଯୋଗ କରିବା ସହ ନ୍ୟାୟ ଭିକ୍ଷା କରିଛନ୍ତି । ଏହି ଘଟଣାରେ ତୁରନ୍ତ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସାମଲ କହିିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ