ରାଜଧାନୀରେ ଆଜାଦୀ ଠେଙ୍ଗାବାହିୀନର ଅଭିନବ ଅଭିଯାନ ମେଜର ଜେନେରାଲ ମାୟାଧର ନାୟକଙ୍କ ମହାଭିଷେକ

ସର୍ବଭାରତୀୟ ଆଜାଦୀ ଠେଙ୍ଗାବାହିନୀର ମହାସଭା ରାଜଧାନୀରେ ଗତ ଦୁଇଦିନବ୍ୟାପି ଅଭୂତପୂର୍ବ ଶୈଳୀରେ ଅନୁଷ୍ଠିତ ହୋଇଯାଇଛି । ମାର୍ଚ୍ଚ ପହିଲାରେ ସ୍ୱାଧୀନତା ସଂଗ୍ରାମୀ ସଦନ ପଡିଆରେ ବିଭିନ୍ନ ରାଜ୍ୟ ସମେତ ଓଡିଶାର ୩୦ଟି ଜିଲ୍ଲାରୁ ଆଗତ ପ୍ରାୟ ସହସ୍ରାଧିକ ନାରୀ, ପୁରୁଷ ସେନା ଏହି ମହାସଭାକୁ ଉଦ୍ଦିପନ୍ନାମୟ କରିପାରିଥିଲେ । ଏଥିରେ ଓଡିଶାର ବହୁ ପ୍ରଗତିଶୀଳ ବୁଦ୍ଧିଜୀବୀ, ଚିନ୍ତକ, ଲେଖକ, ଶିଳ୍ପୀ, କଳାକାର ପ୍ରମୂଖ ଯୋଗଦାନକରି ସର୍ବଭାରତୀୟ ସ୍ତରରେ ମାନ୍ୟତାପ୍ରାପ୍ତ ଶ୍ରମିକନେତା ମାୟାଧର ନାୟକଙ୍କ ମେଜର ଜେନେରାଲ ମହାଭିଷେକ ମହୋତ୍ସବକୁ ସାଦର ସମର୍ଥନ ଜ୍ଞାପନ କରିଥିଲେ । ଶ୍ରୀ ନାୟକ ଭୁବନେଶ୍ୱର ସ୍ୱାଧୀନତା ସଂଗ୍ରାମୀ ସଦନ ପଡିଆରେ ପହଞ୍ଚିଲାକ୍ଷଣି ଠେଙ୍ଗାବାହିନୀର ଚିଫ୍ କମାଣ୍ଡର କୃଷକ ଲକ୍ଷ୍ମଣ ଦାସ ଓ ଶହ ଶହ ସେନା/ସେନାନୀ ସାଇରନ୍ ବଜାଇ ସାଲ୍ୟୁଟ୍ ଦେଇ ମହାଭିଷେକ ମଂଚକୁ ପାଛୋଟି ନେଇଥିଲେ । ସେଠାରେ ଚିଫ୍ କମାଣ୍ଡର ଶ୍ରୀ ନାୟକଙ୍କୁ ପୁଷ୍ପମାଲ୍ୟ ସହ ଅଶୋକସ୍ତମ୍ଭ ଥିବା ଏକ ଠେଙ୍ଗାକୁ ଅର୍ପଣ କରିଥିଲେ । ଚର୍ତୁଦିଗରେ ସୁସଜ୍ଜିତ ସ୍ୱାଧୀନତା ସଂଗ୍ରାମୀ ସଦନ ମଇଦାନ୍ରେ ଭରପୁର ଜନଗଣଙ୍କ ମଧ୍ୟରେ ଏକ ଅପୂର୍ବ ଜାଗରଣ ସୃଷ୍ଟି ହୋଇଥିଲା ।
ଚିଫ୍ କମାଣ୍ଡର ଶ୍ରୀ ଦାସ୍ ସ୍ୱାଗତ ଭାଷଣ ଦେଇ କହିଲେ – କୃଷକକୁ ଏ ସମାଜର ମୁଖ୍ୟ ନାୟକ ରୂପେ ମାନିନେଇଥିବା ଆଜାଦୀ ଠେଙ୍ଗାବାହିନୀ ଓଡିଶାର ୩୦ ଜିଲ୍ଲାରୁ ୧୫ ହଜାର, ଦେଶର ୨୮ ରାଜ୍ୟରୁ ୨୨ ହଜାର, ୯ଟି ବିଦେଶୀ ରାଷ୍ଟ୍ରରୁ ୪ ହଜାର, ସମୂଦାୟ – ୪୧ ହଜାର ସେନାଶକ୍ତି ବିଶିଷ୍ଟ ଏକ ମହାଶକ୍ତିରେ ପରିଣତ ହୋଇଥିବା ସଂକଳ୍ପବଦ୍ଧବାହିନୀକୁ ସର୍ବମାନ୍ୟ ମହାନାୟକ ତଥା ମେଜର ଜେନେରାଲ ମାୟାଧର ନାୟକଙ୍କୁ ନବମାନବ ସମାଜ ଗଠନ ଓ ସଂଗଠନ ନିମନ୍ତେ ଉତ୍ସର୍ଗ କରୁଛୁ । ଆଗାମୀ ଦିନରେ ଏ ଆଜାଦୀ ଠେଙ୍ଗାବାହିନୀ ମେଜର ଜେନେରାଲ ମାୟାଧର ନାୟକଙ୍କ ମହାମନ୍ତ୍ର ଦୀକ୍ଷାରେ ଅଭିମନ୍ତ୍ରିତ ମଣିଷ ତିଆରି କାରଖାନାର ମୂଳଦୁଆ ପକାଇବେ । ଏହା ଆମ ମନ, ହୃଦୟ ଓ ଅନ୍ତଃକରଣର ଆବେଗଭରା କଣ୍ଠସ୍ୱର ।
ମେଜର ଜେନେରାଲ ଶ୍ରୀ ନାୟକ ଦୀର୍ଘ ୧ ଘଂଟା ୪୫ ମିନିଟ୍ ନୀରବଛିନ୍ନ ଭାବେ ବଜ୍ର, ଗମ୍ଭୀର କଣ୍ଠସ୍ୱରରେ ଆତଙ୍କବାଦ ବିପକ୍ଷରେ ସବୁଦେଶର ସମ୍ମିଳୀତ ଯୁଦ୍ଧଘୋଷଣା ଏକାନ୍ତ ଜରୁରୀ ବୋଲି ଆହ୍ୱାନ ଦେଇଥିଲେ । ୨୦୧୯ର ଆସନ୍ନ ନିର୍ବାଚନୀ ଆବହାୱାର ଉଷୁମ୍ ହାୱାକୁ ହେମାଳ କରିଦେଇ ଯେତେବେଳେ ଜମ୍ମୁକାଶ୍ମୀରକୁ ପୁଲୱାମା ଆତଙ୍କୀ ଆକମଣର ଅତର୍କିକତା, ଭୂସ୍ୱର୍ଗରୁ ପରିଣତ କରାଇଦେଲା ବିଭାଷିକାମୟ ଏକ ନଷ୍ଟସ୍ୱର୍ଗରେ, ଯେତେବେଳେ ସାରାଭାରତ ସ୍ତବ୍ଧୟ । ତାରିଖଟା ଥିଲା ଫେବୃଆରୀ ୧୪… ଆତଙ୍କୀ ଆକ୍ରମଣ ଥିଲା ଅଚିନ୍ତନୀୟ ଭାବରେ ଅଭାବିତ – ଗୋଟାଏ ବିସ୍ଫୋରକବୋଝେଇ ଯାନର ଆଖିପିଛୁଳାକେ ଆତ୍ମଘାତୀ ଅପସଂଘାତ ଫଳରେ ମର୍ମନ୍ତୁଦ ମୃତ୍ୟୁଚିତାନଳରେ ଜୀବନ୍ତ ଜଳଗିଲେ ୪୧ରୁ ଉଦ୍ଧ୍ୱର୍ ଭାରତୀୟ ବୀରଯବାନ – ବିନା ଯୁଦ୍ଧରେ । ଏ ଯୁଦ୍ଧ ଦେଶବିଦେଶ, ସୀମା ସୀମାନ୍ତରେ ନ’ଲାଗି ସବୁ ଐକ୍ୟବଦ୍ଧ ଅନମନୀୟ ଯୋଦ୍ଧାବାହିନୀ ପକ୍ଷରୁ ସବୁଯାକ ଗୁଳି, ବୋମା ମାନବିକତାକୁ ଧ୍ୱସ୍ତବିଧ୍ୱସ୍ତ କରୁଥିବା ଆତଙ୍କବାଦ ବିରୁଦ୍ଧରେ ପ୍ରୟୋଗ ହେବା ଆଜିର ଐତିହାସିକ ଆହ୍ୱାନ ।
ଶ୍ରୀ ନାୟକ କହିଲେ – ରାଷ୍ଟ୍ରମୁଖ୍ୟମାନେ ଏ ଦେଶ, ସେ ଦେଶ, ସ୍ୱଦେଶ-ବିଦେଶ ମନୋଭାବ ନରଖି ନୀତିଗତ ନିଷ୍ପତି ନିଅନ୍ତୁ – ଆତଙ୍କବାଦର ଅକ୍ଟୋପାସୀ ଆଲିଙ୍ଗନରୁ ପୃଥିବୀବାସୀଙ୍କୁ ପରିତ୍ରାଣ ପ୍ରଦାନ କରିବା ପାଇଁ ଏକ ସର୍ବଦେଶୀୟ ଶିଖର ସମ୍ମିଳନୀର ସମୟ ଆସି ପହଞ୍ଚିଯାଇଛି । ବର୍ତମାନର ସବୁଠୁ ବଡ ବିଡମ୍ବନା ହେଉଛି – ଆତଙ୍କବାଦ ସାରା ମଣିଷ ଜାତିର, ମାନବିକତାର ଏକ ନମ୍ବର ଶତ୍ରୃ । ଏବେ ଏହାର ଆମଳଚୂଳ ଅନ୍ତଃ ଘଟାଇବାର ବେଳ ପହଞ୍ଚିଯାଇଛି । ଖାଲି ଭାରତ-ପାକିସ୍ତାନ ନୁହେଁ, ତମାମ୍ ଦୁନିଆ ପାଇଁ ଦେଶ ବିଦେଶ ନିର୍ବିଶେଷରେ ଅପରିଣାମଦର୍ଶୀ ଆତଙ୍କୀ କାରବାରକୁ ଖତମ୍ କରିବା ଲକ୍ଷ୍ୟରେ ଏକ ଶପଥବଦ୍ଧ ବିଶ୍ୱସେନା ସଂଗଠନର ଜନ୍ମଜାତକ ପ୍ରସ୍ତୁତ କରିବା ପ୍ରଥମ ପ୍ରୟୋଜନ । ଏ ପ୍ରସ୍ତାବ ଜାତିସଂଘରେ ସମ୍ମିଳିତ ଭାବେ ସବୁଦେଶର ଶାସନମୁଖ୍ୟମାନଙ୍କ ସହମତିରେ ହିଁ ଉଠିବା ଦରକାର । ଅମଣିଷମାନଙ୍କ ଆସୁରିକତାର ଅନ୍ତଃ ଘଟାଇବାପାଇଁ ସାରା ମଣିଷଜାତି ତରଫରୁ ବର୍ତ୍ତମାନ ଆରମ୍ଭ ହେଉ ଶାଣିତ ସତ୍ୟପାଠ – ପ୍ରତ୍ୟେକ ପର୍ଯ୍ୟାୟକ୍ରମିକ ବୈଠକି ବସି ଆରମ୍ଭ ହେଉ ନିତ୍ୟନିୟମିତ ସର୍ବଦେଶୀୟ ଶିଖର ସମ୍ମିଳନୀ ।
ଶେଷରେ ଆଜାଦୀ ଠେଙ୍ଗାବାହିନୀର ନବନିଯୁକ୍ତ ମେଜର ଜେନେରାଲ ଭାବରେ ଶ୍ରୀ ନାୟକ ଭାବବିହ୍ୱଳ ହୋଇ କହିଲେ – ଥରେ ଯୁଦ୍ଧ ଲାଗିଲେ କେତେବର୍ଷ ଚାଲିବ କହିହେବନାହିଁ । ଯୁଦ୍ଧ ସମୟରେ ସାଧାରଣ ଲୋକଙ୍କ ବହୁତ କ୍ଷତି ହେବ । କିଛି ବେପାରୀଙ୍କର ହିଁ କେବଳ ବିତକୋଷ ବୃଦ୍ଧି ହେବ । ଆଜିର ଅଙ୍ଗୀକାର ଏଣୁ ଏକ ଆତଙ୍କରହିତ ବିଶ୍ୱ । ବିଶ୍ୱସ୍ୱାସ୍ଥ୍ୟ ସଂଗଠନ ଭଳି ବିଶ୍ୱସେନା ସଂଗଠନ ଗଠନ କରାଯାଉ । ଆମେ ସବୁଦେଶର ମଣିଷମାନେ ଆମ ଶାସକ ଓ ପ୍ରଶାସକମାନଙ୍କୁ ବାଧ୍ୟ କରିବା କ୍ଷୁଧା, ବ୍ୟାଧି ବିରୁଦ୍ଧରେ ଯୁଦ୍ଧ ଘୋଷଣା କରିବା । ଜନପ୍ରତିନିଧିର ଯୁଗ ପ୍ରାୟ ସରିଆସୁଛି, ଏବେ ଆରମ୍ଭ ହେଉ ମଣିଷ-ପ୍ରତିନିଧିର ମହାଯୁଗ – ଏ ସ୍ୱପ୍ନ ମିଥ୍ୟା ନୁହେଁ । ପୃଥିବୀ ମାରଣାସ୍ତ୍ର ମୁକ୍ତ ହେବ – ମରଣମୁକ୍ତ ପୃଥିବୀ ଆଡକୁ ତିଆରି ହେବ ପ୍ରଥମ ପାହାଚ । ମଣିଷ ବଞ୍ଚିବାକୁ ଚାହେଁ! ଅଶା” ଏସିଆର ଅ”ର୍ଜାଗରଣ ଏକା” ଆବଶ୍ୟକ । ଏସିଆକୁ ଖଣ୍ଡ ଖଣ୍ଡ କରନାହିଁ । ଏହି ଏସିଆର ଆକାଶରେ ଉଏଁ ପୃଥିବୀପାଇଁ ପୂର୍ବଦିଗର ପ୍ରଭାତୀସୂର୍ଯ୍ୟ । ଏବେ ସାରା ଦୁନିଆ ଦୀପତଳ ଅନ୍ଧାର ଭିତରେ ବାଟବଣା ହେଉଥିବାବେଳେ ଏସିଆ ଶାନ୍ତିଶିଖାର ସ୍ୱପ୍ନପାଠ କରୁ । ଏଇଠୁ ଆରମ୍ଭ ହେଉ ଅନ୍ଧାରକୁ କାଟିବାର ଆଲୋକିତ ଅଭିଯାତ୍ରା । ଏକ୍ ହୁଅ ଏସିଆ ! ଆଜି ସମୟର ଆହ୍ୱାନ – ସମଗ୍ର ବିଶ୍ୱରେ ବହୁ ଦେଶରେ ଭୟଙ୍କର ଆତଙ୍କବାଦ ଭଳି ଅର୍ଥନୈତିକ ଆତଙ୍କବାଦ, ରାଜନୈତିକ ଆତଙ୍କବାଦ, ସାମାଜିକ ଆତଙ୍କବାଦ ଓ ସାଂସ୍କୃତିକ ଆତଙ୍କବାଦର ଜଘନ୍ୟ ଷଡଯନ୍ତ୍ର ଦେଖାଦେଇଛି । ସବୁ ଆତଙ୍କବାଦ ବିରୁଦ୍ଧରେ ଆଜାଦୀ ଠେଙ୍ଗାବାହିନୀ କେବଳ ଓଡିଶା ନୁହେଁ କି ଭାରତ ନୁହେଁ, ସମଗ୍ର ବିଶ୍ୱରେ ଯୁଦ୍ଧ ଘୋଷଣା କରିବାପାଇଁ ଆହ୍ୱାନ ଦେଇଥିଲେ ।
ଏଇ ଦୁଇଦିନିଆ ସମ୍ମିଳନୀରେ ଆଜାଦୀ ଠେଙ୍ଗାବାହିନୀର ଶପଥପାଠ ଅଧ୍ୟାପକ ଅସିମ୍ ନାୟକ ପାଠ କରିଥିଲେ । ସମସ୍ତେ ସମବେତ ଭାବେ ଶପଥପାଠକୁ ସମର୍ଥନ କରିଥିଲେ । ଆଜାଦୀ ଠେଙ୍ଗାବାହିନୀର ପଶ୍ଚିମ ଓଡିଶା ଏରିଆ କମାଣ୍ଡର ବଂଶୀଧର କର, ଦକ୍ଷିଣ ଓଡିଶା ଏରିଆ କମାଣ୍ଡର ସିଦେ୍ଧଶ୍ୱର ନାୟକ (ମୁନ୍ନା), ଉତ୍ତର ଓଡିଶା ଏରିଆ କମାଣ୍ଡର ମାଧବାନନ୍ଦ ସେଠୀ, ପୂର୍ବ ଓଡିଶା ଏରିଆ କମାଣ୍ଡର ଉର୍ବଶୀ ଦାସ, ପଶ୍ଚିମବଙ୍ଗ ଚିଫ୍ କମାଣ୍ଡର ସୁରଜିତ୍ ମଣ୍ଡଳ, କେନ୍ଦୁଝର ଜିଲ୍ଲାରୁ ସନ୍ତୋଷିନୀ ଦେଓ, ଭଦ୍ରକରୁ ମୁଲତା ମଲ୍ଲିକ୍, କେନ୍ଦ୍ରାପଡାରୁ ସୋହେଲା ବେଗମ୍, ଯାଜପୁରରୁ ସାହିତ୍ୟିକ ଭୂବନାନନ୍ଦ ମହାନ୍ତି, କେନ୍ଦୁଝରରୁ ଚକ୍ରଧର ଡାକୁଆ, ସମ୍ବଲପୁରରୁ ତ୍ରିନାଥ ପ୍ରସାଦ ପଣ୍ଡା, ନୟାଗଡରୁ କିଶୋର ଚନ୍ଦ୍ର ଦଳବେହେରା, ସୋନପୁରରୁ କୃପାସିନ୍ଧୁ ପ୍ରଧାନ, କନ୍ଧମାଳରୁ କୁମୁଦିନୀ ବେହେରା, ସୁକିନ୍ଦା ଖଣି ଅଂଚଳରୁ ହୃଦାନନ୍ଦ ନାୟକ, ଜୟନ୍ତୀ ଜେନା, ନନ୍ଦିନୀ ଗାଗରାଇ, ଅନୀଲ ପଣ୍ଡା ଓ ସାରାଓଡିଶା ଭାଷା-ସାହିତ୍ୟ-କଳା-ସଂସ୍କୃତି-ମହାସଭାର ମହାସଚିବ ଦଣ୍ଡପାଣୀ ମହାପାତ୍ର ପ୍ରମୁଖ ସାରଗର୍ଭକ ବକ୍ତବ୍ୟ ପ୍ରଦାନ କରିଥିଲେ । ଆଗାମୀ ଜୁନ୍ ପ୍ରଥମ ସପ୍ତାହରେ ଆଜାଦୀ ଠେଙ୍ଗାବାହିନୀର ଆଦ୍ୟ ଆଷାଢ ମହାଶିବିର ଯାଜପୁର ଜିଲ୍ଲା ଦୁର୍ଗାପୁର, ବାରବାଟୀ ବ୍ରାହ୍ମଣୀ ନଦୀକୂଳ ନଈବାଲିରେ ଆୟୋଜିତ ହେବାର ନିଷ୍ପତ୍ତି ଏହି ମହାସଭାରେ ଘୋଷିତ ହୋଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ