ରାଜଧାନୀରେ ପ୍ରଧାନ ମନ୍ତ୍ରୀଙ୍କ କୁଷ ପୁତଳିକା ଦାହ
ଭୁବନେଶ୍ୱର, (ଓ୍ବାଇଏନ୍ଏସ୍) : କେନ୍ଦ୍ର ସରକାରଙ୍କ କୃଷକ ଓ କୃଷିର ସର୍ବନାଶକାରୀ ଆଇନ ୨୦୨୦ ସମେତ କଂଟ୍ରାକ୍ଟ ଫାର୍ମିଙ୍ଗ୍ ଆର୍ଟ ୨୦୨୦, ଅତିଆବଶ୍ୟକୀୟ ସାମଗ୍ରୀକ ସଂଶୋଧନ ଆଇନ୍ ୨୦୨୦ ବାତିଲ୍ କରିବା ଦାବୀରେ ଅଲ୍ ଇଣ୍ଡିଆ କୃଷକ ସଂଘର୍ଷ ର୍ ସମନ୍ୱେୟ ସମିତି ଡ଼ାକରାରେ ଆଜି ବିଭିନ୍ନ କୃଷକ ସଂଗଠନମାନଙ୍କ ପକ୍ଷରୁ ଦେଶବ୍ୟାପୀ ହରତାଳ ସଂଗଠିତ ହୋଇଯାଇଛି । ଏହି ପରିପ୍ରେକ୍ଷିରେ କୃଷକ ସଂଘର୍ଷ ସମନ୍ୱେୟ କମିଟିର ସଂଗଠନ “ଅଲ୍ ଇଣ୍ଡିଆ ଅଗ୍ରଗାମୀ କିଷାନ ସଭା” ପକ୍ଷରୁ ରାଜ୍ୟ ତମାମ ପ୍ରତିବାଦ ଆନ୍ଦୋଳନ ସଂଗଠିତ ହୋଇଯାଇଛି । ରାଜଧାନୀ ଭୁବନେଶ୍ୱରରେ ଅଗ୍ରଗାମୀ କିଷାନ ସଭାର ସାଥିମାନେ ରାଜ୍ୟ ନେତା ଜ୍ୟୋତି ରଂଜନ ମହାପାତ୍ରଙ୍କ ନେତୃତ୍ୱରେ ଲୋୟର ପି.ଏମ୍.ଜି. ଠାରୁ ମାଷ୍ଟର କ୍ୟାଟିଂନ ପର୍ଯ୍ୟନ୍ତ ଏକ ଅଭିନବ ଶୋଭାଯାତ୍ରାରେ ଯାଇ କୃଷି ଆଇନ ୨୦୨୦ର ତୀବ୍ର ବିରୋଧ କରିଛନ୍ତି । ଶୋଭାଯାତ୍ରାରେ ବିକ୍ଷୋଭ କାରିମାନେ ପ୍ରଧାନ ମନ୍ତ୍ରୀ ମୋଦୀଙ୍କର ଏକ ସାଙ୍କେତିକ ଶବ ଶୋଭାଯାତ୍ରା କରିବା ସହ କେନ୍ଦ୍ର ସରକାରଙ୍କ ବିରୋଧରେ ସ୍ଲୋଗାନମାନ ଦେଇ ମାଷ୍ଟର କ୍ୟାଟିଂନରେ ପହଂଚି ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ବିକ୍ଷୋଭ ସ୍ଥଳରେ କୃଷି ଆଇନ୍ ୨୦୨୦କୁ ଖାରଜ କରିବାକୁ ଦାବୀ କରିବା ସହ ପ୍ରଧାନ ମନ୍ତ୍ରୀ ମୋଦିଙ୍କ କୁଷ ପୁତଳିକା ଦାହ କରିଥିଲେ । ଏହି ପ୍ରତିବାଦ ବିକ୍ଷୋଭ କାର୍ଯ୍ୟକ୍ରମରେ ସର୍ବଶ୍ରୀ କୃଷକ ନେତା ଆଲୋକ ମହାପାତ୍ର, ନାରାୟଣ ଡ଼ାଳୁଆ, ବାବାଜୀ ଚରଣ ଦାସ, ଅମୀନ ଭୋଇ, ପ୍ରକାଶ ଚନ୍ଦ୍ର ଭୋଇ, କପିଳ କାଣ୍ଡି, ବିଜୟ ସାହୁ ପ୍ରମୁଖ ନେତୃତ୍ୱ ନେଇଥିଲେ । ଅନୁରୂପ ଭାବେ ଅଗ୍ରଗାମୀ କୃଷକ ସଭାର ରାଜ୍ୟ ସଭାପତି ଗୋପାଳ ଚନ୍ଦ୍ର ଅଗ୍ରୱାଲଙ୍କ ନେତୃତ୍ୱରେ ବରଗଡ଼ ଜିଲ୍ଲାର ବିଭିନ୍ନ ଅଂଚଳରେ, କୃଷକ ନେତା ଜିତେନ୍ଦ୍ରୀୟ ବେହେରାଙ୍କ ନେତୃତ୍ୱରେ ପୁରୀ ଜିଲ୍ଲାର ସଦର ମହକୁମାରେ, ସମ୍ଭୁ ପ୍ରସାଦ ମହାନ୍ତିଙ୍କ ନେତୃତ୍ୱରେ କୋରାପୁଟ ଜିଲ୍ଲା ବୈପାରୀଗୁଡ଼ା ଠାରେ, କୃଷକ ନେତା ସର୍ବେଶ୍ୱର ମିଶ୍ର ଏବଂ ଅନିରୁଧ ମଲ୍ଲିକଙ୍କ ନେତୃତ୍ୱରେ ବାଲେଶ୍ୱରର ସଦର ମହକୁମା ସମେତ ରାଜ୍ୟର ବିଭିନ୍ନ ଅଂଚଳରେ ଅଗ୍ରଗାମୀ କିଷାନ ସଭା ନେତୃତ୍ୱରେ କୃଷି ଆଇନ ୨୦୨୦ ବାତିଲ କରିବା ଦାବୀରେ ପ୍ରତିବାଦ ବିକ୍ଷୋଭ ସଂଗଠିତ ହୋଇଯାଇଅଛି ।