ରାଜଧାନୀରେ ମିଳିତ ଓଡ଼ିଶା ନିଶା ନିବାରଣ ଅଭିଯାନ (ମୋନା) କର୍ମୀଙ୍କୁ ପୋଲିସ ଆକ୍ରମଣର ନିନ୍ଦା
ବାଲେଶ୍ୱର(ଯୁଗାବ୍ଦ ନ୍ୟୁଜ୍): ଆସନ୍ତା ସାଧାରଣ ନିର୍ବାଚନ ପୂର୍ବରୁ ଆମ ରାଜ୍ୟକୁ ସଂପୂର୍ଣ୍ଣ ନିଶାମୁକ୍ତ କରିବା ଦାବିରେ ଗତ ଗୁରୁବାରଦିନ ଭୁବନେଶ୍ୱରସ୍ଥିତ ନବୀନ ନିବାସରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ଦେବାକୁ ଯାଇଥିବା ମିଳିତ ଓଡ଼ିଶା ନିଶା ନିବାରଣ ଅଭିଯାନ(ମୋନା) କର୍ମୀମାନଙ୍କୁ ଗିରଫ କରିବା ଓ ମହିଳାକର୍ମୀଙ୍କ ଉପରେ ପୋଲିସର ଆକ୍ରମଣକୁ ବାଲେଶ୍ୱର ଜିଲ୍ଲା କମିଟି ତରଫରୁ ଦୃଢ଼଼ନିନ୍ଦା କରାଯାଇଛି । ବରିଷ୍ଠ ଆଇନଜୀବୀ ତଥା ମୋନାର ସଭାପତି ପ୍ରଭାକର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଜିଲ୍ଲା କମିଟିର ଶୁକ୍ରବାର ଅପରାହ୍ଣରେ ଅନୁଷ୍ଠିତ ଏକ ଜରୁରୀ ବୈଠକରେ ଏହି ନିନ୍ଦା ପ୍ରସ୍ତାବ ସର୍ବସମ୍ମତକ୍ରମେ ଗୃହୀତ ହୋଇଛି । ସାଧାରଣ ସଂପାଦିକା ମମତା ମାହାପାତ୍ରଙ୍କ ନେତୃତ୍ୱରେ ଏହି ଆନ୍ଦୋଳନରେ ଯୋଗ ଦେବାକୁ କଟକରୁ ଭୁବନେଶ୍ୱର ପର୍ଯ୍ୟନ୍ତ ପଦଯାତ୍ରାରେ ଯାଇଥିବା ସମସ୍ତ ସଦସ୍ୟ,ସଦସ୍ୟାଙ୍କୁ ଧନ୍ୟବାଦ ଦିଆଯାଇଛି । ଆସନ୍ତା ନିର୍ବାଚନରେ ରାଜନୈତିକ ଦଳମାନେ ସେମାନଙ୍କ ନିର୍ବାଚନୀ ଇସ୍ତାହାରରେ ଓଡ଼ିଶାକୁ ନିଶାମୁକ୍ତ କରିବା ପାଇଁ ପ୍ରତିଜ୍ଞାବଦ୍ଧ ହେବାକୁ ବୈଠକରେ ଆହ୍ୱାନ ଦିଆଯାଇଛି । ବାଲେଶ୍ୱର ସହର ଓ ସହର ଉପାନ୍ତରେଥିବା ବେଆଇନ ମଦ ଦୋକାନ ତୁରନ୍ତ ବନ୍ଦ କରିବାକୁ ଓ ବିଳମ୍ବିତ ରାତ୍ରିରେ ବୁଲୁଥିବା ନିଶାସକ୍ତ ବ୍ୟକ୍ତିମାନଙ୍କୁ ଗିରଫ କରିବାପାଇଁ ଜିଲ୍ଲା ପ୍ରଶାସନ ନିକଟରେ ଦାବି କରାଯାଇଛି । ଆସନ୍ତା ମଙ୍ଗଳବାର ପୂର୍ବାହ୍ନ ୧୧ଟାରେ ଏ ସଂପର୍କରେ ଏକ ଦାବିପତ୍ର ଜିଲ୍ଲାପାଳଙ୍କୁ ପ୍ରଦାନ କରାଯିବାକୁ ନିଷ୍ପତ୍ତି ନିଆଯାଇଛି । ଆସନ୍ତା ଏପ୍ରିଲ ୭ରେ ଜିଲ୍ଲା ସମ୍ମିଳନୀ ହେବାକୁ ସ୍ଥିର ହୋଇଛି । ସର୍ବଶ୍ରୀ ସୁବ୍ରତ କର, ଡ. କେଶବ ଚରଣ ପଣ୍ଡା, ଡ. କ୍ଷିତୀଶ୍ୱର ଦାଶ, ଗୌରାଙ୍ଗ ପାଣିଗ୍ରାହୀ, ହେମଲତା ଦାଶ, ଭାରତୀ ପଣ୍ଡା, ଗୀତାଞ୍ଜଳି ସିଂହ, ପୂର୍ଣ୍ଣଚନ୍ଦ୍ର ବେହେରା, କୁମୁନ୍ଦ ରଞ୍ଜନ ଗିରି, ପ୍ରଫୁଲ୍ଲ କୁମାର ଦାସ, ସୀତାନାଥ ଦାସ, ମହମ୍ମଦ ଇସଲାମ୍, ଅକ୍ଷୟ କୁମାର ତ୍ରିପାଠୀ, ଶଶାଙ୍କ ଶେଖର ଦତ, ସମରେନ୍ଦ୍ରନାଥ ଦାସ, କମଳାକାନ୍ତ ଦାଶ, ତ୍ରିଦିବ କୁମାର ନାୟକ, ସୁରେନ୍ଦ୍ର ନାରାୟଣ ମହାପାତ୍ର, ଅବନ୍ତୀ ପ୍ରଧାନ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ ।